ଜଗତସିଂହପୁର ୮/୪: ଉଭୟଙ୍କ ମଧ୍ୟରେ ଥିଲା ପ୍ରେମ ସଂପର୍କ । ବିବାହ କରି ଏକାଠି ରହିବାକୁ ଦେଖୁଥିଲେ ସ୍ବପ୍ନ । ପ୍ରେମୀ ଯୁଗଳଙ୍କ ଚୋରା ପ୍ରେମ କିନ୍ତୁ ଘର ଲୋକଙ୍କ ସାମ୍ନାରେ ଧରାପଡିଯାଇଥିଲା । ବାସ୍ ତା ପରଠୁ ଆରମ୍ଭ ହୋଇଯାଇଥିଲା ବିରୋଧ । ସଂପର୍କକୁ ନେଇ ଖୁସି ନଥିଲେ ପରିବାର ଲୋକ । ଅଲଗା ହେବାକୁ ଦେଉଥିଲେ ଚାପ । ଏହି କଥାକୁ ନେଇ ଟେନସନ ହୋଇଯାଇଥିଲେ ପୁଅ-ଝିଅ । ଏକାଠି ଜିଇଁବା ମରିବାର ଶପଥ ନେଇ କଲେଜ ପରିସରରେ ଏକାଠି ବିଷ ପିଇ ଦେଲେ ।
ଜଗତସିଂହପୁର ଜିଲ୍ଲା ନାଉଗାଁ କଲେଜରେ ଆଲୋଡନ । ଛାତ୍ର ଜଣକ କାକଟପୁର ଅଞ୍ଚଳର ହୋଇଥିବାବେଳେ ଛାତ୍ରୀଙ୍କ ଘର ନାଉଗାଁରେ । ଉଭୟ ନାଉଗାଁ ସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଯୁକ୍ତ ୩ ପଢୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିବାବେଳେ ବିରୋଧ କରୁଥିଲେ ପରିବାର ଲୋକ । ସେଥିରେ ହତାଶ ହୋଇ ଉଭୟ ଏପରି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଉଭୟଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।