ଲୋକଙ୍କୁ କଲବଲ କରୁଛି ଜଣ୍ଡିସ୍, ଗଳି ଗଳିରେ ବୁଲି ସଚେତନ କଲା ସ୍ୱାସ୍ଥ୍ୟବିଭାଗ

Published By : Prameya-News7 Bureau | June 26, 2024 IST

ସମ୍ୱଲପୁର ୨୬/୦୬: ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ଜଣ୍ଡିସ୍ ଫେରିବା ସହ ଆକ୍ରାନ୍ତଙ୍କ ସଂଖ୍ଯା ୧୦୦ ଛୁଇଁଛି । ଜଣ୍ଡିସକୁ ନେଇ ସମ୍ବଲପୁର ମହାନଗର ନିଗମ ଅଂଚଳରେ ଭୟ ଯେତିକି, ସଂଖ୍ୟା ବି ବଢୁଛି ସେତିକି । ମଙ୍ଗଳବାର ସଂଖ୍ୟା ୯୩ ରହିଥିବାବେଳେ ଆଜି ଏହା ଶତକ ଛୁଇଁଛି । ଯାହାକୁ ନେଇ ମହାନଗରବାସୀ ଚିନ୍ତାରେ ପଡ଼ିଛନ୍ତି । 

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତାରାଣି ମିଶ୍ରଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୦୦ ଜଣ ଚିହ୍ନଟ ହୋଇଛନ୍ତି। ଗତ କାଲି ପର୍ଯ୍ୟନ୍ତ ଏହି ସଂଖ୍ୟା ୯୩ ରହିଥିଲା । ଗୁପ୍‌ଚୁପ୍, ଦହିବରା ଓ ଚୁସକି ଖାଇବା ଯୋଗୁଁ ସଂକ୍ରମଣ ସମସ୍ୟା ସୃଷ୍ଟି ହୋଇଛି ବୋଲି ପ୍ରାଥମିକ ଭାବେ ଚିହ୍ନଟ ହୋଇଛି।  

ପ୍ରତିଦିନ ନମୂନା ସଂଗ୍ରହ ଚାଲିଛି ରିପୋର୍ଟ ଆସିବା ପରେ ସେହି ଅଂଚଳରେ  ପ୍ରଶାସନ ପକ୍ଷରୁ ସଚେତନତାକୁ ଜୋରଦାର କରାଯାଉଛି । ବର୍ତ୍ତମାନ ସଂକ୍ରମିତ ଅଞ୍ଚଳରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ମଧ୍ୟ ଚାଲିଛି। ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖିଥିବା ବେଳେ ସମସ୍ତଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଜଣ୍ଡିସ ସ୍ଥିତି ନିୟନ୍ତ୍ରଣରେ ଥିବା ସିଡିଏମଓ କହିଛନ୍ତି |

ସେପଟେ ସମ୍ବଲପୁରରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଆରଆରଟି ଟିମ୍, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଟିମ୍ ସ୍ଥିତି ଉପରେ ନଜର ରଖିଛନ୍ତି । ଏନେଇ ବିଧାୟକ ସମୀକ୍ଷା ମଧ୍ୟ କରିଛନ୍ତି । ସବୁରି ମୂଳରେ ଡ୍ରେନ ଭିତରେ ପିଇବା ପାଣି ପାଇପ ଆସିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ସହ ଏହାର ପରିବର୍ତ୍ତନ ନେଇ ଦାବି ଉଠିଛି । 

ଦୂଷିତ ପିଇବା ପାଇଁ ଯୋଗୁଁ ଜଣ୍ଡିସ ବ୍ୟାପିଥିବା ଯୋଗୁଁ ପ୍ରଶାସନ ଭଲ ପାଣି ଦେଉନଥିବା ଆକ୍ରାନ୍ତ ପରିବାର ସିଧା ସିଧା ଅଭିଯୋଗ କରିଛନ୍ତି । ସହରର କୁମ୍ଭାରପଡା, ସାଲିଆବଗିଚା, ପେନସନପଡା ଓ ଧୋବାପଡା ଅଞ୍ଚଳରୁ ମୋଟ ୧୦୦ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି l ଏଥିରେ ଶିଶୁଙ୍କ ସଂଖ୍ୟା ଅଧିକ ରହିଛି l ୨୦୧୪ ମସିହା ସମ୍ବଲପୁର ଜଣ୍ଡିସ ସ୍ଥିତିରେ ମଧ୍ୟ ଦୂଷିତ ପାଣି ହିଁ କାରଣ ଥିଲା । ତଥାପି ୧୦ ବର୍ଷ ଭିତରେ ପାଣି ପାଇପ ବଦଳାନଯିବା ବିଭାଗୀୟ ଅଫିସରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.