ଚାମ୍ପିୟନ ଟ୍ରଫି ପୂର୍ବରୁ ଆଉ ଏକ ସିରିଜ୍ ଘୋଷଣା, ୪ଟି T-20 ଖେଳିବା ପାଇଁ ଦ.ଆଫ୍ରିକା ଯିବ ଭାରତ

Published By : Prameya-News7 Bureau | June 21, 2024 IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବର୍ତ୍ତମାନ ସମୟରେ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଖେଳୁଛି । ରୋହିତ ବାହିନୀ ଟ୍ରଫି ଜିତିବା ପାଇଁ ବେଶ କସରତ କରୁଛି । ଯଦି ଭାରତୀୟ ଟିମ୍ ଫାଇନାଲ ଖେଳେ, ତେବେ ଜୁନ୍ ୨୯ରେ ହେବାକୁ ଥିବା ଏହି ମୁକାବିଲା ପରେ ଟିମ୍ ଦେଶକୁ ଫେରିବ । ତେବେ ଏହା ପରେ ବି ଖେଳାଳିଙ୍କ ଲମ୍ୱା ସିଡ୍ୟୁଲ୍ ରହିଛି । ଭାରତୀୟ ଟିମ୍ ଗୋଟିଏ ପରେ ଗୋଟିଏ ଅନେକ ସିରିଜ୍ ଖେଳିବ । ନିକଟରେ ବିସିସିଆଇ ଚାମ୍ପିୟନ ଟ୍ରଫି ଠିକ୍ ପୂର୍ବରୁ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ହୋମ୍ ସିରିଜ୍ ଘୋଷଣା କରିଥିଲା । ଏବେ ଏଥିରେ ଏବେ ଆଉ ଏକ ସିରିଜ୍ ଯୋଡ଼ି ହୋଇଛି, ଯେଉଁଥି ପାଇଁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ।

ଭାରତୀୟ କ୍ରିକେଟ୍ ଟିମ୍ ନଭେମ୍ୱରରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ସିରିଜରେ ଦୁଇଟି ଟିମ୍ ମଧ୍ୟରେ ୪ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳାଯିବ । କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସଏ) ଏହି ସିଡ୍ୟୁଲ୍ ଜାରି କରିଛି । ନଭେମ୍ୱର ୮ରୁ ଏହି ଶୃଙ୍ଖଳା ଆରମ୍ଭ ହୋଇ ନଭେମ୍ୱର ୧୫ରେ ଶେଷ ମ୍ୟାଚ୍ ଖେଳାଯିବ ।



ଟି-୨୦ ସିରିଜ ସିଡ୍ୟୁଲ୍

ପ୍ରଥମ ଟି-୨୦: ନଭେମ୍ୱର ୮, ଡରବନ

ଦ୍ୱିତୀୟ ଟି-୨୦: ନଭେମ୍ୱର ୧୦, ଗକେବରହା

ତୃତୀୟ ଟି-୨୦: ନଭେମ୍ୱର ୧୩, ସେଞ୍ଚୁରିୟନ

ଚତୁର୍ଥ ଟି-୨୦: ନଭେମ୍ୱର ୧୫, ଜୋହାନ୍ସବର୍ଗ

ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ଜିମ୍ୱାୱେ ଏବଂ ଶ୍ରୀଲଙ୍କା ବିପକ୍ଷରେ ସିରିଜ୍ ଖେଳିବ । ଏହାପରେ ବିସିସିଆଇର ଚଳିତ ସିଜିନ୍ ଶେଷ ହେବ । ଭାରତୀୟ ଟିମ୍‌ର ପରବର୍ତ୍ତୀ ସିଜିନ୍ ସେପ୍ଟେମ୍ୱରରୁ ଆରମ୍ଭ ହେବ ଏବଂ ଚାମ୍ପିୟନ ଟ୍ରଫି ପୂର୍ବରୁ ଟିମ୍ ମୋଟ ୫ଟି ସିରିଜ୍ ଖେଳିବାର ଅଛି । 

 

 

  • cricket
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.