ଅବସରପ୍ରାପ୍ତ IPS ଲାଲଦୁହୋମା ହେଲେ ମିଜୋରାମ ମୁଖ୍ୟମନ୍ତ୍ରୀ, ଏକଦା ଥିଲେ ଇନ୍ଦିରାଙ୍କ ସୁରକ୍ଷା ଦାୟିତ୍ୱରେ

Published By : Prameya-News7 Bureau | December 08, 2023 IST

ଆଇଜୋଲ ୮।୧୨: ଜୋରାମ ପ୍ୟୁପିଲସ୍‌ ମୁଭମେଣ୍ଟ (ଜେଡପିଏମ) ନେତା ଲାଲଦୁହୋମା (୭୩) ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୮ ଡିସେମ୍ବର ଶୁକ୍ରବାର ସେ ରାଜଧାନୀ ଆଇଜୋଲରେ ଅନୁଷ୍ଠିତ ଶପଥପାଠ ସମାରୋହରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିବା ସହ ପାର୍ଟିର ଅନ୍ୟ କିଛି ନେତାଙ୍କୁ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ସବୁଠୁ ରୋଚକ କଥା ହେଉଛି ସେ ରାଜ୍ୟର ପ୍ରଥମ ଏପରି ମୁଖ୍ୟମନ୍ତ୍ରୀ ଯିଏ କଂଗ୍ରେସ କି ଏମଏନଏଫର ନୁହନ୍ତି।

ଜେଡପିଏମ ବିଧାୟକ ଦଳ ବୈଠକରେ ମଙ୍ଗଳବାର ଲାଲଦୋହମାଙ୍କୁ ଦଳର ନେତା ଓ କେ. ସପଡାଙ୍ଗାଙ୍କୁ ଉପନେତା ମନୋନୀତ କରାଯାଇଥିଲା। ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଲାଲଦୁହୋମା ସେରଛିପ ଆସନରେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) ପ୍ରାର୍ଥୀ ଜେ.ମାଲସାଭମଜୁଆଲା ୱାନଚୱଙ୍ଗଙ୍କୁ ୨,୯୮୨ ଭୋଟରେ ପରାସ୍ତ କରିଥିଲେ। ଦଳବଦଳ ବିରୋଧୀ ଆଇନରେ ଅଯୋଗ୍ୟ ଘୋଷିତ ହୋଇଥିବା ପ୍ରଥମ ସାଂସଦ ବ୍ୟତୀତ ମିଜୋରାମର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଲାଲଦୁହମାଙ୍କ ରାଜନୈତିକ ଯାତ୍ରା ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା।

wp:html /wp:html

ଆଇପିଏସ୍ ଅଫିସର ଭାବେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସୁରକ୍ଷା ଅଧିକାରୀ ଭାବେ ମଧ୍ୟ କାମ କରିଛନ୍ତି। ଲାଲଦୁହୋମା ପ୍ରଥମ ଥର ୧୯୮୪ ମସିହାରେ କଂଗ୍ରେସ ଟିକେଟ୍‌ରେ ମିଜୋରାମ ବିଧାନସଭା ନିର୍ବାଚନ ଲଢିଥିଲେ। ତେବେ ସେ ପ୍ୟୁପିଲସ୍ କନଫରେନ୍ସ ପାର୍ଟି ପ୍ରାର୍ଥୀଙ୍କଠାରୁ ମାତ୍ର ୮୪୬ ଭୋଟରେ ପରାସ୍ତ ହୋଇଥିଲେ। ସେହିବର୍ଷ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ନିର୍ଦ୍ୱନ୍ଦ୍ୱରେ ସଂସଦକୁ ନିର୍ବାଚିତ ହୋଇଥିଲେ।

ଲାଲଦୁହୋମା କଂଗ୍ରେସ ଛାଡିବା ପରେ ୧୯୮୮ ମସିହାରେ ଦଳବଦଳ ନିରୋଧୀ ଆଇନରେ ଅଯୋଗ୍ୟ ଘୋଷିତ ହୋଇଥିବା ଦେଶର ପ୍ରଥମ ସାଂସଦ ପାଲଟିଥିଲେ। ସେ ଦଳବଦଳ ନିରୋଧୀ ଆଇନରେ କେବଳ ଅଯୋଗ୍ୟ ସାଂସଦ ନୁହେଁ ବିଧାୟକ ଭାବେ ମଧ୍ୟ ଅଯୋଗ୍ୟ ଘୋଷିତ ହୋଇଥିଲେ। ୪୦ ସଦସୀୟ ମିଜୋରାମ ବିଧାନସଭାରେ ଲାଲଦୁହୋମାଙ୍କ ଜେଡପିଏମ୍ ୨୭ଟି ଆସନ ପାଇଛି। ଜେଡପିଏମ ଏକ ରାଜନୈତିକ ଦଳ ଭାବେ ୨୦୧୯ ମସିହାରେ ସ୍ୱୀକୃତି ପାଇଥିଲା। ଗତ ବିଧାନସଭା ନିର୍ବାଚନରେ ଜେଡପିଏମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗାଙ୍କ ଏମଏନଏଫକୁ ରାଜ୍ୟରେ ପରାସ୍ତ କରିଛି।  

ଟଙ୍କା ନେଇ ପ୍ରଶ୍ନ କରିବା ମାମଲା, ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସଂସଦ ସଦସତ୍ୟ ରଦ୍ଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.