ନୂଆଦିଲ୍ଲୀ: ଆଇପିଏଲ-୨୦୨୫ର ମେଗା ନିଲାମୀରେ ୩ କୋଟିର କ୍ଷତି ସହିବେ କେ.ଏଲ ରାହୁଲ। ଗତ ସିଜନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଅଧିନାୟକ ଥିବା କେ.ଏଲ୍ ରାହୁଲ ଏଥର କିନ୍ତୁ ଆଇପିଏଲ୍ ୨୦୨୫ର ଅକ୍ସନରେ ସାମିଲ ହେବାକୁ ପଡ଼ିଛି। କେଏଲ ରାହୁଲଙ୍କ ବେସ୍ ପ୍ରାଇସ୍ ଥିଲା ୨ କୋଟି। ନିଲାମ ଯୁଦ୍ଧରେ କେଏଲ ରାହୁଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲେ ବି କ୍ଷତି ସହିବେ ରାହୁଲ।
କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ କେ.ଏଲ୍ ରାହୁଲଙ୍କ ଉପରେ ନିଲାମୀ ଡାକିଥିଲା। ପରେ ବେଙ୍ଗାଲୁରୁ ମଧ୍ୟ ଏହି ରେସ୍ରେ ସାମିଲ ହୋଇଥିଲା। ଉଭୟଙ୍କ ମଧ୍ୟରେ ଏକ ନିଲାମୀ ଯୁଦ୍ଧ ହୋଇଥିଲା ଏବଂ ଏହି ସମୟ ମଧ୍ୟରେ ବିଡିଂ ପରିମାଣ ୫ କୋଟି ଓ ପରେ ୧୦ କୋଟି ଅତିକ୍ରମ କରିଥିଲା।
ଶେଷରେ ୧୪ କୋଟିରେ କେ.ଏଲ୍ ରାହୁଲଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ପୂର୍ବରୁ ରାହୁଲ ଲକ୍ଷ୍ନୌ ସୁପର ଜାଏଣ୍ଟସରେ ୧୭ କୋଟି ପାଉଥିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ୩ କୋଟି ଟଙ୍କା କମ୍ ମିଳିବ। ୩ ବର୍ଷ ଧରି କେ.ଏଲ୍ ରାହୁଲ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଅର୍ଥାତ୍ LSGର ଅଧିନାୟକ ଥିଲେ। LSG ଆଇପିଏଲ୍-୨୦୨୨ରେ ଏହାର ପ୍ରଥମ ସିଜନ୍ ଖେଳିଥିଲା, ଦଳର ଅଧିନାୟକତ୍ୱ କେ.ଏଲ୍ ରାହୁଲଙ୍କୁ ଦିଆଯାଇଥିଲା। ପ୍ରଥମ ସିଜନରେ ଲକ୍ଷ୍ନୌ କେ.ଏଲ୍ ଅଧିନାୟକତ୍ୱରେ ପ୍ଲେ ଅଫ୍ ପହଞ୍ଚିବାରେ ସଫଳ ହୋଇଥିଲା।
ପରବର୍ତ୍ତୀ ସିଜିନରେ ମଧ୍ୟ ଦଳ ପ୍ଲେ ଅଫ୍ ରେ ପହଞ୍ଚିଥିଲା କିନ୍ତୁ ଆଇପିଏଲ୍ ୨୦୨୪ କେ.ଏଲ୍ ରାହୁଲଙ୍କ ପାଇଁ ସବୁକିଛି ବଦଳିଗଲା। ଏହି ସିଜିନରେ କେ ଏଲ୍ ଅଧିନାୟକତ୍ୱରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଲକ୍ଷ୍ନୌ ଆଇପିଏଲ୍ ୨୦୨୪ରେ ପ୍ଲେ ଅଫକୁ ଯାଇପାରିନଥିଲା ଓ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଥିଲା। ଏହା ପରେ ଫ୍ରାଞ୍ଚାଇଜ୍ ଆଇପିଏଲ୍ 2025ର ମେଗା ନିଲାମ ପୂର୍ବରୁ କେ.ଏଲ୍ ରାହୁଲଙ୍କୁ ରିଲିଜ କରିଥିଲା।
୨୦୧୩ରୁ ଆଇପିଏଲରେ ଖେଳୁଥିବା କେ.ଏଲ୍ ରାହୁଲ ଏପର୍ଯ୍ୟନ୍ତ ୪ଟି ଫ୍ରାଞ୍ଚାଇଜ୍ ପ୍ରତିନିଧିତ୍ୱ କରିଛନ୍ତି। ସେ ତାଙ୍କର ପ୍ରଥମ ସିଜନରେ ଆରସିବିର ୨୦୧୪ରେ ହାଇଦ୍ରାବାଦକୁ ଯାଇଥିଲେ। KL ପୁଣି ଥରେ IPL-2016ରେ RCB କୁ ଫେରିଥିଲେ କିନ୍ତୁ ପରବର୍ତ୍ତୀ ସିଜନରେ ପଞ୍ଜାବ କିଙ୍ଗ୍ସରେ ଯୋଗ ଦେଇଥିଲେ। ଆଇପିଏଲ ୨୦୨୨ରେ ସେ LSGର ଅଧିନାୟକ ଥିଲେ କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଦଳ ଟାଇଟଲ୍ ଜିତିପାରିନଥିଲା
ଯଦିଓ କେ.ଏଲ୍ ରାହୁଲ ଅଧିନାୟକ ଭାବରେ ଟାଇଟଲ୍ ଜିତିବାରେ ସକ୍ଷମ ହୋଇନାହାଁନ୍ତି, ଖେଳାଳି ଭାବରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଉତ୍କୃଷ୍ଟ ଥିଲା। ସେ ଆଇପିଏଲର ୧୧ଟି ସିଜନ୍ ଖେଳିଛନ୍ତି, ସେଥିମଧ୍ୟରୁ ସେ ୬ଟି ସିଜନରେ ୫୦୦ରୁ ଅଧିକ ରନ୍ କରିଛନ୍ତି। ଏପର୍ଯ୍ୟନ୍ତ ସେ ଆଇପିଏଲରେ ୧୩୨ ମ୍ୟାଚ୍ ଖେଳି ୪୬୮୩ ରନ୍ ସ୍କୋର କରିଛନ୍ତି। ତାଙ୍କ ନାମରେ ଆଇପିଏଲରେ ୪ ଶତକ ଏବଂ ୩୭ ଅର୍ଦ୍ଧ ଶତକ ସାମିଲ ରହିଛି।