ଚୀନ୍‌ ଆଡ଼କୁ ମୁହାଁଉଛନ୍ତି ବିଦେଶୀ ନିବେଶକ, ‘ଡ୍ରାଗନ୍‌’ର ଏହି ଚାଲ୍ କରୁଛି ଆକର୍ଷିତ

Published By : Prameya-News7 Bureau | October 06, 2024 IST

ନୂଆଦିଲ୍ଲୀ: ଏବେ ଭାରତ ଛାଡ଼ି ଚୀନ୍‌ ଆଡ଼କୁ ମୁହାଁଉଛନ୍ତି ବିଦେଶୀ ନିବେଶକ ବା ଏଫପିଆଇ। କାରଣ ବିଗତ କିଛି ମାସ ମଧ୍ୟରେ ଏଫପିଆଇ ପ୍ରାୟ ୧.୨୪ ଲକ୍ଷ କୋଟି ଟଙ୍କା ଭାରତୀୟ ଶେୟାର ମାର୍କେଟରୁ ପ୍ରତ୍ୟାହାର କରିଛନ୍ତି। ଏଥିରେ ଜୁନ୍‌ରେ ୨୬,୫୬୫ କୋଟି ଟଙ୍କା, ଜୁଲାଇରେ ୩୨,୩୬୫ କୋଟି ଟଙ୍କା, ଅଗଷ୍ଟରେ ୭,୩୨୦ ଏବଂ ସେପ୍ଟେମ୍ବରରେ ୫୭, ୭୨୪ କୋଟି ଟଙ୍କା ରହିଛି ।ବଡ଼ କଥା ହେଲା ଅକ୍ଟୋବରରେ ମାତ୍ର ଅକ୍ଟୋବରରେ ମାତ୍ର ଚାରି ଦିନରେ ୨୭ ହଜାର କୋଟି ଟଙ୍କାରୁ ଅଧିକ ପ୍ରତ୍ୟାହାର କରିଛନ୍ତି। ଏହା କୌଣସି ସାମାନ୍ୟ ତଥ୍ୟ ନୁହେଁ। ତେବେ କାହିଁକି ଶେୟାର ବଜାରରୁ ଏତେ ଟଙ୍କା କାଢ଼ିଛନ୍ତି ଏଫପିଆଇ ? ଏହା ପରେ କ’ଣ କାରଣ ରହିଛି ? ଜାଣନ୍ତୁ...

ପ୍ରକୃତରେ କିଛି ବର୍ଷରୁ ଉଦୀୟମାନ ବଜାରରେ ଟଙ୍କା ଲଗାଉଥିବା ନିବେଶକ ଭାରତ ଉପରେ ଭରସା ଏଥିପାଇଁ କରୁଥିଲେ, କାରଣ ଚୀନର ଅର୍ଥନୀତିରେ ହ୍ରାସ ଦେଖିବାକୁ ମିଳୁଥିଲା। କୋଭିଡ ପରେ ଯେଉଁ ପରିସ୍ଥିତି ସାମ୍‌ନାକୁ ଆସିଥିଲା ସେଥିରେ ଚୀନ ବଜାର ଉପରୁ ବିଦେଶୀ ନିବେଶକ ଭରସା ହରାଇଥିଲେ। ଆଉ ଏମିତିରେ ବିଦେଶୀ ନିବେଶକ, ବିକଳ୍ପ ଭାବରେ ଭାରତରେ ଖୁବ୍‌ ଅର୍ଥ ନିବେଶ କରିଥିଲେ। ହେଲେ ଏବେ ଏକ ନୂଆ ଚାଲ୍ ଖେଳି ଚୀନ ଏହି ଏଫପିଆଇଙ୍କୁ ନିଜକ ଆଡ଼କୁ ଆକୃଷ୍ଟ କରିବାରେ ଲାଗିଛି। 

ପ୍ରକୃତରେ ଚୀନ ସରକାର ଅର୍ଥନୀତିକୁ ବୁଷ୍ଟ୍‌ କରିବା ପାଇଁ  ୧୪୦ ବିଲିୟନ ଡଲାରର ପ୍ୟାକେଜର ଘୋଷଣା କରିଛନ୍ତି। ଏହାର ପ୍ରଭାବ ଏଭଳି ହୋଇଛି ଯେ, ବିଦେଶୀ ନିବେଶକ ଭାରତର ଶେୟାର ବଜାରରୁ ଲାଭ ନେଇ ଚୀନର ଶେୟାର ବଜାରରେ ଲଗାଇଛନ୍ତି। ଯେଉଁ କାରଣରୁ ଗତ ସପ୍ତାହରେ ଶେୟାର ବଜାରରେ ୪.୫ ପ୍ରତିଶତୀ ହ୍ରାସ ଦେଖିବାକୁ ମିଳିଛି। 

ବିଦେଶୀ ନିବେଶକଙ୍କ ୟୁ-ଟର୍ଣ୍ଣ

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ, କଞ୍ଚାତେଲ ଦାମ୍‌ରେ ବୃଦ୍ଧି ଏବଂ ଚୀନ ବଜାରର ଉତ୍ତମ ପ୍ରଦର୍ଶନ କାରଣରୁ ଅକ୍ଟୋବରର ପ୍ରଥମ ତିନି କାରବାର ଦିନରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ଭାରତୀୟ ଶେୟାର ବଜାରରୁ ୨୭,୧୪୨ କୋଟି ଟଙ୍କା କାଢ଼ିଲେଣି। ଏହା ପୂର୍ବରୁ ସେପ୍ଟେମ୍ବରରେ ଭାରତୀୟ ଶେୟାର ବଜାରରେ ଏଫପିଆଇ ନିବେଶ ୯ ମାସର ଉଚ୍ଚସ୍ତର ୫୭, ୭୨୪ କୋଟି ଟଙ୍କାରେ ପହଞ୍ଚିଥିଲା। ଏପ୍ରିଲ-ମେ ଶେୟାରରୁ ୩୪, ୨୫୨ କୋଟି ଟଙ୍କା କାଢ଼ିବା ପରେ ଜୁନରୁ ହିଁ ଲଗାତାର ଭାବରେ କ୍ରୟ ଜାରି ରଖିଛନ୍ତି ନିବେଶକ। ଡିପୋଜିଟୋରୀ ତଥ୍ୟରୁ ଜଣାପଡ଼ିଛି ଯେ, ୨୦୨୪ରେ ଜାନୁଆରୀ, ଏପ୍ରିଲ ଏବଂ ମେକୁ ଛାଡ଼ି ଦେଲେ ଅନ୍ୟ ମାସରେ ଏଫପିଆଇ କ୍ରୟ କରିଛନ୍ତି। ସେହିଭଳି ଚଳିତ ବର୍ଷରେ ଏପର୍ଯ୍ୟନ୍ତ ଏଫପିଆଇ ଶେୟାରରେ ୭୩, ୪୬୮ କୋଟି ଟଙ୍କା ଏବଂ ଋଣ କିମ୍ବା ବଣ୍ଡ୍‌ ବଜାରରେ ୧.୦୯ ଲକ୍ଷ କୋଟି ଟଙ୍କାର ନିବେଶ କରିଛନ୍ତି। 

ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭୂ-ରାଜନୈତିକ ଘଟଣାକ୍ରମ ଏବଂ ଭବିଷ୍ୟତରେ ସୁଧ ହାର କିଭଳି ରହିବ ? ତାହା ଭାରତୀୟ ବଜାରରେ ଏଫପିଆଇର ନିବେଶ ଦିଗ ନିର୍ଦ୍ଧାରିତ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.