ଝାଡଖଣ୍ଡରେ ଲଜ୍ଜାଜନକ ଘଟଣା; ବିନା ସାର୍ଟରେ ୮୦ ଜଣ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ !

Published By : Prameya-News7 Bureau | January 12, 2025 IST

ନୂଆଦିଲ୍ଲୀ ୧୨।୦୧; ଝାଡଖଣ୍ଡର ଧାନବାଦ ଜିଲ୍ଲା ଜୋଡାପୋଖର ଥାନା ଅନ୍ତର୍ଗତ ଡିଗବାଡିହ ଠାରେ ଥିବା  ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ୮୦ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ସାର୍ଟ ଖୋଲିଦେବା ଘଟଣାକୁ ନେଇ ତୀବ୍ର  ପ୍ରତିକ୍ରିୟା ପ୍ରକାଶ ପାଇଛି । ଛାତ୍ରୀମାନେ ବିନା ସାର୍ଟରେ କେବଳ ବ୍ଲେଜର ପିନ୍ଧି ଘରେ ପହଞ୍ଚି  ଅଭିଭାବକଙ୍କୁ ଜଣାଇବା ପରେ ସେମାନେ ଥାନାରେ  ଅଭିଯୋଗ କରିଛନ୍ତି ।  

ଅଭିଯୋଗ ଅନୁସାରେ  ଶୁକ୍ରବାର ଥିଲା ପରୀକ୍ଷାର  ଶେଷ ଦିନ । ପରୀକ୍ଷା ସରିବା ପରେ  ଛାତ୍ରୀମାନେ ପରସ୍ପର ସାର୍ଟରେ ଶୁଭେଚ୍ଛା  ବାର୍ତ୍ତା ଲେଖି ‘ପେନ୍‌ ଡେ’ ମନାଇଥିଲେ । ଏହାକୁ ଦେଖିବା ପରେ ସ୍କୁଲର ଅଧ୍ୟକ୍ଷା  ଏମ୍‌ ଦେବଶ୍ରୀ ଉତ୍‌କ୍ଷିପ୍ତ ହେବା ସହ  ପ୍ରଥମେ ସବୁ ଛାତ୍ରୀଙ୍କୁ ଗାଳି କରିଥିଲେ ।  ପରେ ସେମାନଙ୍କୁ ନିଜ ନିଜର ସାର୍ଟ  ଖୋଲିଦେବାକୁ ଆଦେଶ ଦେଇଥିଲେ ।  ଏପରିକି ଛାତ୍ରୀମାନେ ଏଥିପାଇଁ ଭୁଲ  ମାଗିଥିଲେ ମଧ୍ୟ ଅଧ୍ୟକ୍ଷ କିଛି ଶୁଣି  ନଥିଲେ। ସେମାନଙ୍କୁ ବିନା ସାର୍ଟରେ ଘରକୁ  ପଠାଇ ଦିଆଯାଇଥିଲା । ଧାନବାଦ ଡିସିପି  ମାଧବୀ ମିଶ୍ର କହିଛନ୍ତି ସେ ଅଭିଯୋଗକୁ  ଗୁରୁତର ସହ ନେଇଛନ୍ତି । 

ଘଟଣାର  ତଦନ୍ତ କରାଯିବ । ଏଥିଲାଗି ଏସ୍‌ଡିଏମ୍‌,  ଏସ୍‌ଡିପିଓ, ଜିଲ୍ଲା ଶିକ୍ଷା ଅଧିକାରୀ ଓ  ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ନେଇ  ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି ।  କମିଟି ତଦନ୍ତ କରି ତାର ରିପୋର୍ଟ ଦେବା  ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ବିଧାୟକ ରାଗିଣୀ ସିଂହ ମଧ୍ୟ ଏହି ଘଟଣା  ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ  ବୋଲି କହିଛନ୍ତି । ଅଭିଭାବକମାନେ  ମଧ୍ୟ ଏହାକୁ ତାଲିବାନୀ ଶାସନ  ବ୍ୟବସ୍ଥା ବୋଲି ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.