ଆକାଶରେ ଦୃଶ୍ୟମାନ ହେବ ଷ୍ଟ୍ରବେରୀ ମୁନ୍‌, ଶନିବାର ଯାଏଁ ରହିବ ଗୋଲ, ଦିଶିବ ଉଜ୍ୱଳ

Published By : Prameya-News7 Bureau | June 21, 2024 IST

ନୂଆଦିଲ୍ଲୀ ୨୧/୦୬: ଆଜି ଆକାଶରେ ଦୃଶ୍ୟମାନ ହେବ ଷ୍ଟ୍ରବେରୀ ମୁନ୍‌ । ଚନ୍ଦ୍ରର ରଙ୍ଗ ଷ୍ଟ୍ରବେରୀ ଭଳି ହେବ, ସେଥିପାଇଁ ଏହାକୁ ଷ୍ଟ୍ରବେରୀ ମୁନ୍‌ କୁହାଯାଇଛି । ନକ୍ଷତ୍ରବିଜ୍ଞାନୀଙ୍କ ଅନୁସାରେ, ଆଜି ଚନ୍ଦ୍ର ନିଜ କକ୍ଷରେ ପୃଥିବୀର ନିକଟତର ହେବା ଯୋଗୁ ନିଜର ସାଧାରଣ ଆକାରଠୁ ବଡ଼ ଦିଶିବ । ଷ୍ଟ୍ରବେରୀ ମୁନ୍‌କୁ ହନିମୁନ୍‌ ମଧ୍ୟ କୁହାଯାଏ । 

ପୂର୍ଣ୍ଣିମାର ଚନ୍ଦ୍ରକୁ ପୂର୍ଣ୍ଣ ଚନ୍ଦ୍ର ମଧ୍ୟ କୁହାଯାଏ । କିନ୍ତୁ ସବୁ ପୂର୍ଣ୍ଣିମାର ଚନ୍ଦ୍ରକୁ ସୁପର୍‌ମୁନ୍‌ ବା ପୂର୍ଣ୍ଣ ଚନ୍ଦ୍ର କୁହାଯାଏ ନାହିଁ । ଏ ପୂର୍ଣ୍ଣିମା ଅନ୍ୟ ପୂର୍ଣ୍ଣିମାଠାରୁ ଭିନ୍ନ । କାରଣ ଏଥର ଷ୍ଟ୍ରବେରୀ ମୁନ୍‌ ଗତ ୨୦ ତାରିଖରୁ ଆସନ୍ତା ୨୨ ତାରିଖ ମଧ୍ୟରେ ଦୃଶ୍ୟମାନ ହେବ । ଅର୍ଥାତ୍‌ ଗତ ଗୁରୁବାରଠୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଗୋଲ ଏବଂ ପୂର୍ବାପେକ୍ଷା ଅଧିକ ଉଜ୍ୱଳ ଦିଶିବ । 

ଉତ୍ତର ଆମେରିକାର ଆଦିବାସୀମାନେ ଏହି ଚନ୍ଦ୍ରର ନାଁ ଷ୍ଟ୍ରବେରୀ ମୁନ୍‌ ରଖିଥିଲେ । କାରଣ ଏହି ସମୟରେ ସେମାନେ ଷ୍ଟ୍ରବେରୀ ଫଳ ଅମଳ କରନ୍ତି । ତେବେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଷ୍ଟ୍ରବେରୀ ରଙ୍ଗର ବା ପୂରା ଗୋଲାପି ଦିଶେ ନାହିଁ । ଆଲୋକ ଯୋଗୁ ସୁନା ଭଳି ଚମକେ ଏବଂ ହାଲୁକା ଲାଲ୍‌ ରଙ୍ଗର ପ୍ରଭାବ ଏଥିରେ ଥାଏ । ଗ୍ରୀଷ୍ମଦିନେ ଏହି ଚନ୍ଦ୍ର ଦୃଶ୍ୟମାନ ହେଉଥିବାରୁ ଷ୍ଟ୍ରବେରୀ ମୁନ୍‌କୁ ହଟ୍‌ ମୁନ୍‌ ମଧ୍ୟ କୁହାଯାଏ । 

ଏହି ସମୟରେ ବିଶ୍ୱର ଅନେକ ସ୍ଥାନରେ ଗୋଲାପ ଫୁଲ ଚାଷ କରାଯାଏ । ସେଥିପାଇଁ ଏହାକୁ ରୋଜ୍‌ ମୁନ୍‌ ମଧ୍ୟ କୁହାଯାଏ । ୟୁରୋପବାସୀ ଏହାକୁ ହନିମୁନ୍‌ କହନ୍ତି । ଏହି ସମୟରେ ମହୁମାଛି ମହୁ ଫେଣା ପ୍ରସ୍ତୁତି ଶେଷ କରିଥାନ୍ତି । ଫେଣାରୁ ମହୁ ବାହାର କରିବାର ସମୟ ହୋଇଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.