ଶାନଦାର୍‌ ଅଲରାଉଣ୍ଡର ଥିଲେ ମହାତ୍ମାଗାନ୍ଧୀ, ଜାଣନ୍ତୁ ବୋଲିଂ ଏବଂ ବ୍ୟାଟିଂରେ କେମିତି ଥିଲା ପ୍ରଦର୍ଶନ

Published By : Prameya-News7 Bureau | October 02, 2024 IST

ନୂଆଦିଲ୍ଲୀ ୦୨।୧୦: ଦେଶ ପାଳୁଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ । ଦେଶର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କୁ କରାଯାଉଛି ସ୍ମରଣ । ବ୍ରିଟିଶମାନଙ୍କ ବିରୋଧରେ ଲଢେଇ କରିବା ପାଇଁ ମହାତ୍ମା ଗାନ୍ଧୀ ପ୍ରସିଦ୍ଧ । କିନ୍ତୁ ଜାଣନ୍ତି କି ମହାତ୍ମା ଗାନ୍ଧୀ କ୍ରିକେଟ୍ ପାଇଁ ଥିଲେ ପାଗଳ । ତେବେ ଏନେଇ ଏକ ପୁସ୍ତକରେ କରାଯାଇଛି ଉଲ୍ଲେଖ । ମହାତ୍ମା ଗାନ୍ଧୀଙ୍କ ଆତ୍ମଜୀବନୀ ଅନୁଯାୟୀ, ବାପୁ ତାଙ୍କ ସ୍କୁଲ ଦିନରେ ଶାରୀରିକ ବ୍ୟାୟାମ କରିବାକୁ ପସନ୍ଦ କରୁନଥିଲେ । କିନ୍ତୁ କ୍ରିକେଟ୍ ପ୍ରତି ଗାନ୍ଧିଜୀଙ୍କ ଉତ୍ସାହ ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣା । 

'ମହାତ୍ମା ଅନ୍ ଦ ପିଚ୍: ଗାନ୍ଧୀ ଆଣ୍ଡ କ୍ରିକେଟ୍ ଇନ୍ ଇଣ୍ଡିଆ' ନାମକ ପୁସ୍ତକରେ ମହାତ୍ମା ଗାନ୍ଧୀ କିପରି କ୍ରିକେଟ୍କୁ ଉପଭୋଗ କରିଥିଲେ ସେନେଇ ଉଲ୍ଲେଖ କରାଯାଇଛି । ଏହି ପୁସ୍ତକ କୌଶିକ ବୃନ୍ଦୋପାଧ୍ୟାୟ ଲେଖିଛନ୍ତି । ମହାତ୍ମା ଗାନ୍ଧୀଙ୍କ ପିଲାଦିନର ବନ୍ଧୁଙ୍କ କହିବାନୁସାରେ, ସେ କେବଳ କ୍ରିକେଟ୍ ପ୍ରତି ଉତ୍ସାହିତ ନଥିଲେ, ବରଂ କ୍ରିକେଟର ଯାଦୁ ବାପୁଙ୍କୁ କରିଥିଲା ଆକର୍ଷିତ । ହାଇସ୍କୁଲରେ ମହାତ୍ମା ଗାନ୍ଧୀଙ୍କ ବନ୍ଧୁ ରତିଲାଲ ଗେଲାଭାଇ ମେହେଟ୍ଟା କହିଛନ୍ତି ଯେ ସେ ଜଣେ ଶାନଦାର କ୍ରିକେଟର ଥିଲେ । ବ୍ୟାଟିଂ ବ୍ୟତୀତ ସେ ବୋଲିଂ ମଧ୍ୟ କରୁଥିଲେ । 

ରତିଲାଲ ଗେଲାଭାଇ ମେହେଟ୍ଟା ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏକ ରୋଚକ କାହାଣୀ ବର୍ଣ୍ଣନା କରିଥିଲେ ।  ସେ କହିଛନ୍ତି ଥରେ ଆମେ ଦୁହେଁ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲୁ । ସେତେବେଳେ ରାଜକୋଟ ସିଟି ଏବଂ ରାଜକୋଟ ସଦର ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ସେହି ମ୍ୟାଚ୍ ଏକ ରୋମାଞ୍ଚକର ମୁହୂର୍ତ୍ତରେ ଚାଲିଥିଲା । ଏହି ସମୟରେ ମହାତ୍ମା ଗାନ୍ଧୀ କିଛି ସମୟ ଚିନ୍ତା କରି କହିଥିଲେ ଯେ ଏହି ଖେଳାଳି ଆଉଟ୍‌ ହୋଇଯିବେ । 

ଏହାପରେ ସେହି ବ୍ୟାଟ୍ସମ୍ୟାନ୍ ପ୍ରକୃତରେ ପାଭିଲିୟନକୁ ଫେରିଥିଲେ । ତେବେ ଯଦି ‘ମହାତ୍ମା ଅନ୍ ଦ ପିଚ୍: ଗାନ୍ଧୀ ଆଣ୍ଡ କ୍ରିକେଟ୍ ଇନ୍ ଇଣ୍ଡିଆ’ ପୁସ୍ତକ ବିଷୟରେ କହିବା ତେବେ ଏହା ମହାତ୍ମା ଗାନ୍ଧୀଙ୍କ କ୍ରିକେଟ୍ ପ୍ରତି ଆଗ୍ରହରୁ ଆରମ୍ଭ ହୋଇଥାଏ ଏବଂ ଏହାପରେ ଭାରତରେ କ୍ରିକେଟ୍ ବିକାଶର କାହାଣୀରେ ହୋଇଛି ସମାପ୍ତ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.