ବରିଷ୍ଠ IPS ସ୍ତରରେ ଅଦଳବଦଳ, ଏସ୍‌ଏମ୍ ନରୱଣେ OHRCର ସ୍ୱତନ୍ତ୍ର ଡିଜି, ନରସିଂହ ଭୋଳ ଟ୍ୱିନ୍ ସିଟିର ଅତିରିକ୍ତ ସିପି

Published By : Prameya-News7 Bureau | February 28, 2025 IST

ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଡିଜି, ଏଡିଜିପି, ଆଇଜିପି ରାଙ୍କର ଅଧିକାରୀଙ୍କୁ ନୂଆ ଦାୟିତ୍ୱରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହାସହ ଟ୍ୱିନସିଟି ଡିସିପି ଓ ଅନ୍ୟ ଜିଲ୍ଲାଗୁଡ଼ିକର ଏସପିଙ୍କ ବଦଳି କରାଯାଇଛି । ୧୯୮୯ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ଏସ୍‌ଏମ୍ ନରୱଣେଙ୍କୁ OHRCର ସ୍ୱତନ୍ତ୍ର ଡିଜି ନିଯୁକ୍ତ କରାଯାଇଛି । ସେହିପରି ବର୍ତ୍ତମାନରେ ଓଏସଆରଟିସିର ସିଏମଡି ଥିବା ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପ୍ରକାଶନ ନିର୍ଦ୍ଦେଶକ କରାଯାଇଛି ।

ବରିଷ୍ଠ ଆଇପିଏସ୍ ୟତିନ୍ଦ୍ର କୋୟଲଙ୍କୁ ଏଚ୍‌ଆର୍‌ପିସିର ଏଡିଜିପି ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଆଇପିଏସ୍ ଏସ୍.ପ୍ରବୀଣ କୁମାର କେନ୍ଦ୍ରାଞ୍ଚଳ ଆଇଜିପି ହୋଇଛନ୍ତି । ଅବକାରୀ କମିଶନର ଭାବେ ବର୍ତ୍ତମାନରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ୍ ନରସିଂହ ଭୋଳଙ୍କୁ ଭୁବନେଶ୍ୱର-କଟକର ଅତିରିକ୍ତ ପୋଲିସ କମିଶନର ଭାବେ ନୂତନ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।  

ଆଇପିଏସ୍ ଦୀପକ କୁମାରଙ୍କୁ ଆଇଜିପି ଅପରେସନ ନିଯୁକ୍ତ କରାଯାଇଛି । ସେହିପରି ଆଇଜିପି ଅପରେସନ ଥିବା ଆଇପିଏସ୍ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗର ଆଇଜି ନିଯୁକ୍ତ କରାଯାଇଛି । ଦକ୍ଷିଣାଞ୍ଚଳ ଆଇଜି ଥିବା ବରିଷ୍ଠ ଆଇପିଏସ୍ ଅଫିସର ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି-ସିବିର ଆଇଜି ଭାବେ ନିଯୁକ୍ତି ମିଳିଛି । ଆଇପିଏସ୍ ନୀତି ଶେଖର ଦକ୍ଷିଣାଞ୍ଚଳ ଆଇଜି ହୋଇଛନ୍ତି । ବର୍ତ୍ତମାନରେ ଟ୍ୱିନ୍ ସିଟିର ଅତିରିକ୍ତ ସିପି ଥିବା ଉମାଶଙ୍କର ଦାସଙ୍କୁ ହୋମଗାର୍ଡ ଓ ଅଗ୍ନିଶମ ବାହିନୀର ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି ।

ଡିଆଇଜି ଅପରେସନ ଥିବା ଆଇପିଏସ୍ ଅଖିଳେଶ୍ୱର ସିଂହଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଜିଆଇଜି ଭାବେ ନିଯୁକ୍ତି ମିଳିଛି । ଭୁବନେଶ୍ୱର ଡିସିପି ଥିବା ପୀନାକ ମିଶ୍ରଙ୍କୁ ଏସଟିଏଫର ଡିଆଇଜି କରାଯାଇଛି । କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନୂତନ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେହିପରି ବର୍ତ୍ତମାନ ବଲାଙ୍ଗୀର ଏସପି ଥିବା ୨୦୧୬ ବ୍ୟାଚର ଆଇପିଏସ୍ ଅଫିସର ଖିଲାରୀ ରିଷିକେଶ ଧ୍ୟାନେଦୋ କଟକ ଡିସିପି ହୋଇଛନ୍ତି । କଳାହାଣ୍ଡି ଏସପି ଥିବା ଅଭିଳାଶ ଜି ବଲାଙ୍ଗୀର ଏସପି ହୋଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.