ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପରଠୁ ଅଲ୍ରାଉଣ୍ଡର ଶିଭମ ଦୁବେଙ୍କୁ ଆଉ ଟିମରେ ସ୍ଥାନ ମିଳିନି । କିନ୍ତୁ ଆଇପିଏଲ୍ ପୂର୍ବରୁ ଶିଭମ ନିଜ ଜଲୱା ଦେଖାଇବା ଆରମ୍ଭ କରିଛନ୍ତି । ସୈୟଦ ମୁସ୍ତାକ୍ ଅଲି ଟ୍ରଫିରେ ଶିଭମଙ୍କ ବ୍ୟାଟରୁ ରନ୍ ବର୍ଷା ହୋଇଛି । ମୁମ୍ୱାଇ ପାଇଁ ଖେଳୁଥିବା ଏହି ଅଲରାଉଣ୍ଡର ସର୍ଭିସେସ୍ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରିଛନ୍ତି । ବଲରଙ୍କ ଉପରେ ପ୍ରଚଣ୍ଡ ପ୍ରହାର କରି ୧୯୧ ଷ୍ଟ୍ରାଇକ୍ ରେଟ୍ରେ ରନ୍ କରିଛନ୍ତି, ଯେଉଁଥିରେ ୭ ଛକା ସାମିଲ ରହିଛି ।
ସୈୟଦ ମୁସ୍ତାକ୍ ଅଲି ଟ୍ରଫିର ଗ୍ରୁପ୍ E ମ୍ୟାଚ୍ରେ ମୁମ୍ୱାଇ ଏବଂ ସର୍ଭିସେସ୍ ମଧ୍ୟରେ ହାଇଦ୍ରାବାଦରେ ମ୍ୟାଚ୍ ଖେଳାଯାଇଛି । ଆଜିର ଏହି ମ୍ୟାଚ୍ରେ ମୁମ୍ୱାଇ ପାଇଁ ଅଲରାଉଣ୍ଡର ଶିଭମ୍ ଦୁବେ ଖେଳିଛନ୍ତି ଏକ ସ୍ମରଣୀୟ ଇନିଂସ । ଶିଭମ୍ ଦୁବେ ପଡ଼ିଆକୁ ଓହ୍ଲାଇବା ସମୟରେ ମୁମ୍ୱାଇ ୩ ୱିକେଟ୍ ହରାଇ ୬୦ ରନ୍ କରିଥିଲା । କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ ୧୫ ରନ୍ କରି ଗୋଟିଏ ପଟେ ରହିଥାନ୍ତି । ଏହାପରେ ହୋଇଥିଲା ରନ୍ ବର୍ଷା । ଦୁହିଁଙ୍କ ମଧ୍ୟରେ ୧୧ ଓଭରରେ ୧୩୦ ରନ୍ ପାର୍ଟନରଶିପ୍ ହୋଇଥିଲା । ଏଥିରୁ ଶିଭମ୍ ଦୁବେ ୭୧ ରନ୍ କରିଥିବା ବେଳେ ସୂର୍ଯ୍ୟକୁମାରଙ୍କ ୭୦ ରନ୍ ରହିଛି । କିନ୍ତୁ ଦୁବେଙ୍କ ୩୫ ବଲରୁ ୭୧ ରନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଜି ମ୍ୟାଚ୍ରେ ଦୁବେଙ୍କ ବ୍ୟାଟରୁ ୭ ଛକା ଏବଂ ୨ଟି ଚୌକା ବାହାରିଛି । ଉଲ୍ଲେଖଯୋଗ୍ୟ ଯେ ଆଗାମୀ ଆଇପିଏଲ୍ ପାଇଁ ଶିଭମ୍ ଦୁବେଙ୍କୁ ୧୨ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗ୍ସ ରିଟେନ୍ କରିଛି ।
ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ୱାଇ ୪ ୱିକେଟ୍ ୧୯୨ ରନ୍ କରିଥିଲା । ଜବାବରେ ସର୍ଭିସେସ୍ ସମସ୍ତ ୱିକେଟ୍ ହରାଇ ୧୫୩ ରନ୍ରେ କରିଥିଲା । ମୁମ୍ୱାଇ ଏହି ମ୍ୟାଚ୍କୁ ୩୯ ରନ୍ରେ ଜିତି ନେଇଛି । ମୁମ୍ୱାଇ ୫ରୁ ୪ଟି ମ୍ୟାଚ୍ ଜିତି ଗ୍ରୁପ୍ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।