ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ମିଳିଛି ନୂଆ ମାଲିକ । ସ୍ୱାସ୍ଥ୍ୟ ଏବଂ ଶକ୍ତି କ୍ଷେତ୍ରରେ କାରବାର ବିସ୍ତାର କରିଥିବା ଟୋରେଣ୍ଟ ଗ୍ରୁପ୍ ଆଇପିଏଲ୍ ଫ୍ରାଞ୍ଚାଇଜ୍ର ବଡ଼ ଅଂଶଧନ ଅଧିଗ୍ରହଣ କରିଛି । ପୂର୍ବରୁ ଅନେକ ବିଫଳ ପ୍ରୟାସ ପରେ ଏବେ ଟୋରେଣ୍ଟ ଗ୍ରୁପ୍ କ୍ରୀଡ଼ା କ୍ଷେତ୍ରରେ ପ୍ରଥମ ପ୍ରବେଶ କରିଛି । ଟୋରେଣ୍ଟ ଗ୍ରୁପ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟାନ୍ସର ୬୭% ଅଂଶଧନ ଅଧିଗ୍ରହଣକୁ ନିଶ୍ଚିତ କରିଛି ।
ଟୋରେଣ୍ଟ ଗ୍ରୁପ୍ କହିଛି, 'ଏହାର ହୋଲ୍ଡିଂ କମ୍ପାନୀ ଟୋରେଣ୍ଟ ଇନ୍ଭେଷ୍ଟମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ (TIPL) ମାଧ୍ୟମରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଫ୍ରାଞ୍ଚାଇଜ୍, ଗୁଜରାଟ ଟାଇଟାନ୍ସର ୬୭ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବା ପାଇଁ ଏକ ନିଶ୍ଚିତ ଚୁକ୍ତି କରିଛି ।'
ଏହି କଙ୍ଗଲୋମରେଟ୍ ଗୁଜରାଟ ଟାଇଟାନ୍ସ (ଆଇରେଲିଆ ସ୍ପୋର୍ଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍)ର ମେଜୋରିଟ୍ ସେୟାର ଆଇରେଲିଆ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ୍ ଠାରୁ କ୍ରୟ କରୁଛି । ଯାହା ବର୍ତ୍ତମାନ CVCର ସମ୍ପୂର୍ଣ୍ଣ ମାଲିକାନାରେ ରହିଛି । ଏହି ଚୁକ୍ତିର ଏକ ଅଂଶ ସ୍ୱରୂପ, ଇରେଲିଆ ଫ୍ରାଞ୍ଚାଇଜରେ ୩୩ ପ୍ରତିଶତର ଅଂଶଧନ ବଜାୟ ରଖିବ ।
ଏହି ଚୁକ୍ତି ଉପରେ ଟୋରେଣ୍ଟ ଗ୍ରୁପର ନିର୍ଦ୍ଦେଶକ ଜିନାଲ ମେହେତା କହିଛନ୍ତି, 'ଭାରତରେ ଖେଳ ପ୍ରମୁଖତା ହାସଲ କରୁଥିବାରୁ, ଟୋରେଣ୍ଟ ଏହି ଦ୍ରୁତ ପ୍ରଗତିଶୀଳ କ୍ଷେତ୍ରରେ ଅନେକ ସମ୍ଭାବନା ଦେଖୁଛି । ଗୁଜରାଟ ଟାଇଟାନ୍ସରେ ଅଧିକାଂଶ ଅଂଶଧନ ଅଧିଗ୍ରହଣ ସହିତ, ଆମେ ଆମର ପ୍ରଶଂସକ ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ନୂତନ ସୁଯୋଗ ପାଇବା ପାଇଁ ଉତ୍ସାହିତ ଅଛୁ ।'
ଅନ୍ୟପଟେ CVCର ପରିଚାଳନା ପାର୍ଟନର ସିଦ୍ଧାର୍ଥ ପଟେଲ କହିଛନ୍ତି, 'ଆମେ ଏକ ଦୃଢ଼ ଆରମ୍ଭ ସହିତ ଭାରତୀୟ କ୍ରିକେଟରେ ପ୍ରବେଶ କରିଥିଲୁ- ପ୍ରଥମ ସିଜିନରେ IPL ଟାଇଟଲ୍ ଜିତିଥିଲୁ ଏବଂ ଦ୍ୱିତୀୟରେ ରନର୍ସ-ଅପ୍ ଭାବରେ ଶେଷ ଯାତ୍ରା କରିଥିଲୁ ।'
୨୦୨୨ ମସିହାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଗୁଜରାଟ ଟାଇଟାନ୍ସ ଏଣ୍ଟ୍ରି କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟାଇଟାନ୍ସ ପ୍ରଥମ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିଥିଲା । ୨୦୨୩ ମସିହାରେ ଚେନ୍ନାଇ ସୁପର କିଙ୍ଗସ୍ ଠାରୁ ପରାଜିତ ହୋଇ ରନର୍ସଅପ୍ ହୋଇଥିଲା । ୨୦୨୪ରେ ଅଷ୍ଟମ ସ୍ଥାନରେ ରହିଥିଲା ଟିମ୍ । ଗିଲ୍ ୨୦୨୫ ସଂସ୍କରଣ ପାଇଁ ମଧ୍ୟ ଦଳର ଅଧିନାୟକ ଅଛନ୍ତି ।
ଆଇପିଏଲ୍ ୨୦୨୫ ପାଇଁ ଗୁଜରାଟ ଟାଇଟାନ୍ସ ଦଳ: ଶୁଭମନ ଗିଲ୍ (କ୍ୟାପ୍ଟେନ), ଜୋସ ବଟ୍ଲର୍ (wk), ରାସିଦ ଖାନ, କାଗିସୋ ରାବାଡା, ଗ୍ଲେନ୍ ଫିଲିପ୍ସ, ସାଇ ସୁଦର୍ଶନ, ରାହୁଲ ତେୱତିଆ, ଶାହାରୁଖ ଖାନ, କରିମ ଜନତ, ଶେରଫେନ ରଦରଫୋର୍ଡ, ଜେରାଲ୍ଡ କୋଟିଜି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ନିଶାନ୍ତ ସିନ୍ଧୁ, ମହିପାଳ ଲୋମର, କୁମାର କୁଶାଗ୍ରା, ଅନୁଜ ରାୱତ (wk), ମାନଭ ସୂତାର, ୱାଶିଂଟନ୍ ସୁନ୍ଦର, ଅର୍ଶଦ ଖାନ, ଗୁରୁନୁର ବାର, ଆର. ସାଇ କିଶୋର, ଇଶାନ୍ତ ଶର୍ମା, ଜୟନ୍ତ ଯାଦବ, କୁଲୱନ୍ତ ଖେଜ୍ରୋଲିଆ ।