IPL ରିଟେନ୍‌ସନ୍‌ ଉପରେ ବଡ଼ ନିଷ୍ପତ୍ତି, ୫ ଖେଳାଳିଙ୍କ ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ୭୫ କୋଟି ଟଙ୍କା

Published By : Prameya-News7 Bureau | September 28, 2024 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପାଇଁ ସବୁ ଟିମ୍ ପାଖରେ ପାଞ୍ଚ ଖେଳାଳିଙ୍କୁ ରିଟେନ୍ କରିବାର ଅଧିକାର ମିଳିବ । ଏହା ବ୍ୟତୀତ ଟିମ୍ ପାଖରେ ନିଲାମୀ ସମୟରେ ଗୋଟିଏ ରାଇଟ୍ ଟୁ ମ୍ୟାଚ୍ କାର୍ଡର ମଧ୍ୟ ବିକଳ୍ପ ରହିବ । କ୍ରିକ୍‌ବଜ୍‌ ରିପୋର୍ଟ ଅନୁସାରେ ୫ ଖେଳାଳିଙ୍କୁ ରିଟେନ୍ କରିବା ପାଇଁ ଫ୍ରାଞ୍ଚାଇଜିଗୁଡ଼ିକୁ ୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ଶନିବାର ସେପ୍ଟେମ୍ୱର ୨୮ରେ ବେଙ୍ଗାଲୁରୁରେ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକ ହୋଇଥିଲା, ଯେଉଁଠି ରିଟେନ୍‌ସନ୍ ନିୟମ ଉପରେ ନିଷ୍ପତ୍ତି ହୋଇଛି । ବୋର୍ଡ ଏହା ପୂର୍ବରୁ ଜୁଲାଇରେ ସମସ୍ତ ୧୦ ଫ୍ରାଞ୍ଚାଇଜି ମାଲିକଙ୍କ ସହ ବୈଠକ କରିଥିଲା । ବୈଠକରେ ମାଲିକଙ୍କଠାରୁ ବୋର୍ଡକୁ ରିଟେନ୍‌ସନ୍ ନିୟମ ଉପରେ ମତାମତ ମିଳିଥିଲା । ଏବେ ପ୍ରାୟ ୨ ମାସ ପରେ ବୋର୍ଡ ନିଜ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି ।

ରିପୋର୍ଟ ଅନୁସାରେ ବିସିସିଆଇ ରିଟେନ୍‌ସନ୍ ସଂଖ୍ୟାକୁ ୪ରୁ ବଢାଇ ୬ କରିଛି, ଯେଉଁଥିରେ ରାଇଟ୍ ଟୁ ମ୍ୟାଚ୍ ବି ସାମିଲ ରହିଛି । ଏହା ପୂର୍ବରୁ ବିସିସିଆଇ ୨୦୧୮ ମେଗା ନିଲାମୀରେ ୩ ଖେଳାଳିଙ୍କୁ ରିଟେନ ଏବଂ ୨ ଜଣଙ୍କୁ ରାଇଟ୍ ଟୁ ମ୍ୟାଚ୍ ଜରିଆରେ ରିଟେନ କରିବା ନିୟମ ଆରମ୍ଭ କରିଥିଲା । କିନ୍ତୁ ୨୦୨୨ର ମେଗା ଅକ୍ସନରେ ଏହାକୁ ହଟା ଦିଆଯାଇଥିଲା । ସେତେବେଳେ ଟିମ୍‌କୁ ସିଧା ୪ ଖେଳାଳିଙ୍କୁ ରିଟେନ୍ କରିବା ପାଇଁ ଅଧିକାର ଦିଆଯାଇଥିଲା । ଏବେ ପୁଣି ଥରେ ଆରଟିଏମ୍ ଫେରିଛି । ତେବେ ୫ ଖେଳାଳିଙ୍କୁ ରିଟେନ କରିବା ପାଇଁ ୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଟିମଗୁଡ଼ିକୁ ନିଲାମୀରେ କେବଳ ୪୫ କୋଟି ଟଙ୍କା ସହ ବଳକା ୨୦ ଖେଳାଳିଙ୍କୁ କିଣିବାକୁ ପଡ଼ିବ । ତେବେ ଆଗାମୀ ନିଲାମୀ ପାଇଁ ପ୍ରତ୍ୟକ ଟିମର ପର୍ସରେ ୧୨୦ କୋଟି ଟଙ୍କା ରହିପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.