ଅମରାବତୀ: ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ)। ସୋମବାର ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ଲଞ୍ଚ ପ୍ୟାଡ୍ରୁ ନିଜର ସ୍ପେଡେକ୍ସ ମିଶନ ଲଞ୍ଚ କରିଛି। ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ(ପିଏସଏଲଭି) –ସି ୬୦ ରକେଟ୍ ଦ୍ଵାରା ସୋମବାର ରାତି ୧୦ଟାରେ ଏହାର ସଫଳ ଉତକ୍ଷେପଣ କରାଯାଇଛି। ପ୍ରଥମ ଲଞ୍ଚପ୍ୟାଡରୁ ମହାକାଶକୁ ୨ଟି ସ୍ପେଶକ୍ରାପ୍ଟ ପଠାଯାଇଛି। ଏହା ୨୨୦ କିଲୋ ଓଜନର ଚେଜର ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ଯୋଡ଼ିବ। ମିଶନ ସଫଳ ହେଲେ ସ୍ପେଶ ଡକିଂରେ ଭାରତ ଚତୁର୍ଥ ଦେଶ ହେବ।
ଏହାର ସଫଳ ଲଞ୍ଚିଂ ପରେ ଇସ୍ରୋ କହିଛି ଯେ, ଏହି ମିଶନ ଭାରତୀୟ ମହାକାଶ ମିଶନରେ ନୂଆ ଅଧ୍ୟାୟ ଯୋଡ଼ିବ। ଏହି ମିଶନରେ ଦୁଇଟି ଉପଗ୍ରହକୁ ଅନ୍ତରୀକ୍ଷରେ ଯୋଡ଼ାଯିବ ଓ ଅଲଗା କରାଯିବ। ଏହି ମିଶନର ସଫଳତା ଭାରତର ଆଗାମୀ ମିଶନ ଚନ୍ଦ୍ରଯାନ-୪, ନିଜର ସ୍ପେଶ ଷ୍ଟେସନ ଓ ଚନ୍ଦ୍ର ପୃଷ୍ଠରେ ଭାରତୀୟ ମହାକାଶଚାରୀଙ୍କ ଅବତରନ ପରି ସ୍ଵପ୍ନ ସାକାର ଦିଗରେ ବିଶେଷ ସହାୟକ ହେବ।
ଇସ୍ରୋ କହିଛି, ପିଏସଏଲଭି ରକେଟ୍ରେ ଦୁଇଟି ଅନ୍ତରୀକ୍ଷ ଯାନ ଅର୍ଥାତ ଦୁଇ ଉପଗ୍ରହ ସ୍ପେଶକ୍ରାଫ୍ଟ ଏ(ଏସଡିଏକ୍ସ୦୧) ଓ ସ୍ପେଶକ୍ରାଫ୍ଟ ବି(ଏସଡିଏକ୍ସ୦୨)କୁ ଏମିତି ଏକ କକ୍ଷରେ ଅବସ୍ଥାପିତ କରାଯିବ ଯାହା ପରସ୍ପରଠୁ ୫ କିମି ଦୂରତାରେ ରହିବେ। ପରେ ଇସ୍ରୋ ମୁଖ୍ୟାଳୟର ବୈଜ୍ଞାନିକ ଦୁଇ ଉପଗ୍ରହକୁ ୩ ମିଟରରର ନିକତର କରାଇବେ। ଏହା ପରେ ପୃଥିବୀରୁ ପ୍ରାୟ ୪୭୦ କିଲୋମିଟର ଉଚ୍ଚତାରେ ପରସ୍ପର ମିଶି ଏକ ହୋଇଯିବେ। ଏହି ପ୍ରକ୍ରିୟା ଡକିଂ କୁହାଯାଏ। ଏହି ସବୁ ପ୍ରକ୍ରିୟା ପରେ ପୁଣି ଦୁଇ ଉପଗ୍ରହକୁ ଅଲଗା କରାଯିବ, ଯାହାକୁ ଅନଡକିଂ କୁହାଯାଏ।
ଏହା ପୂର୍ବରୁ ଭାରତ ମହାକାଶରେ ଏହି ଧରଣର ପ୍ରୟୋଗ କରି ନାହିଁ। ଯଦି ଏହି ମିଶନରେ ଇସ୍ରୋ ସଫଳ ହୁଏ ତେବେ ଭାରତ ଦୁନିଆର ସେହି ବଛା ବଛା ଦେଶ ତାଲିକାରେ ସାମିଲ ହେବ ଯେଉଁମାନେ ପୂର୍ବରୁ ଏହି ଉପଲବ୍ଧି ହାସଲ କରି ସାରିଛନ୍ତି। ଏହି ସଫଳତା ହାସଲ କରିଥିବା ଦେଶ ତାଲିକାରେ ଆମେରିକା, ଚୀନ ଓ ରୁଷ ରହିଛି।