ନୂଆଦିଲ୍ଲୀ ୦୪/୦୧: ରେକର୍ଡ ମ୍ୟାନ୍ ବୁମରା । ରଚି ଚାଲିଛନ୍ତି ନୂଆ କୀର୍ତ୍ତିମାନ । ସେ ଅଧିନାୟକ ଭାବେ ହେଉ ବା ଖେଳାଳି ଭାବେ । ଏବେ ସିଡନୀ ମାଟିରେ ୪୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ବୁମରା ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ ହାସଲକାରୀ ଭାରତୀୟ ବୋଲର ହୋଇଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ସିଡନୀରେ ଇତିହାସ ରଚିଛନ୍ତି ଅଧିନାୟକ ଯଶପ୍ରୀତ ବୁମରା ।
ସୂଚନା ଥାଉକି, ସିଡନୀ ଟେଷ୍ଟରେ ଅଧିନାୟକତ୍ୱ ଦାୟିତ୍ୱ ତୁଲାଉଛନ୍ତି ଯଶପ୍ରୀତ ବୁମରା । କେବଳ କ୍ୟାପଟେନ୍ ନୁହେଁ ବୋଲିଂରେ ବି ଦେଉଖାଉଛନ୍ତି ଜବରଦସ୍ତ ଫର୍ମ । ପୁରା କଙ୍ଗାରୁ ବାହିନୀ ଉପରେ ଭାରି ପଡିଛନ୍ତି ଯଶ୍ସି । ସିଡନୀ ଟେଷ୍ଟର ଦ୍ବିତୀୟ ଦିନରେ ବୁମରା ଲାବୁସେନଙ୍କ ୱିକେଟ ନେଇ ବଡ ଉପଲବ୍ଧି ହାସଲ କରିଥିଲେ । ଅଷ୍ଟ୍ରେଲିଆ ଟିମ୍ ବିପକ୍ଷରେ ବର୍ତ୍ତମାନ ଟେଷ୍ଟ ସିରିଜରେ ସେ ୩୨ତମ ୱିକେଟ ନେଇଛନ୍ତି । ଏବେ ସୁଦ୍ଧା ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ ନେଇଥିବା ଭାରତୀୟ ବୋଲର ହେବା ସହ ୪୭ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ।
କହିବାକୁ ଗଲେ ସିଡନୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ୩ ତାରିଖରୁ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ପ୍ରଥମ ଇନିଂସରେ ଭଲ ଆରମ୍ଭ କରିନଥିଲା ଟିମ୍ ଇଣ୍ଡିଆ । ୧୮୫ରନରେ ଅଲଆଉଟ ହୋଇଥିଲା । ଏହାପରେ ଅଷ୍ଟ୍ରେଲିଆ ପାଳି ଆରମ୍ଭ କରିଥିଲା ।
୯ରନରେ ଗୋଟିଏ ୱିକେଟ ହରାଇବା ପରେ ଷ୍ଟମ୍ପ ଘୋଷଣା ହୋଇଥିଲା । ଏହାପରେ ଆଜି ଦ୍ବିତୀୟ ଦିନ ଖେଳ ଆରମ୍ଭ ହୋଇଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା ୬ ୱିକେଟ ହରାଇ ୧୫୫ ରନ କରିଛି ଅଷ୍ଟ୍ରେଲିଆ । ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ୍ ମାରିଥିଲେ ବି ବୋଲର ସଫଳ ହୋଇଛନ୍ତି । ବୁମରା, ସିରାଜ କଙ୍ଗାରୁ ଦଳକୁ ଘାଇଲା କରିଛନ୍ତି ।