ଗିଲ୍‌ଙ୍କ ଶତକ ସହ ଦମ ଦେଖାଇଲେ ଆୟର-କୋହଲି, ଇଂଲଣ୍ଡକୁ ବିଶାଳ ଲକ୍ଷ୍ୟ ଦେଲା ଭାରତ

Published By : Prameya-News7 Bureau | February 12, 2025 IST

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ବ୍ୟାଟରଙ୍କ ଜଲଓ୍ଵା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୩୫୬ ରନରେ ଅଲଆଉଟ୍ ହୋଇଛି। ଉପ ଅଧିନାୟକ ଶୁଭମନ ଗିଲ୍ ୧୧୨ ରନର ଶତକୀୟ ଇନିଂସ  ଖେଳିଥିବା ବେଳେ ଶ୍ରେୟସ ଆୟର ୭୮ ରନ ଓ ବିରାଟ କୋହଲି ୫୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। କେଏଲ ରାହୁଲ ୪୦ ରନ କରିଛନ୍ତି। ଶେଷ ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୩୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଭ୍ରମଣକାରୀ ଦଳ ପକ୍ଷରୁ ଆଦିଲ ରଶିଦ ୬୪ ରନ ବ୍ୟୟରେ ୪ ଓ୍ଵିକେଟ୍ ନେଇଛନ୍ତି। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ଅଧିନାୟକ ରୋହିତ ଶର୍ମା(୧) ଦ୍ଵିତୀୟ ଓଭରରେ ଆଉଟ୍ ହୋଇଥିଲେ। ଏହା ପରେ ଶୁଭମନ ଗିଲ୍ ଓ ବିରାଟ କୋହଲି ଦଳର ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ। ଉଭୟ ବ୍ୟାଟର ଚିତ୍ତାକର୍ଷକ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କୁ ଚାପରେ ରଖିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ୫୫ ବଲରୁ ୭ ଚୌକା ଓ ୧ ଛକା ସହ ୫୨ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ଗିଲ୍ ଓ କୋହଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୧୬ ରନର ଶତକୀୟ ଭାଗିଦାରୀ ଯୋଡ଼ିଥିଲେ।

ଏହା ପରେ ଗିଲ୍ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଆଉ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା। ଗିଲ୍ ଦିନିକିଆରେ ନିଜର ଚମତ୍କାର ଫର୍ମ ଜାରି ରଖି ଦିନିକିଆରେ ସପ୍ତମ ଶତକ ପୂରଣ କରିଥିଲେ। ଏହି ଶତକ ଜରିଆରେ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଗିଲ୍ ୧୦୨ ବଲ୍‌ରୁ ୧୪ ଚୌକା ଓ ୩ ଛକା ସହ ୧୧୨ ରନ କରି ଆଉଟ୍ ହୋଇଛନ୍ତି। ଆୟର ଓ ଗିଲ୍ ତୃତୀୟ ଓ୍ଵିକେଟ୍‌ରେ ୧୦୪ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ।

ଅନ୍ୟପଟେ ଶ୍ରେୟସ ଆୟର ଆଉ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ୬୪ ବଲ୍‌ରୁ ୮ ଚୌକା ଓ ୨ ଛକା ସହ ୭୮ ରନ କରି ପାଭିଲିୟନ ଫେରିଥିଲେ। ତାଙ୍କ ପରେ କେଏଲ ରାହୁଲ ନିମ୍ନ କ୍ରମରେ ଉପଯୋଗୀ ବ୍ୟାଟିଂ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲରୁ ୧୭ ରନ ଓ ଅକ୍ଷର ପଟେଲ୍ ୧୩ ରନ କରି ଆଉଟ୍ ହୋଇଥିଲେ। କେଏଲ ରାହୁଲ ଦ୍ରୁତ ବ୍ୟାଟିଂ କରି ୨୯ ବଲ୍‌ରୁ ୪୦ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ହର୍ଷିତ ରାଣା ୧୩ ରନ ଓ ଓ୍ଵାଶିଂଟନ ସୁନ୍ଦର ୧୪ ରନ କରି ଆଉଟ୍ ହୋଇଥିଲେ। ଏହିପରି ଭାରତ ୫୦ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୩୫୬ ରନ କରି ପାରିଛି। 

ବୋଲିଂରେ ଇଂଲଣ୍ଡ ପକ୍ଷରୁ ଆଦିଲ ରଶିଦ ୬୪ ରନ ବ୍ୟୟ କରି ସର୍ବାଧିକ ୪ ଟି ସଫଳତା ପାଇଛନ୍ତି। ମାର୍କ ଉଡଙ୍କୁ ଦୁଇଟି ଓ୍ଵିକେଟ୍ ମିଳିଥିବା ବେଳେ ଶାକିବ ମେହମୁଦ, ଗସ ଏଟିଙ୍କନ ଓ  ଜୋ ରୁଟ୍ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.