ଭାରତରେ ୨୦୨୬ ସୁଦ୍ଧା ଆରମ୍ଭ ହୋଇପାରେ E-Air Taxis ସର୍ଭିସ୍,୯୦ କି.ମି ଯାତ୍ରାକୁ ଲାଗିବ ୭ ମିନିଟ୍‌

Published By : Prameya-News7 Bureau | November 09, 2023 IST

ନୂଆଦିଲ୍ଲୀ: ଭାରତକୁ ୨୦୨୬ ସୁଦ୍ଧା ପ୍ରଥମ ଫୁଲ୍-ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ମିଳିପାରେ । ଇଣ୍ଟରଗ୍ଲୋବ୍ ଏଣ୍ଟରପ୍ରାଇଜେସ୍ ୨୦୨୬ରେ ସାରା ଦେଶରେ ଏକ ଇ-ଏୟାର ଟ୍ୟାକ୍ସି ସର୍ଭିସ୍ ଆରମ୍ଭ କରିବା ପାଇଁ ଯୋଜନା ରଖିଛି । ଇଣ୍ଟରଗ୍ଲୋବ୍‌ ଏଣ୍ଟାରପ୍ରାଇଜେସ୍ ଏହି ସର୍ଭିସ୍ ଆମେରିକା ସ୍ଥିତ ଆର୍ଚର ଆଭିଏସନ୍ ସହ ମିଶି ଆରମ୍ଭ କରିପାରେ । ଇ-ଏୟାର ଟ୍ୟାକ୍ସ ସୁବିଧା ଉପରେ କମ୍ପାନି କହିଛି ଯେ ଦିଲ୍ଲୀରେ କାରରେ ଯେଉଁ ଯାତ୍ରାରେ ସାଧାରଣତଃ ୬୦ରୁ ୯୦ ମିନିଟ୍ ସମୟ ଲାଗିଥାଏ । ତାହା ଏୟାର ଟ୍ୟାକ୍ସିରେ ମାତ୍ର ୭ ମିନିଟ୍ ସମୟ ଲାଗିବ । ଦୁଇ କମ୍ପାନି ଭାରତରେ ଏକ ଫୁଲ୍-ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରିବା ଓ ଏହାର ପରିଚାଳନା ପାଇଁ ଏକ ଏମଓୟୁ ଉପରେ ହସ୍ତାକ୍ଷର କରିଛନ୍ତି । ତେବେ ଏହି ସବୁ ପାଇଁ ଏବେ ରେଗୁଲେସନ୍ ମଞ୍ଜୁରୀ ନେବାକୁ ପଡ଼ିବ ।

ରୟଟର୍ସର ରିପୋର୍ଟ ଅନୁସାରେ, କମ୍ପାନି ଏକ ବୟାନରେ କହିଛି ଯେ ଇଣ୍ଟରଗ୍ଲୋବ୍-ଆର୍ଚରର ଏହି ଉଡାଣ ଲକ୍ଷ୍ୟ ଯାତ୍ରୀଙ୍କୁ ରାଷ୍ଟ୍ରୀୟ ରାଜାଧାନୀର କନଟ୍ ପ୍ଲେସରୁ ହରିୟାଣାର ଗୁରୁଗ୍ରାମ ଯାଏ ମାତ୍ର ୭ ମିନିଟରେ ପହଞ୍ଚାଇ ପାରିବ । ଆର୍ଚର ଆଭିଏସନ୍ ଇଲେକ୍ଟ୍ରିକ୍ ଭର୍ଟିକଲ୍ ଟେକଅକ୍ ଓ ଲ୍ୟାଣ୍ଡିଂ (EVTOAL) ଆଭିଏସନର ଲିଡିଂ କମ୍ପାନି ।

ଲଜିଷ୍ଟିକ୍ସ ବ୍ୟବସାୟରେ ପ୍ରାୟ ୩୮ ପ୍ରତିଶତ ଭାଗିଦାରୀ ରଖୁଥିବା ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍ ଇ-ଏୟାର ଟ୍ୟାକ୍ସି ସର୍ଭିସ ସହ କାର୍ଗୋ, ଲଜିଷ୍ଟିକ୍ସ, ମେଡିକାଲ୍, ଏମରଜେନ୍ସି ଓ ଚାର୍ଟର ସର୍ଭିସ୍ ପାଇଁ ମଧ୍ୟ ଇ-ଏୟାରକ୍ରାଫ୍ଟର ବ୍ୟବହାର କରିବା ଯୋଜନା କରୁଛି । ଆର୍ଚର ଆଭିଏସନ୍ ଏକ ପବ୍ଲିକ୍ ଲିମିଟେଡ୍ କମ୍ପାନି । କାଲିଫର୍ଣ୍ଣିଆର ସୈନ ଜୋସ୍ ଅଞ୍ଚଳରେ ଏହାର ମୁଖ୍ୟାଳୟ ରହିଛି । ଏହି କମ୍ପାନି ଇଲେକ୍ଟ୍ରିକ୍ ଭର୍ଟିକଲ୍ ଟେକଅପ୍ ଓ ଲ୍ୟାଣ୍ଡିଂ ଏୟାରକ୍ରାଫ୍ଟ ନିର୍ମାଣ କରିଥାଏ । କ୍ରିସଲର-ପେରେଣ୍ଟ ଷ୍ଟେଲଣ୍ଟିସ, ବୋଇଂ ଓ ୟୁନାଇଟେଡ୍ ଏୟାରଲାଇନ୍ସ ଏହାର କର୍ପୋରେଟ୍ ସହଭାଗୀ ଅଟନ୍ତି ।

Also Read: ରାସ୍ତା ମଝିରେ ଛାଡ଼ି ଦେଇଥିଲେ ଟ୍ୟାକ୍ସି ଡ୍ରାଇଭର; ଜିଦ୍ ରୁ ଆରମ୍ଭ କଲେ ଗାଡ଼ି କମ୍ପାନୀ OLA

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.