ଚୀନକୁ ଚେକ୍ ଦେବାକୁ ରତନ ଟାଟାଙ୍କ ମାଷ୍ଟର ଷ୍ଟ୍ରୋକ: ପ୍ରଥମ ଭାରତୀୟ କମ୍ପାନୀ ଭାବେ ବିଦେଶରେ ବସାଇବ ଡିଫେନ୍ସ ଫ୍ୟାକ୍ଟ୍ରି

Published By : Prameya-News7 Bureau | October 02, 2024 IST

internet

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ କମ୍ପାନୀ ଭାବେ ଟାଟା ଏକ ନୂଆ ରେକର୍ଡ କରିବାକୁ ଯାଉଛି। ବିଦେଶ ମାଟିରେ ପ୍ରଥମ ଥର ଡିଫେନ୍ସ ଫ୍ୟାକ୍ଟ୍ରି ବସାଇବ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଲିମିଟେଡ। ପ୍ରଥମ ଭାରତୀୟ କମ୍ପାନୀ ଭାବେ ଟାଟା ଏହି ଗୌରବ ଅର୍ଜନ କରିବ। ତା’ ପୂର୍ବରୁ କୌଣସି ଇଣ୍ଡିଆନ କମ୍ପାନୀ ବିଦେଶରେ ଡିଫେନ୍ସ ଫ୍ୟାକ୍ଟ୍ରି ବସାଇ ନାହାନ୍ତି। ଏହାଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତ ବି ଆମେରିକା, ଚୀନ ଓ ଋଷ ଭଳି ବିଦେଶରେ ପ୍ରଭାବ ବିସ୍ତାର କରିପାରିବ। 

ସ୍ମାର୍ଟଫୋନ, ଇଭି, ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ବଡ଼ ନିବେଶ କରୁଥିବା ଟାଟା ଏବେ ବିଦେଶରେ ଯୁଦ୍ଧ ହତିଆର ବନାଇବ। କାରଣ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଲିମିଟେଡ (TASL) ମରକ୍କୋର ସେନା ପାଇଁ ନିର୍ମାଣ କରିବ ହ୍ୱିଲ୍ଡ ଆର୍ମର୍ଡ ପ୍ଲାଟଫର୍ମ (WhAP) କମ୍ବାଟ ଭେଇକିଲ। ଏଥିପାଇଁ ମରୋକ୍କୋର ରୟାଲ ଆର୍ମଡ ଫୋର୍ସେସ ସହ ଟାଟା ଆଡଭାନ୍ସ ସିଷ୍ଟମ ଚୁକ୍ତି ହୋଇଛି। ସୋମବାର କମ୍ପାନି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ହ୍ୱିଲ୍ଡ ଆର୍ମର୍ଡ ପ୍ଲାଟଫର୍ମକୁ DRDO ଏବଂ ଟାଟା ମୋଟର୍ସ ସହ ମିଳିତ ସହଯୋଗରେ ବିକଶିତ କରଯାଇଛି।

ମରୋକ୍କ ସେନା ପାଇଁ ଟାଟା ତିଆରି କରିବାକୁ ଥିବା ଯୁଦ୍ଧ ଯାନକୁ ଭାରତରେ ଡିଜାଇନ ଏବଂ ବିକଶିତ କରାଯାଇଛି। ଏହି ଯୁଦ୍ଧ ଯାନକୁ ବିଶ୍ୱସ୍ତରୀୟ ମାନକ ଅନୁଯାୟୀ ଡିଜାଇନ କରାଯାଇଛି। ଏଥିରେ ସହଜରେ ପରିବର୍ତ୍ତନ କରାଯିବା ସହ ଆକାରରେ ପରିବର୍ତ୍ତନ କରାଯାଇପାରିବ। ଏହାକୁ ଖୁବ୍ ସହଜରେ ପୁନଃ ସଜଡା ଯାଇପାରିବ। 

ଏହି ଯାନ କଠିନ ପରିସ୍ଥିତିରେ କାମ କରିବାରେ ସକ୍ଷମ, ଏହା କାଦୁଅରେ ଚାଲିପାରିବ ଏବଂ ମାଇନ୍ସ ବ୍ଲାଷ୍ଟର ବି ସାମ୍‌ନା କରିପାରିବ। ଯୁଦ୍ଧ ଯାନରେ ବିଭିନ୍ନ ଭାରିଆଣ୍ଟ ଯଥା ଇନଫ୍ୟାନଣ୍ଟ୍ରି ପ୍ରୋଟେକ୍ଟେଡ ମୋବିଲିଟି ଭେଇକିଲ ବା IPMV ପୂର୍ବରୁ ଭାରତୀୟ ସେନା ଏବଂ ଅର୍ଦ୍ଧ ସାମରିକ ବଳରେ ସାମିଲ ହୋଇସାଛି। ଯୁଦ୍ଧ କ୍ଷେତ୍ରରେ ସୈନିକଙ୍କୁ ସୁରକ୍ଷିତ ପହଞ୍ଚାଇବା ସହ ଗାଡ଼ି ଭିତରୁ ସେନା ଭୟଙ୍କର ଆକ୍ରମଣ ବି କରିପାରିବ। 

ହ୍ୱିଲ୍ଡ ଆର୍ମର୍ଡ ପ୍ଲାଟଫର୍ମ କମ୍ବାଟ ଭେଇକିଲ ନିର୍ମାଣ ତିନି ବର୍ଷ ମଧ୍ୟରେ ଶେଷ କରିବାକୁ ଟାଟା ଟାର୍ଗେଟ୍ ରଖିଛି। ଏହି ଚୁକ୍ତି ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ଭାରତ ନର୍ମିତ ଆର୍ମର୍ଡ ଭେଇକଲ ପାଇଁ ସବୁଠୁ ବଡ଼ ଡିଲ୍‌। ଏଭଳି ନିବେଶ ଚୀନ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞ କହିଛନ୍ତି। ଏହି ପଦକ୍ଷେପକୁ ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନର ଏକ ବଡ଼ ସଫଳତା ଭାବରେ ମଧ୍ୟ ଦେଖାଯାଉଛି। ସେପେଟେ ଟିଏଏସଏଲ କହିଛି, ଏହି ଚୁକ୍ତି ଅନ୍ୟ ଆଫ୍ରିକୀୟ ଦେଶ ପାଇଁ ମଧ୍ୟ ପଥ ପରିଷ୍କାର କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.