ଭଦ୍ରକ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ସୋସିଆଲ ମିଡିଆରେ କରିଥିଲା ବିଭ୍ରାନ୍ତିକର ପୋଷ୍ଟ

Published By : Prameya-News7 Bureau | September 28, 2024 IST

ଭଦ୍ରକ: ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଅଶାନ୍ତ ଭଦ୍ରକ। ଆଉ ଏ ଅଶାନ୍ତି ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପିଛି। ପୋଲିସ ଉପରେ ଆକ୍ରମଣ, ମାଜିଷ୍ଟ୍ରେଟଙ୍କ ଗାଡ଼ି ଭଙ୍ଗାରୁଜା ଓ ସରକାରୀ ସମ୍ପତ୍ତି ନଷ୍ଟ ପରେ ଆକ୍ସନ ମୋଡରେ ପୋଲିସ ପ୍ରଶାସନ। ଏହା ମଧ୍ୟରେ ଘଟଣାରେ ସୋସିଆଲ୍ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଶନିବାର ଭଦ୍ରକରୁ ଯୁବକ ଗିରଫ ହୋଇଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି। ବିବାଦୀୟ ପୋଷ୍ଟ ପାଇଁ ଗତକାଲି ଭଦ୍ରକରେ ଉତ୍ତେଜନା ଦେଖା ଯାଇଥିଲା। 

ସହରରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ ଓ ପ୍ରଶାସନ ଉଦ୍ୟମ ଚଳାଇଛନ୍ତି । ଏସବୁ ଭିତରେ ଉଚ୍ଚସ୍ତରୀୟ ବୈଠକ ଡାକି ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବୈଠକ ପରେ ସେ କହିଛନ୍ତି ସହରରେ ଅଶାନ୍ତି ସୃଷ୍ଟି କରିବାକୁ ଦିଆଯିବନି। ଆସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭଦ୍ରକ ସହରରେ ୧୨ ପ୍ଲାଟୁନ ଓ ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨ କମ୍ପାନି ରାପିଡ ଆକ୍ସନ ଫୋର୍ସ ମୁତୟନ ରହିବେ । ବୈଠକରେ ମନ୍ତ୍ରୀଙ୍କ ସହ ବିଧାୟକ ସୀତାଂଶୁ ଶେଖର ,ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଏସ୍‌ପି ବରୁଣ ଗୁଣ୍ଟୁପାଲି ଉପସ୍ଥିତ ଥିଲେ ।  

ପୋଲିସ ଉପରେ  ଆକ୍ରମଣ ଓ ମାଜିଷ୍ଟ୍ରେଟଙ୍କ ଗାଡ଼ି ଭଙ୍ଗାରୁଜା ପରେ ଉପଦ୍ରବକାରୀଙ୍କୁ ଛଡ଼ାଯିବ ନାହିଁ କହିଛନ୍ତି ଡିଆଇଜି। ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୬୩ ଧାରା ଜାରି ହୋଇଥିବା ବେଳେ, ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନେକ ପୋଲିସ ପୋଷ୍ଟ ମଧ୍ୟ କରାଯାଇଛି। ପୋଲିସ୍ ଫ୍ଲାଗ ମାର୍ଚ୍ଚ ସହ ଭେଇକିଲ ପାଟ୍ରୋଲିଂ କରିଛି। ଗାଡ଼ି ଗୁଡ଼ିକୁ ଯାଞ୍ଚ କରାଯିବା ସହ ଲୋକଙ୍କୁ ଏକାଠି ହେବା ଉପରେ ଲଗାଯାଇଛି କଟକଣା।

ସେହିପରି ଦୋବଲ ଓ ଧାମନଗରରେ ୧୬୩ ଧାରା ଜାରି ସହ ୪ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି। ଡିଆଇଜି, ଜିଲ୍ଲାପାଳ, ଏସପିଙ୍କ ସମେତ ଅଧିକାରୀମାନେ ଏହି ଅଞ୍ଚଳ ବୁଲିବା ସହ ଫ୍ଲାଗମାର୍ଚ କରିଛନ୍ତି। ଶାନ୍ତି କମିଟି ସହ ଆଲୋଚନା କରାଯାଇଛି। ଡିଆଇଜି କହିଛନ୍ତି ବିବାଦୀୟ ପୋଷ୍ଟ ନେଇ ତଦନ୍ତ କରୁଛି ସାଇବର ସେଲ୍। ପୋଷ୍ଟରେ ସତ୍ୟତା ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।ସେହିପରି ପୋଲିସକୁ ଆକ୍ରମଣ ଓ ସରକାରୀ ସମ୍ପତ୍ତି ନଷ୍ଟ ସହ ଅଶାନ୍ତି ସୃଷ୍ଟି କରିଥିବା ବ୍ୟକ୍ତିକୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି।ବର୍ତ୍ତମାନ ସୁଦ୍ଧା ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.