‘ମେଡ୍‌ ଇନ୍‌ ଇଣ୍ଡିଆ’ ଲାପଟପ୍: ୮ ଭାରତୀୟ ନିର୍ମାତାଙ୍କ ସହ ହାତ ମିଳାଇଲା ସବୁଠୁ ବଡ଼ ଚିପ୍ କମ୍ପାନି

Published By : Prameya-News7 Bureau | November 03, 2023 IST

ନୂଆଦିଲ୍ଲୀ: ଗ୍ଲୋବାଲ ଚିପ୍‌ ନିର୍ମାତା ଇଣ୍ଟେଲ୍‌ ଭାରତର ଆଠ ଇଲେକ୍ଟ୍ରୋନିକ୍ସ ନିର୍ମାତାଙ୍କ ସହ ହାତ ମିଳାଇଛି। ଏହାଦ୍ବାରା ଭାରତରେ ହିଁ ଲାପ୍‌ଟପ୍‌ ତିଆରି କରାଯିବ। ଶୁକ୍ରବାର ଏନେଇ କମ୍ପାନି ତରଫରୁ ଘୋଷଣା କରାଯାଇଛି। ତେବେ ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ଭାରତ ସରକାର ‘ମେକ୍ ଇନ୍‌ ଇଣ୍ଡିଆ’କୁ ଅନୁଯାୟୀ ଲାପଟପ୍‌ ଏବଂ ପିସିର ଆମଦାନୀ ଉପରେ କଟକଣା ନିୟମ ଆଣିଛନ୍ତି।

ଏହି ଆଠ ନିର୍ମାତାଙ୍କ ମଧ୍ୟରେ ରହିଛନ୍ତି, ଭଗବତୀ ପ୍ରୋଡକ୍ଟସ, ଡିକ୍ସନ ଟେକ୍ନୋଲୋଜିସ୍‌ ଇଣ୍ଡିଆ, କେନିସ୍‌ ଟେକ୍ନୋଲୋଜି ଇଣ୍ଡିଆ, ଅପ୍ଟିମସ୍ସ ଇଲେକ୍ଟ୍ରୋନିକ୍ସ, ପାନାଚେ ଡିଜିଲାଇଫ୍‌, ସ୍ମାଇଲ ଇଲେକ୍ଟ୍ରୋନିକ୍ସ, ଶ୍ରୀରମା ଏସଜିସି ଟେକ୍ନୋଲୋଜୀ ଏବଂ ଭିଭିଡିଏସ ଟେକ୍ନୋଲୋଜିସ। ଏମାନଙ୍କ ମଧ୍ୟରୁ କିଛି ପ୍ରଥମ ଥର ଲାପ୍‌ଟପ୍‌ ନିର୍ମାଣ କରିବାକୁ ଯାଉଛନ୍ତି । ଆଉ ଇଣ୍ଟେଲର ସହାୟତାରେ ଏବଂ ବୈଶ୍ବିକ ଉପସ୍ଥିତି ସହ ଏମାନେ ବିଶ୍ବ ଏବଂ ଘରୋଇ ବଜାରରେ ଯୋଗାଣ କରିବେ।

ଆହୁରି ପଢ଼ନ୍ତୁ: ଲାପଟପ୍‌-ଟାବଲେଟ୍‌ ଆମଦାନୀ ପାଇଁ ୧୧୦ ଆବେଦନକୁ ମିଳିଲା ଅନୁମତି, ତାଲିକାରେ ରହିଛନ୍ତି ଏହି କମ୍ପାନି

କମ୍ପାନିର କହିବା ଅନୁଯାୟୀ, ଇଣ୍ଟେଲ ଏହି କମ୍ପାନିଙ୍କ ସହ ମିଶି ଏଣ୍ଟ୍ରି ଲେବୁଲ ଲାପଟପ୍‌ ତିଆରି ପାଇଁ ସମସ୍ତ ସହଯୋଗ କରିବ। ଏମିତିକି ଗୁଣବତ୍ତା ନିୟନ୍ତ୍ରଣ ପ୍ରକ୍ରିୟା ସ୍ଥାପିତ କରିବା ଏବଂ ବେଞ୍ଚମାର୍କିଂ ମଧ୍ୟ ସାମିଲ ରହିଛି। ଇଣ୍ଟେଲ ଇଣ୍ଡିଆର ଭାଇସ୍ ପ୍ରେସିଡେଣ୍ଟ କହିଛନ୍ତି ‘‘ଇଣ୍ଟେଲ ଏବଂ ଭାରତୀୟ ବିନିର୍ମାଣ ପରିସ୍ଥିତି ତନ୍ତ୍ର ମଧ୍ୟରେ ସହଯୋଗ ଇଲେକ୍ଟ୍ରୋନିକ୍ସ ଉଦ୍ଦ୍ୟୋଗ ପାଇଁ ଏକ ମହତ୍ବପୂର୍ଣ୍ଣ ସମୟ । ଏହାଦ୍ବାରା କେବଳ ଯେ, ଭାରତର ମେକ୍‌ ଇନ୍ ଇଣ୍ଡିଆ ସ୍ବପ୍ନ ପୂରଣ ହେବନି ବରଂ ଦେଶର ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ବେଶ୍‌ ଗୁରୁତ୍ବ ନିର୍ବାହ କରିବ।’’

ସେପଟେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଏଭଳି ଗ୍ଲୋବାଲ ସଂସ୍ଥା ଭାରତରେ ସହଭାଗିତା କରିବାକୁ ନେଇ ଖୁବ୍‌ ଖୁସିର କଥା। ଏହାଦ୍ବାରା ଦେଶରେ ଲାପ୍‌ଟପ୍‌ ଏବଂ କମ୍ପ୍ୟୁଟର ତିଆରି ପାଇଁ ଏକ ଉତ୍ତମ ମାହୋଲ ସୃଷ୍ଟି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.