ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ମେଗା ନିଲାମରେ ଅନେକ ଖେଳାଳି ବିକ୍ରି ହୋଇ ପାରି ନାହାନ୍ତି। ଅନେକ ଖେଳାଳି ପ୍ରାରମ୍ଭିକ ରାଉଣ୍ଡରେ ବିକ୍ରି ହୋଇ ନ ଥିଲେ ହେଁ ଶେଷରେ ବିକ୍ରି ହୋଇଛନ୍ତି। ଏହି ତାଲିକାରେ ଭାରତୀୟ ଦଳର ବରିଷ୍ଠ ଖେଳାଳି ଆଜିଙ୍କ୍ୟ ରାହାଣେଙ୍କ ନାଁ ସାମିଲ। ରାହାଣେଙ୍କ ସହିତ ମୋଇନ ଅଲ୍ଲୀ ଓ ଉମରାନ ମଲିକ ମଧ୍ୟ ଶେଷ ଆଡ଼କୁ ବିକ୍ରି ହୋଇଛନ୍ତି। ଆଉ ଏହି ତିନି ଖେଳାଳିଙ୍କ ସମ୍ମାନ ରଖିଛି କୋଲକାତା ନାଇଟ୍ ରାଇଡର୍ସ।
ଆଜିଙ୍କ୍ୟ ରାହାଣେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳି ସାରିଛନ୍ତି। ସେ ଆଇପିଏଲ୍ରେ ଅନେକ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏଥର ମେଗା ନିଲାମର ପ୍ରାରମ୍ଭିକ ରାଉଣ୍ଡରେ ବିକ୍ରି ହୋଇ ପାରି ନ ଥିଲେ। କିନ୍ତୁ କେକେଆର ଶେଷ ଆଡ଼କୁ ଏହି ବ୍ୟାଟରଙ୍କୁ ବେସ୍ ପ୍ରାଇସ୍ ୧.୫୦ କୋଟିରେ ନିଜ ଦଳରେ ସାମିଲ କରିଛି।
କେକେଆର ମୋଇନ ଓ ଉମରାନଙ୍କ ସମ୍ମାନ ରଖିଲା
ମୋଇନ ଅଲ୍ଲୀ ଦୀର୍ଘ ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳି ଆସୁଥିଲେ। ସେ ଗତ ସିଜିନରେ ୮ କୋଟି ଟଙ୍କାର ଦରମା ସହ ଖେଳିଥିଲେ। ମାତ୍ର ଏଥର ସିଏସକେ ତାଙ୍କୁ ରିଟେନ୍ କରି ନ ଥିଲା। ଏବେ ସେ କୋଲକାତା ପକ୍ଷରୁ ଖେଳିବେ। ମୋଇନଙ୍କୁ ପ୍ରଥମ ରାଉଣ୍ଡରେ କିଣିବା ପାଇଁ କୌଣସି ଫ୍ରାଞ୍ଚାଇଜ ଆଗ୍ରହ ପ୍ରକାଶ କରି ନ ଥିଲେ। ଏମିତି ସ୍ଥିତି ଉମରାନ ମଲ୍ଲିକଙ୍କ ସହ ମଧ୍ୟ ହୋଇଥିଲା। ତେବେ ମୋଇନଙ୍କୁ କେକେଆର ମୂଳ ମୂଲ୍ୟ ୨ କୋଟି ଓ ଉମରାନଙ୍କୁ ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି କୋଲକାତା ନାଇଟ୍ ରାଇଡର୍ସ।
କୋଲକାତା ନାଇଟ୍ ରାଇଡର୍ସ
ଭେଙ୍କଟେଶ ଆୟର, ରିଙ୍କୁ ସିଂ, ସୁନୀଲ ନାରିନେ, ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ଆଜିଙ୍କ୍ୟ ରାହାଣେ, ରମଣଦୀପ ସିଂ, କ୍ଵିଣ୍ଟନ ଡି କକ୍, ଗୁରବାଜ, ଏନରିକ ନର୍ଖିଆ, ରୋଭମାନ ପାଓ୍ଵେଲ, ମନୀଷ ପାଣ୍ଡେ, ସ୍ପେନସର ଜନସନ, ଲଭନୀତ ସିସୋଦିଆ, ଅନୁକୂଳ ରୟ, ମୋଇନ ଅଲ୍ଲୀ, ଉମରାନ ମଲିକ।