ନୂଆଦିଲ୍ଲୀ ୧୯/୦୪: ରାଜସ୍ଥାନ ରୟାଲ୍ସ ବା ପିଙ୍କ ଆର୍ମି । ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଜାରି ରହିଛି ଖରାପ ପ୍ରଦର୍ଶନ । ୨୦୦୮ ସିଜିନର ଚାମ୍ପିଅନ୍ ଦଳ ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ IPL ୨୦୨୫ରେ ୭ଟି ମ୍ୟାଚ୍ ଖେଳିଛି । ସେଥିରୁ କେବଳ ୨ଟି ମ୍ୟାଚ୍ ଜିତିବା ସହ ୫ଟିରେ ହାରିଛି । ଏବେ ରାଜସ୍ଥାନ ରୟାଲ୍ସ ତାର ୮ମ ମ୍ୟାଚ୍ ୧୯ ଏପ୍ରିଲ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ବିପକ୍ଷରେ ଖେଳିବ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ ଏହି ମ୍ୟାଚ୍ ।
ତେବେ ଏହି ମ୍ୟାଚ୍ ପାଇଁ ରାଜସ୍ଥାନ ରୟାଲ୍ସ ଦଳରେ କିଛି ପରିବର୍ତ୍ତନ କରିପାରେ ବୋଲି ଶୁଣିବାକୁ ମିଳୁଛି । ତେବେ ରାଜସ୍ଥାନ ଟିମ୍ରେ ପୂର୍ବରୁ ଜଣେ ଖେଳାଳି ଅଛନ୍ତି, ଯିଏକି ରେକର୍ଡ ଅପେକ୍ଷାରେ । ଆଜ୍ଞା ହଁ ଆମେ କହୁଛୁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ କଥା । ଆଇପିଏଲ୍ ଭିତରେ ସେ ୧୩ ରୁ ୧୪ ବର୍ଷର ହୋଇଗଲେଣି । କିନ୍ତୁ ଏପର୍ଯ୍ୟନ୍ତ IPLରେ ଡେବ୍ୟୁ କରିବାର ସୁଯୋଗ ମିଳିନାହିଁ । ନେଟ୍ସରେ କଠିନ ଅଭ୍ୟାସ ପରେ ବି ଚାନ୍ସ ମିଳୁନି । ନିକଟରେ ପ୍ରାକ୍ଟିସ୍ ସେସନରେ ସେ ଜୋଫ୍ରା ଆର୍ଚରଙ୍କ ବଲ୍କୁ ଯେପରି ଖେଳିଥିଲେ ତାହା ଇଂଲଣ୍ଡ ଦ୍ରୁତ ବୋଲରଙ୍କୁ ତାଜୁବ କରିଥିଲା।
Vaibhav vs Archer. Where else if not the IPL?! 💗 pic.twitter.com/pHtA0qpuN5
— Rajasthan Royals (@rajasthanroyals) April 12, 2025
ରାଜସ୍ଥାନ ରୟାଲ୍ସର ଇତିହାସ କୁହେ ଯେ ସେମାନେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ କେବେ ପଛଘୁଞ୍ଚା ଦିଅନ୍ତିନି । ପ୍ରଥମ ସିଜିନରେ ସେ ରବିନ୍ଦ୍ର ଜାଡେଜା ଏବଂ ୟୁସୁଫ ପଠାନଙ୍କ ଭଳି ଖେଳାଳିଙ୍କ ଉପରେ ଭରିଥିଲା ଦଳ । ସେତେବେଳେ ଦୁହେଁ କ୍ରିକେଟ ଜଗତର ବଡ଼ ନାମ ନଥିଲେ। ତଥାପି, ଦୁହେଁ ଚମତ୍କାର ପ୍ରଦର୍ଶନ କରି ଦଳକୁ ଆଇପିଏଲ ଚାମ୍ପିଅନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ପରେ ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନ, ଯଶାସଭି ଜୈସୱାଲ, ରିୟାନ ପରାଗ ଏବଂ ଜୋଫ୍ରା ଆର୍ଚରଙ୍କ ପାଇଁ ନିବେଶ ବି କରିଥିଲା ।
ଏବେ ଯଦି ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳେ, ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । ଆଇପିଏଲ ୨୦୨୫ ମେଗା ନିଲାମ ସମୟରେ ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଥିଲା। ଏହାସହ, ବୈଭବ ଆଇପିଏଲ ଚୁକ୍ତି ପାଇବାରେ ସବୁଠାରୁ କମ୍ ବୟସ୍କ ଖେଳାଳି । ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ବୈଭବଙ୍କ ବିଷୟରେ ପିଜିଟିଭ୍ ଚିନ୍ତା କରୁଛନ୍ତି । ବୈଭବଙ୍କଠାରୁ ତାଙ୍କର ବହୁତ ଆଶା ବି ଅଛି।
କାରଣ ବୈଭବ ସୂର୍ଯ୍ୟବଂଶୀ ବିହାର ପାଇଁ ଖେଳନ୍ତି ଘରୋଇ କ୍ରିକେଟ୍ । ବୈଭବ ଚଳିତ ବର୍ଷ ଜାନୁଆରୀରେ ମୁମ୍ବାଇ ବିପକ୍ଷରେ ତାଙ୍କର ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ। ବୈଭବ ଏପର୍ଯ୍ୟନ୍ତ ବିହାର ପାଇଁ ୫ଟି ପ୍ରଥମ ଶ୍ରେଣୀ, ୬ଟି ଲିଷ୍ଟ-ଏ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳି ମୋଟ ୨୪୫ ରନ୍ କରିଛନ୍ତି । ବୈଭବ ୨୦୨୪ ମସିହାରେ ମଧ୍ୟ ୧୯ ବର୍ଷରୁ କମ୍ ଏସିଆ କପରେ ଭାରତୀୟ ଦଳର ଅଂଶ ଥିଲେ । ସେହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ବାଂଲାଦେଶଠାରୁ ପରାସ୍ତ ହୋଇଥିଲା ।