ଇରାନକୁ ଏବେ ଛାଡିବନି ଇସ୍ରାଏଲ, ସାମ୍ନାକୁ ଆସିଲା ନେତନ୍ୟାହୁଙ୍କ ‘ରିଭେଞ୍ଜ ପ୍ଲାନ’

Published By : Prameya-News7 Bureau | October 02, 2024 IST

ଜେରୁଜେଲମ ୨।୧୦:  ଇସ୍ରାଏଲ ଉପରେ ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଛି, ଫଳରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢିଯାଇଛି। ଏବେ ଏହି କ୍ଷେତ୍ର ଏକ ସମ୍ପୂର୍ଣ୍ଣ ଯୁଦ୍ଧ ମୁହଁରେ ଛିଡା ହୋଇଛି, କାରଣ ଇସ୍ରାଏଲ ଏବେ ଇରାନକୁ ଜବାବ ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତି କରୁଛି। ଏକ ରିପୋର୍ଟରୁ ଇସ୍ରାଏଲ ଏବେ ଇରାନର ତୈଳ ଉତ୍ପାଦନ କେନ୍ଦ୍ରଗୁଡିକୁ ଟାର୍ଗେଟ କରିବାର ଯୋଜନା କରୁଥିବା ଜଣାପଡିଛି। 

ଇସ୍ରାଏଲୀ ଅଧିକାରୀଙ୍କ ଅନୁସାରେ ସେମାନଙ୍କ ଦେଶ କିଛି ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଜବାବି କାର୍ଯ୍ୟାନୁଷ୍ଠାନ କରିବ ଓ ଇରାନ ଭିତରେ ତୈଳ ଉତ୍ପାଦନ କେନ୍ଦ୍ର ସହିତ ଅନ୍ୟ ରଣନୈତିକ ସ୍ଥଳ ମଧ୍ୟ ଇସ୍ରାଏଲ ଆକ୍ରମଣର ଶିକାର ହୋଇପାରେ। ଟାର୍ଗେଟ୍ କିଲିଂ ଓ ଇରାନର ବାୟୁରକ୍ଷା ପ୍ରଣାଳୀ ଧ୍ୱଂସ କରିବାକୁ ଇସ୍ରାଏଲର ଜବାବି କାର୍ଯ୍ୟାନୁଷ୍ଠାନ ଅଂଶ ବିଶେଷ ହୋଇପାରେ।  ସେହିପରି ଦେଶର ଭିତ୍ତିଭୂମି ସଂରଚନା ନଷ୍ଟ କରିବା ପାଇଁ ଯୁଦ୍ଧ ବିମାନ ଦ୍ୱାରା ଆକ୍ରମଣ ବି କରାଯାଇ ପାରେ। 

ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ କିଛି ମାସ ପୂର୍ବେ ହମାସ ନେତା ଇସ୍ମାଇଲ ହନିୟେହକୁ ହତ୍ୟା କରିବା ପାଇଁ ଚଳାଯାଇଥିବା ଅଭିଯାନ ଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ। ଇସ୍ରାଏଲ ଉପରକୁ ବାଲିଷ୍ଟିକ୍ ମିଜାଇଲ ଆକ୍ରମଣ ପରେ ଇରାନ ରିଭଲ୍ୟୁସନାରୀ ଗାର୍ଡ (ଆଇଆରଜିସି) କହିଛି ଯେ ସେ ତେଲଆଭିବ ନିକଟରେ ୩ଟି ସୈନ୍ୟ ଠିକଣାକୁ ଟାର୍ଗେଟ କରିଛି। ଏହି ଆକ୍ରମଣ ଲେବାନନର ବେରୁଟରେ ହିଜବୁଲ ନେତା ହସନ ନସରଲ୍ଲା ଓ ହନିୟେହ ଙ୍କ  ହତ୍ୟାର ପ୍ରତିଷୋଧରେ କରାଯାଇଛି। 

ତେବେ ଇରାନର ଏହି ଆକ୍ରମଣ ବିରୋଧରେ ଆମେରିକା ଓ ବ୍ରିଟେନ ଇସ୍ରାଏଲକୁ ସହାୟତା କରିଛନ୍ତି। ଏଥିରେ ବ୍ରିଟିଶ ଫାଇଟର ଜେଟ୍ ଇରାନ ଆକ୍ରମଣର ମୁକାବିଲା କରିଥିବା ବେଳେ ପୂର୍ବ ଭୂମଧ୍ୟ ସାଗରରେ ଆମେରିକୀୟ ଡିଷ୍ଟ୍ରୟର ଇରାନର ଅନେକ କ୍ଷେପଣାସ୍ତ୍ରକୁ ଖସାଇ ଦେଇଥିବା ଆମେରିକୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ଅନ୍ତର୍ଜାତୀୟ କଟକଣାରେ ତୈଳ ଇରାନର ଆର୍ଥିକ ସ୍ଥିରତାର ସବୁଠୁ ବଡ଼ ସ୍ରୋତ  ହୋଇ ରହିଛି। ଇରାନ ତୈଳ ଉତ୍ପାଦକ ଦେଶ ଓପେକ ସମୂହରେ ତୃତୀୟ ସବୁଠୁ ବଡ଼ ଉତ୍ପାଦକ। 

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆକ୍ରମଣ ପରେ ତେହେରାନକୁ କଡ଼ା ଚେତାବନୀ ଦେଇଛନ୍ତି। କହିଛନ୍ତି ଇରାନ ଆଜି ରାତିରେ ଏକ ବଡ ଭୁଲ କରିଦେଇଛି ଓ ତାକୁ ଏହାର ମୂଲ୍ୟ ଦେବାକୁ ହେବ। ଅନ୍ୟପଟେ ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚୀ କହିଛନ୍ତି ଯେ ମୁଁ ଭାବୁଛି ଯେଉଁ ପର୍ଯ୍ୟନ୍ତ ଇସ୍ରାଏଲ ଶାସନ ପରବର୍ତ୍ତି ଜବାବି କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନ ନେଇଛି ସେ ପର୍ଯ୍ୟନ୍ତ ମାମଲା ସମାପ୍ତ ହୋଇସାରିଛି। ଏପରି ପରିଦୃଶ୍ୟରେ ଆମର ପ୍ରତିକ୍ରିୟା ଅଧିକ ମଜଭୁତ ଓ ଅଧିକ ଶକ୍ତିଶାଳୀ ହେବ। 

ଇରାନ  ରିଭଲ୍ୟୁସନାରୀ ଗାର୍ଡର ଜନୈକ ବରିଷ୍ଠ ଅଧିକାରୀ ଏକ ବୟାନରେ କହିଛନ୍ତି ଯେ ଇସ୍ରାଏଲର କୌଣସି ପ୍ରତିକ୍ରିୟା ତାର ଭିତ୍ତିଭୂମି ବିନାଶ ସହ ଆରମ୍ଭ ହେବ। ଏଣୁ ଏଥିରେ ଇସ୍ରାଏଲର ସହଯୋଗୀମାନଙ୍କୁ ସାମିଲ ନ ହେବାକୁ ସେ ସତର୍କ କରିଛନ୍ତି। ଏହା ସହିତ ସେ ସହଯୋଗୀଙ୍କ ଆଞ୍ଚଳିକ ସମ୍ପତ୍ତି କ୍ଷୟକ୍ଷତି ନେଇ ମଧ୍ୟ ସତର୍କ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.