ଆନନ୍ଦପୁର: ରାସ୍ତା କାମ ନାଁରେ ଠିକାଦାର କାଟିଦେଲେ ଅନେକ ମୂଲ୍ୟବାନ ଗଛ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିବାବେଳେ, ବିନା ଅନୁମତିରେ କିଭଳି ଏଭଳି କାମ କରାଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ। ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ରେ।
ସୂଚନା ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ଭଗାନଈ ଠାରୁ ଭାୟା କାନପୁର ଦେଇ ମଦନପୁର ଯାଇଥିବା ରାସ୍ତାର ଉନ୍ନତିକରଣ କାମ ଜାରି ରହିଛି। ଯାହାର ଠିକା ପୂର୍ତ୍ତ ବିଭାଗ ଟେଣ୍ଡର ମାଧ୍ୟମରେ ଏକ ସଂସ୍ଥାକୁ ଦେଇଛି। ହେଲେ ଏହି ସଂସ୍ଥା ନିର୍ମାଣ ନାଁରେ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଅନେକ ମୁଲ୍ୟବାନ ଛୋଟ ବଡ଼ ଗଛ ସବୁ ବିନା ଅନୁମତିରେ ମେସିନ୍ ଲଗାଇ ଓପାଡ଼ି ଦେଇଛି । ଯାହାକୁ ବିରୋଧ କରିଛନ୍ତି ଭଗାନଈ ଗ୍ରାମବାସୀ ।
ଖାଲି ସେତିକି ନୁହେଁ ବନ ବିଭାଗ ଓ ତହସିଲକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ବ୍ଲକ୍ର ଅନେକ ଗ୍ରାମବାସୀ । ଏହା ସହ ସେମାନେ ପ୍ରଶ୍ନ କରିଛନ୍ତି, ଯଦି ଏସବୁକୁ କଟାଯିବାର ଥିଲା ତେବେ ବହୁଦିନରୁ କାହିଁକି ରକ୍ଷଣାବେକ୍ଷଣ କରାଯାଉଥିଲା ? ତେବେ ଖୁବ୍ ଶୀଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଘଟଣାରେ ବନବିଭାଗ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।