ବିବାହ ପାଇଁ ନିଆରା ନିଷ୍ପତ୍ତି, ମଦ ଓ ଡିଜେ ନ ବଜାଇଲେ ମିଳିବ ୨୧ ହଜାର ଟଙ୍କାର ପୁରସ୍କାର

Published By : Prameya-News7 Bureau | January 12, 2025 IST

ନୂଆଦିଲ୍ଲୀ ୧୨।୦୧; ପଞ୍ଜାବ ଭଟିଣ୍ଡା ଜିଲ୍ଲା ବଲ୍ଲୋ ଗାଁର ଗ୍ରାମ ପଞ୍ଚାୟତ ବିବାହ ସମାରୋହକୁ ନେଇ ନିକଟରେ ଏକ ନିଆରା  ନିଷ୍ପତ୍ତି ନେଇଛି । ସେ ଅନୁସାରେ, ଯେଉଁ ପରିବାର ବିବାହ ସମାରୋହରେ ଡିଜେ ବଜାଇବେ ନାହିଁ  ଓ ମଦ ବାଣ୍ଟିବେ ନାହିଁ ସେହି ପରିବାରଗୁଡି଼କୁ ନଗଦ ୨୧ ହଜାର ଟଙ୍କା ପୁରସ୍କାର ମିଳିବ । ଏଥିଲାଗି ପଞ୍ଚାୟତରେ ଏକ ପ୍ରସ୍ତାବ ପାସ୍‌ ବି ହୋଇଛି । 

ସରପଞ୍ଚ ଅମରଜିତ କୌରଙ୍କ ଅନୁସାରେ, ଗାଁର  ମଙ୍ଗଳ ଓ ନିଶା ବିରୋଧରେ ଏକ ଅଭିଯାନ ଭାବେ  ଏହି ନିଷ୍କତ୍ତି ନିଆଯାଇଛି । ଏହାଦ୍ୱାରା କେବଳ ଯେ ବିବାହ ସମାରୋହରେ ଅନାବଶ୍ୟକ ଖର୍ଚ୍ଚ କମିବ  ତା’ ନୁହେଁ, ମଦ୍ୟପାନ ଉପରେ ବି ଲଗାମ ଲାଗିବ ।   ସାଧାରଣତଃ ଗାଁରେ ଯେଉଁ ବିବାହ ସମାରୋହରେ ମଦ   ପରଷାଯାଏ ଓ ଡିଜେରେ ଉଚ୍ଚ ସ୍ୱରରେ ଗୀତ ବାଜେ ସେହି ସମାରୋହରେ ହିଁ ଅଧିକ ଝଗଡ଼ା ହେଉଥିବା  ଦେଖାଯାଏ । 

ଏଥିସହିତ ଡିଜେରେ ଉଚ୍ଚ ସ୍ୱରରେ ଗୀତ ବାଜିବା ଯୋଗୁ ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ବିଘ୍ନ  ହୋଇଥାଏ । ତାକୁ ଏଡ଼ାଇବାକୁ ଏହି ପଦକ୍ଷେପ ନିଆଯାଇଛି । ଏହା ସାମାଜିକ ସୁଧାର ଆଣିବା ସହିତ ପ୍ରାୟ ୫୦୦୦  ଜନସଂଖ୍ୟା ବିଶିଷ୍ଟ ବଲ୍ଲୋର ଜନତାଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ  କରିଛନ୍ତି । ବଲ୍ଲୋର ଜନତା ମଧ୍ୟ ଏ ସଂପର୍କରେ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.