ଫ୍ରାନ୍ସରେ ବିକ୍ଷୋଭ ବେଳେ ହିଂସା, ୧ ମୃତ, ରାଷ୍ଟ୍ରପତି ମାକ୍ରୋନ କହିଲେ-ଇସ୍ଲାମୀ ଆତଙ୍କବାଦ

Published By : Prameya-News7 Bureau | February 23, 2025 IST

ମୁଲହାଉସ୍ ୨୩।୨: ଫ୍ରାନସ ମୁଲହାଉସ୍ ସହରରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କାଳରେ ଛୁରିକା ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଉ ୩ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୨ ଜଣ ପୋଲିସ ଅଫିସର ମଧ୍ୟ ଅଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରାନ ଏହି ଆକ୍ରମଣକୁ ଇସ୍ଲାମୀ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ବିକ୍ଷୋଭରେ ଆକ୍ରମଣକାରୀ ଜନୈକ ଆଲଜେରିୟ ନାଗରିକ ଅଟନ୍ତି। ୩୭ ବର୍ଷ ବୟଷ୍କ ଏହି ଆତତାୟୀର ନାମ ଆତଙ୍କବାଦୀ ସୂଚୀ ଏଫଏସପିଆରଟିରେ ମଧ୍ୟ ରହିଛି। 

ଏହି ସୂଚୀ ୨୦୧୫ ମସିହାରେ ‘ଚାର୍ଲି ହେବଦୋ’  କାର୍ଯ୍ୟାଳୟ ଓଏକ ଇୟୁଦୀ ସୁପରମାର୍କେଟ ଉପରେ ହୋଇଥିବା ଆକ୍ରମଣ ପରେ ପ୍ରସ୍ତୁତ କରାଯାଇଥିଲା। ପ୍ରୋସିକ୍ୟୁଟର ନିକୋଲାସ ହେଟଜଙ୍କ ଅନୁସାରେ ଛୁରିକା ଆକ୍ରମଣରେ ଜଣେ ଅଫିସରଙ୍କ ଗର୍ଦ୍ଦନର ଧମନୀ (କ୍ୟାରୋଟିଡ ଆର୍ଟେରୀ) କଟିଥିବା ବେଳେ ଦ୍ୱିତୀୟ ଅଧିକାରୀଙ୍କ ଛାତିରେ ଗଭୀର ଆଘାତ ଲାଗିଛି। ଆକ୍ରମଣ ଘଟଣା ପରେ ପୋଲିସ ପୁରା ଇଲାକାକୁ ଘେରାଉ କରି ରଖିଛି। ଜାତୀୟ ଆତଙ୍କବାଦ ନିରୋଧ ୟୁନିଟ୍ ପିଏନଏଟି ଏହି ମାମଲାର ଯାଞ୍ଚ ହାତକୁ ନେଇଛି। 

ମୁଲହାଉସ୍ ମେୟର ମିସେଲ ଲୁଟଜ୍ ଏହି ଆକ୍ରମଣକୁ ଆତଙ୍କବାଦ କୃତ୍ୟ ବୋଲି କହିଛନ୍ତି। ତେବେ ନ୍ୟାୟପାଳିକାଙ୍କୁ ଏହାର ପୁଷ୍ଟି କରିବାକୁ ପଡିବ। ସୂତ୍ର ଅନୁସାରେ ଆକ୍ରମଣକାରୀ ବିଚାରବିଭାଗୀୟ ଦେଖରେଖରେ ନଜରବନ୍ଦୀ ଥିଲା ଓ ତାକୁ ଫ୍ରାନସରୁ ବାହାର କରିବା ପାଇଁ ଆଦେଶ ଦିଆଯାଇଥିଲା। ଫ୍ରାନ୍ସରେ ଲଗାତାର ବଢୁଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଏହି ଆକ୍ରମଣକୁ ଏକ ଗୁରୁତର ସୁରକ୍ଷା ତ୍ରୁଟି ମନେ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.