୩ୟ ଦିନିକିଆରେ ଶୁଭମନ ଗିଲ୍‌ଙ୍କ ନୂଆ କୀର୍ତ୍ତିମାନ, ଭାଙ୍ଗିଲେ ହାସିମ ଆମଲାଙ୍କ ରେକର୍ଡ

Published By : Prameya-News7 Bureau | February 12, 2025 IST

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ । ଇଂଲଣ୍ଡ ଅଧିନାୟକ ଜସ୍ ବଟଲର୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆର ଆରମ୍ଭ ନିରାଶଜନକ ଥିଲା।  ଅଧିନାୟକ ରୋହିତ ଶର୍ମା ମାତ୍ର ୧ ରନ କରି ଆଉଟ ହୋଇଥିଲେ। ଏହାପରେ ଶୁଭମନ ଗିଲ ଏବଂ ବିରାଟ କୋହଲି ଟିମ୍‌ର ଭାର ସମ୍ଭାଳିଥିଲେ । ଖବର ଲେଖା ଯିବା ସୁଦ୍ଧା ଗିଲ୍  ଅର୍ଦ୍ଧଶତକୀୟ ଇନିଂସ ଖେଳି ଶତକ ଆଡ଼କୁ ଅଗ୍ରସର ହେଉଛନ୍ତି । 

ତେବେ ଗିଲ୍‌ ଏହି ପାଳି ଖେଳି ବଡ ରେକର୍ଡ ନିଜ ନାଁରେ କରିଛନ୍ତି । ସେ ଦିନିକିଆ ଇତିହାସରେ ଦ୍ରୁତତମ ୨୫୦୦ ରନ ପୂରଣ କରିଥିବା ବ୍ୟାଟର ହୋଇଛନ୍ତି । ଶୁଭମନ ଗିଲ ୫୦ଟି ଦିନିକିଆ ମ୍ୟାଚ୍‌ରେ ଏହି ରନ୍‌ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଖେଳାଳି ହାସିମ ଆମଲାଙ୍କ ନାଁରେ ରହିଥିଲା । 

ହାସିମ ଆମଲା  ୫୧ ଇନିଂସରେ ୨୫୦୦ ରନ୍‌ ପୂରଣ କରିବାର ସଫଳ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଶୁଭମନ ଗିଲ ହାସିମ ଆମଲାଙ୍କୁ ପଛରେ ପକାଇଛନ୍ତି । ଏହି ତାଲିକାରେ ପାକିସ୍ତାନର ଇମାମ ଉଲ ହକ୍ ତୃତୀୟ ସ୍ଥାନରେ ଅଛନ୍ତି । ଇମାମ ଉଲ ହକ ୫୨ ଇନିଂସରେ ଏହି ସଫଳତା ହାସଲ କରିଥିଲେ।

ଦିନିକିଆ ଫର୍ମାଟରେ ୨୫୦୦ ରନ ସ୍କୋର କରିବାରେ ଚତୁର୍ଥ ଦ୍ରୁତତମ ବ୍ୟାଟର ହେଉଛନ୍ତି ପୂର୍ବତନ ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ଭିଭିଆନ୍ ରିଚାର୍ଡସ୍ । ସେ ୫୬ଟି ଦିନିକିଆ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଥିଲେ। ଏହାପରେ ଇଂଲଣ୍ଡ କ୍ରିକେଟର ଜୋନାଥନ ଟ୍ରଟ ରହିଛନ୍ତି। 

ଜୋନାଥନ ଟ୍ରଟ୍ ୫୬ ଇନିଂସରେ ଏହି ରନ୍‌ ସ୍କୋରରେ ପହଞ୍ଚିଥିଲେ। ବର୍ତ୍ତମାନ ଶୁଭମନ ଗିଲ ଏହି ତାଲିକାର ଶୀର୍ଷରେ ରହିଛନ୍ତି ।  ଶୁଭମନ ଗିଲ ୫୦ଟି ODI ମ୍ୟାଚରେ ଭାରତୀୟ ଦଳ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ଯେଉଁଥିରେ ଏହି ବ୍ୟାଟର  ୬୦.୩୮ ହାର ଏବଂ ୧୦୧.୭୨ ଷ୍ଟ୍ରାଇକ୍ ରେଟ୍‌ରେ ୨୫୩୬ ରନ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.