ସରକାରୀ ଟିକସ ହେରଫେର କରିଥିଲେ, GST ଆସିଷ୍ଟାଣ୍ଟ କମିଶନରଙ୍କୁ ବାନ୍ଧିଲା ଭିଜିଲାନ୍ସ

Published By : Prameya-News7 Bureau | August 18, 2024 IST

ଭୁବନେଶ୍ବର୧୮/୮: ଯାଜପୁର CT & GST ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ ଗିରଫ । ବିନୟଙ୍କ ସହ ୨ ସହଯୋଗୀ ଜ୍ୟୋତି ପଟ୍ଟନାୟକ ଓ ମହମ୍ମଦ ଗୋଲାମ ସଦଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସ୍କ୍ରାପ ଗାଡିକୁ ଅଟକାଇ ଲାଞ୍ଚ ମାଗିବା ଘଟଣାରେ ୩ଜଣଙ୍କ ଉପରେ ଆକ୍ସନ ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ୍‌ପି ସୁଧାଂଶୁ ମିଶ୍ର । 

ଗତ ମଇ ମାସ ୭ ତାରିଖରେ ଜାତୀୟ ରାଜପଥରେ ଏକ ସ୍କ୍ରାପ ବୋଝେଇ ଗାଡିକୁ ଯାଜପୁର ରେବେଣା ନିକଟରେ ଅଟକାଇଥିଲେ ବିନୟ ଭୂଷଣ । ଗାଡିରେ ପ୍ରାୟ ୮ ଲକ୍ଷ ୮୯ ହଜାର ୬ଶହ ଟଙ୍କାର ସ୍କ୍ରାପ ଲୋଡ୍‌ ହୋଇଥିଲା । ତେବେ ଗାଡିରୁ ଟିକସ ଆଦାୟ ପରିବର୍ତ୍ତେ ଗାଡି ଛାଡିବା ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥଲେ । 

ଟଙ୍କା ନମିଳିବାରୁ ବିନୟ ନକଲି କ୍ରେତା ଓ ବିକ୍ରେତା ଦର୍ଶାଇ ସଂପୂର୍ଣ୍ଣ ସ୍କ୍ରାପକୁ ୫ ଲକ୍ଷ ୮୫ ହଜାର ଟଙ୍କାରେ ବିକ୍ରି ଦର୍ଶାଇ ସବୁ ଟଙ୍କା ଆତ୍ମସାତ କରିଦେଇଥିବା ଅଭିଯୋଗ ହୋଇଥିଲା । ଏହା ସହ ଯେଉଁ ଟଙ୍କା ସେ ଆଦାୟ କରୁଥିଲେ ତାକୁ ପରିବାର ସଦସ୍ୟଙ୍କ ନାଁରେ ଖୋଲିଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ନଗଦ ଜମା ହିସାବରେ ରଖୁଥିଲେ ବିନୟ ଭୂଷଣ ।

ଅଭିଯୋଗ ଆସିବା ପରେ ଶନିବାର ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଥିଲା । ବିନୟଙ୍କ ଭୁବନେଶ୍ବର,ଖୋର୍ଦ୍ଧା,ଯାଜପୁର ଓ କେନ୍ଦ୍ରାପଡା ସ୍ଥିତ ବିଭିନ୍ନ ଘର ଓ ଅଫିସରେ ରେଡ୍‌ ପରେ ଏଭଳି ବେଆଇନ କାମ ସଂପର୍କରେ ଅନେକ ପ୍ରମାଣ ପାଇଥିଲା ଭିଜିଲାନ୍ସ । ବିନୟ ବାପାଙ୍କ ନାଁରେ ଆକାଉଣ୍ଟ ଖୋଲି ବେଆଇନ ଭାବେ ଅର୍ଜିତ ଟଙ୍କାକୁ ରଖୁଥିଲେ । ସବୁ ତଥ୍ୟ ପ୍ରମାଣ ଆଧାରରେ ରବିବାର ବିନୟଙ୍କ ସହ ୨ ସହଯୋଗୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.