ଆରସିବି ପରେ IPLରୁ ବାଦ୍ ପଡ଼ିବ ପଞ୍ଜାବ କିଙ୍ଗ୍ସ ? ମୁମ୍ବାଇ-ଦିଲ୍ଲୀ ଉପରେ ଝୁଲିଲା ଖଣ୍ଡା

Published By : Prameya-News7 Bureau | April 24, 2024 IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୪ ସିଜିନର ଓଲଟା ଗଣତି ଆରମ୍ଭ ହୋଇ ଯାଇଛି। ଟୁର୍ଣ୍ଣାମେଣ୍ଟର ଅଧା ମ୍ୟାଚ୍ ଖେଳ ସରିଲାଣି। ସବୁ ଦଳ ପ୍ଲେ ଅଫ ପାଇଁ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ଏହି ଲଢେଇରେ ରାଜସ୍ଥାନ ରୟାଲ୍ସ ସବୁଠୁ ଆଗରେ ଥିବା ବେଳେ ସବୁଠୁ ପଛରେ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସଞ୍ଜୁ ସାମସନଙ୍କ ଦଳ ୮ ମ୍ୟାଚ୍‌ରୁ ୭ ବିଜୟ ଏବଂ ୧୪ ପଏଣ୍ଟ ସହ ପ୍ଲେ ଅଫ୍‌ର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ଆଉ ଗୋଟିଏ ବିଜୟରେ ଦଳ ପ୍ଲେଅଫ୍‌ରେ ପ୍ରବେଶ କରିବା ସୁନିଶ୍ଚିତ ହୋଇଯିବ। ଅନ୍ୟପଟେ ଏମିତି ୪ଟି ଦଳ ରହିଛି ଯେଉଁମାନଙ୍କର ପ୍ଲେ ଅଫ ଦୌଡ଼ରୁ ବାଦ୍ ପଡ଼ିବାର ଆଶଙ୍କା ଦେଖା ଦେଇଛି।

Also read: IPLରେ କାହିଁକି ଲାଗିନି ସଚିନ୍‌ଙ୍କ ନିଲାମୀ ? କାରଣ ଥିଲା ଖୁବ୍ ରୋଚକ...

 ଆରସିବିର ଅବସ୍ଥା ସବୁଠୁ ଅଧିକ ଖରାପ ଥିବା ବେଳେ ପଞ୍ଜାବ କିଙ୍ଗ୍ସର ଅବସ୍ଥା ପ୍ରାୟ ସମାନ। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏବେ ସବୁ ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି। ଯଦି ଏହି ଦୁଇ ଦଳ ଗୋଟିଏ କି ଦୁଇଟି ମ୍ୟାଚ୍ ହାରନ୍ତି ତେବେ ପ୍ଲେଅଫ ଦୌଡ଼ରୁ ବାଦ୍ ପଡ଼ିବେ। ଏହିପରି ବେଙ୍ଗାଲୁରୁ, ପଞ୍ଜାବ, ମୁମ୍ବାଇ ଓ ଦିଲ୍ଲୀ ପାଇଁ ପ୍ଲେ ଅଫରେ ପହଞ୍ଚିବା ମୁସ୍କିଲ ଲାଗୁଛି।

ଆରସିବି

ଏହି ସିଜିନରେ ବିରାଟ କୋହଲିଙ୍କ ଦଳ ଏ ପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳି ୭ଟି ହାରି ସାରିଛି। ଦଳ ପଏଣ୍ଟ ଟେବୁଲର ସର୍ବନିମ୍ନ ୧୦ମ ସ୍ଥାନରେ ରହିଛି। ବେଙ୍ଗାଲୁରୁ ଯଦି ନିଜର ଅବଶିଷ୍ଟ ୬ଟି ମ୍ୟାଚ୍ ଜିତି ନିଏ ତେବେ ଦଳର ପଏଣ୍ଟ ୧୪ରେ ପହଞ୍ଚିବ। ଏମିତି ସ୍ଥିତିରେ ଆରସିବିର ପ୍ଲେ ଅଫ୍‌ରେ ପହଞ୍ଚିବା ଅସମ୍ଭବ ଲାଗୁଛି।

ପଞ୍ଜାବ କିଙ୍ଗ୍ସ

ଅନ୍ୟପକ୍ଷେ ଶିଖର ଧାଓ୍ଵନଙ୍କ ପଞ୍ଜାବ କିଙ୍ଗ୍ସ ମଧ୍ୟ କର ବା ମର ସ୍ଥିତି ଦେଇ ଗତି କରୁଛି। ୮ଟି ମୁକାବିଲାରୁ ଦଳ ମାତ୍ର ୨ଟି ଜିତି ପାରିଛି।ଦଳ ବର୍ତ୍ତମାନ ନବମ ସ୍ଥାନରେ ରହିଛି। ଯଦି ଦଳ ଆଉ ଗୋଟିଏ ମ୍ୟାଚ୍ ହାରେ ତେବେ ଦଳର ସ୍ଥିତି ବେଙ୍ଗାଲୁରୁ ପରି ହେବ। ଦଳର ପରବର୍ତ୍ତୀ ମ୍ୟାଚ୍‌ରେ ଚେନ୍ନାଇ, ହାଇଦ୍ରାବାଦ ଓ କୋଲକାତାକୁ ଭେଟିବ। ଏହି ଦଳ ପଞ୍ଜାବର ଅଙ୍କ ବିଗାଡ଼ି ପାରନ୍ତି।

ମୁମ୍ବାଇ ଓ ଦିଲ୍ଲୀ 

ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ଦଳର ସ୍ଥିତି ସମାନ ରହିଛି। ଉଭୟ ବରାବର ୮ଟି ଖେଳି ୩ ବିଜୟ ଓ ୫ଟିରେ ପରାଜିତ ହୋଇଛନ୍ତି। ଦୁଇ ଦଳ ଏବେ ୬-୬ ମ୍ୟାଚ୍ ଖେଳ ବାକି ରହିଛି। ଯଦି ଏହି ଦୁଇ ଦଳ ନିଜର ସମସ୍ତ ମ୍ୟାଚ୍ ଜିତନ୍ତି ତେବେ ୧୮ ପଏଣ୍ଟ ସହ ପ୍ଲେ ଅଫ୍‌ରେ ପ୍ରବେଶ କରି ପାରିବେ। ଯଦି ପରବର୍ତ୍ତୀ ୫ଟି ମ୍ୟାଚ୍ ଜିତନ୍ତି ତେବେ ପଏଣ୍ଟ ସଂଖ୍ୟା ୧୬ ହେବ। ଏମିତି ସ୍ଥିତିରେ ନେଟ୍ ରନ ରେଟ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କିନ୍ତୁ ଗୋଟିଏରୁ ଅଧିକ ମ୍ୟାଚ୍ ହାରିଲେ ଦୁଇ ଦଳର ପ୍ଲେ ଅଫ୍‌ରେ ପହଞ୍ଚିବା ମୁସ୍କିଲ ହୋଇଯିବ। 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.