ଆମେରିକାରେ ଭାରତୀୟଙ୍କୁ ୩ ବର୍ଷ ଜେଲ୍‌; ମାନବ ଚାଲାଣ ମାମଲାରେ ୮୦୦ ଲୋକଙ୍କୁ କରିଥିଲା ବେଆଇନ୍‌ ସୀମାପାର୍‌

Published By : Prameya-News7 Bureau | June 28, 2023 IST

ୱାଶିଂଟନ ୨୮/୦୬: ଆମେରିକାରେ ଜଣେ ଭାରତୀୟଙ୍କୁ ମାନବ ଚାଲାଣ ଅଭିଯୋଗରେ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ରାଇଡ ହେଲିଂ ଆପ୍‌ ଉବର୍‌ର ବ୍ୟବହାର କରି ସେ ୮୦୦ରୁ ଅଧିକ ଲୋକଙ୍କୁ ଚାଲାଣ କରିଥିଲା। ଅଭିଯୁକ୍ତ ରାଜିନ୍ଦର ପାଲ ସିଂହକୁ ଫେବୃଆରୀରେ ଦୋଷୀ ସାବ୍ୟସ୍ଥ କରାଯାଇଥିଲା।

ଆମେରିକାର ନ୍ୟାୟ ବିଭାଗ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତିଯେ, ତସ୍କରି ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଭାବେ ସେ କାନାଡ଼ାରୁ ଶତାଧିକ ଭାରତୀୟଙ୍କୁ ସୀମା ପାର କରାଇଥଲା। ଏହି ସମୟରେ ସେ ନାଗରିକଙ୍କ ଠାରୁ ୫ ଲକ୍ଷରୁ ଅଧିକ ଆମେରିକିୟ ଡଲାର ନେଇଥିଲା। ମଙ୍ଗଳବାର ଆମେରିକାର ଜିଲ୍ଲା କୋର୍ଟ ମାନବ ଚାଲାଣ ଓ ମନି ଲଣ୍ଡ୍ରିଂ ମାମଲାରେ କାଲିଫର୍ଣ୍ଣିଆରେ ରହୁଥିବା ରାଜିନ୍ଦର ପାଲ ସିଂହକୁ ୪୫ ମାସ କାରାଦଣ୍ଡ ଦେଇଛନ୍ତି। ଆମେରିକାର କାର୍ଯ୍ୟକାରୀ ଆଟର୍ଣ୍ଣି ଟେସା ଏମ. ଗୋର୍ମନ କହିଛନ୍ତି ଗତ ଚାରି ବର୍ଷ ହେଲା ରାଜିନ୍ଦର ୮୦୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ଉତ୍ତର ସୀମା ଏବଂ ୱାଶିଂଟନ ଦେଇ ଆମେରିକାରେ ଚାଲାଣ କରିବାରେ ସାହାଜ୍ୟ କରୁଥିଲା।

ସେ ଆଟର୍ଣ୍ଣି ଆହୁରି କହିଛନ୍ତି ଅଭିଯୁକ୍ତର ଏପରି ହରକତ ଦ୍ୱାରା କେବଳ ୱାଶିଂଟନର ସୁରକ୍ଷାରେ କ୍ଷତି ନଥିଲା ବରଂ  ଭାରତରୁ ଆମେରିକା ପର୍ଯ୍ୟନ୍ତ ଚାଲୁଥିବା ତସ୍କରି ମାର୍ଗରେ ଚାଲାଣ କରି ଅଣାଯାଉଥିବା ଲୋକମାନଙ୍କର ସୁରକ୍ଷା ପ୍ରତି ମଧ୍ୟ ବିପଦ ଥିଲା। ସେ ଆମରିକାରେ ଭଲ ଜୀବନ ବଞ୍ଚିବାର ଆଶା ରଖିଥିବା ଲୋକମାନଙ୍କୁ କ୍ଷତି ପହଞ୍ଚାଇଛି ଏବଂ ସେମାନଙ୍କ ଉପରେ ୭୦ ହଜାର ଡଲାରର ରୁଣ ଭାର ମଧ୍ୟ ଲଦି ଦେଇଛି।

ସୂଚନାଥାଉକି, ୨୦୨୮ରୁ ରାଜିନ୍ଦର ସିଂହ ଓ ତାର ସହଯୋଗୀମାନେ କାନାଡ଼ାର ସିଏଲଟ ଅଞ୍ଚଳରେ ବେଆଇନ ସୀମା ପାର କରିଥିବା ଲୋକମାନଙ୍କ ପାଇଁ ଉବରର ଆପ୍‌ର ବ୍ୟବହାର କରିଥିଲେ। ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ରାଜିନ୍ଦର ଲୋକମାନଙ୍କର ଚାଲାଣ ପାଇଁ ୬୦୦ ଯାତ୍ରାର ଆୟୋଜନ କରିଥିଲା। ତଦନ୍ତ ବେଳେ ରାଜିନ୍ଦର ଘରୁ  ୪୫ହଜାର ଡଲାର ଓ କିଛି ନକଲି ଦସ୍ତାବିଜ ଜବତ ହୋଇଛି। ସେ ମଧ୍ୟ ବେଆଇନ ଭାବେ ଆମେରିକାରେ ରହୁଥିଲା। ଜେଲ୍‌ ଦଣ୍ଡ ସରିବା ପରେ ତାକୁ ନିର୍ବାସିତ କରାଯିବ ବୋଲି ଆଟର୍ଣ୍ଣି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.