ନୂଆଦିଲ୍ଲୀ: ଏସିସି ଅଣ୍ଡର-୧୯ ଏସିଆ କପ୍ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ୟୁଏଇକୁ ୧୦ ୱିକେଟ୍ରେ ପରାସ୍ତ କରି ଭାରତ ସେମିରେ ଏଣ୍ଟ୍ରି କରିଛି । ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ପ୍ରଥମ ମ୍ୟାଚ୍ ହାରିଥିବା ଭାରତ, ନିଜର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ଜାପାନ ଏବଂ ୟୁଏଇକୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି । ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ୟୁଏଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ୟୁଏଇ ଟିମ୍ ୪୪ ଓଭରରେ ୧୩୭ ରନ୍ରେ ସୀମିତ ହୋଇଥିଲା । ଭାରତ ପାଇଁ ଯୁଦ୍ଧଜିତ୍ ଗୁହା ସର୍ବାଧିକ ତିନି ୱିକେଟ୍ ନେଇଥିବା ବେଳେ ଚେତନ ଶର୍ମା ଏବଂ ହାର୍ଦ୍ଦିକ ରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ।
ୟୁଏଇର ୧୩୭ ରନ୍ ଜବାବରେ ଭାରତ ୧୬.୧ ଓଭରରେ ୧୪୩ ରନ୍ କରି ମ୍ୟାଚ୍ ନିଜ ନାଁରେ କରିଛି । ଭାରତ ପାଇଁ ମାତ୍ରେ ୬୭ ରନ୍ ଏବଂ ଚର୍ଚ୍ଚିତ ଯୁବ ବ୍ୟାଟର ସୂର୍ଯ୍ୟବଂଶୀ ୭୬ ରନ୍ କରିଛନ୍ତି । ଦୁଇ ଓପନର ଭାରତ ପାଇଁ ଜବରଦସ୍ତ ବ୍ୟାଟିଂ କରି ଟିମକୁ ସହଜ ବିଜୟ ଦେଇଛନ୍ତି । ଗ୍ରୁପ୍ ଏ’ରୁ ଭାରତ ଏବଂ ପାକିସ୍ତାନ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ସେମିଫାଇନାଲରେ ଭାରତର ମୁକାବିଲା ଶ୍ରୀଲଙ୍କା ସହ ହେବ । ଦ୍ୱିତୀୟ ସେମିଫାଇନାଲରେ ବାଂଲାଦେଶ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଡିସେମ୍ୱର ୬ରେ ଉଭୟ ସେମିଫାଇନାଲ ଖେଳାଯିବ ।
ଶ୍ରୀଲଙ୍କା ଏବଂ ପାକିସ୍ତାନ ଟିମ୍ ଏବେ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଅଛନ୍ତି । ଶ୍ରୀଲଙ୍କା ଗ୍ରୁପ୍ ବି’ରେ ବାଂଲାଦେଶ, ନେପାଳ ଏବଂ ଆଫଗାନିସ୍ତାନକୁ ହରାଇଛି । ଗ୍ରୁପ୍ ବି’ରୁ ଶ୍ରୀଲଙ୍କା ଏବଂ ବାଂଲାଦେଶ ସେନିଫାଇନାଲ ପାଇଁ କ୍ୱିଲାଫାଏ କରିଛନ୍ତି । ଟିମ୍ଗୁଡ଼ିକର ପ୍ରଦର୍ଶନ ଦେଖିବାକୁ ଗଲେ ଭାରତ ଏବଂ ପାକିସ୍ତାନ ଫାଇନାଲ୍ ପାଇଁ ପ୍ରବଳ ଦାବିଦାର । ଡିସେମ୍ୱର ୮ରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଫାଇନାଲ୍ ମୁକାବିଲା ଖେଳାଯିବ ।