୬୦ ଘଣ୍ଟାର ତାଣ୍ଡବ, ୧୬୬ ମୃତ: ମନେ ପଡେ ସେଦିନ ଆତଙ୍କର କଳାକାହାଣୀ

Published By : Prameya-News7 Bureau | November 26, 2024 IST

ମୁମ୍ୱାଇ ୨୬/୧୧: ନଭେମ୍ବର ୨୬ ସମ୍ବିଧାନ ଦିବସ । ତେବେ ଏହିଦିନ ଭାରତ ପାଇଁ ଥିଲା କଳାଦିନ । କାରଣ ଏଦି ଦିନ ପ୍ରତିଟି ଭାରତୀୟ ପାଇଁ ପାଲଟିଥିଲା ଅଭୁଲା ଇତିହାସ । ଯାହାକି ମନରୁ ଲିଭିବା କଷ୍ଟକର । ଆଜ୍ଞା ହଁ ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଦୋହଲିଯାଇଥିଲା ପୂରା ଭାରତ । 

୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୬ ବର୍ଷ । କିନ୍ତୁ ଦେଶବାସୀ ଆଜି ବି ସେ ସମୟକୁ ମନେପକାଇ ଭୟରେ ଥରନ୍ତି । ସ୍ୱାଧୀନ ଭାରତ ଇତିହାସରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା । ଏହି ଆକ୍ରମଣରେ ୧୮ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଆତଙ୍କବାଦୀମାନେ ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ମୁମ୍ବାଇର ତାଜ ହୋଟେଲକୁ ଟାର୍ଗେଟ କରିଥିଲେ ।

ସମସ୍ତ ୧୦ ଆତଙ୍କବାଦୀ ଏକ ଡଙ୍ଗାରେ ପାକିସ୍ତାନର କରାଚିରୁ ମୁମ୍ବାଇ ଯାଇଥିଲେ । ସେ କେବଳ ସମୁଦ୍ର ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ । ଭାରତୀୟ ନୌସେନା ଆଖିରେ ଧୂଳି ଦେଇ ରାସ୍ତାରେ ଏକ ଭାରତୀୟ ଡଙ୍ଗାକୁ ଅପହରଣ କରି ସେଥିରେ ଥିବା ସମସ୍ତ ଲୋକଙ୍କୁ ହତ୍ୟା କରିଥିଲେ । 

ଏହି ଡଙ୍ଗା ବ୍ୟବହାର କରି ସେ ରାତି ପ୍ରାୟ ୮ଟାରେ କୋଲାବା ନିକଟ ମାଛ ବଜାରରେ ଓହ୍ଲାଇ ଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀମାନେ ତାଙ୍କ ଉପରେ ସନ୍ଦେହ ସୃଷ୍ଟି କରି, ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ହେଲେ ପୋଲିସ ଏହାକୁ ହାଲୁକା ଭାବେ ନେଇଥିଲା । ୨୬ ନଭେମ୍ବରରେ, ସେ ପ୍ରଥମେ ମୁମ୍ବାଇରେ ସବୁକିଛି ଯାଞ୍ଚ କରିଥିଲେ । ସନ୍ଧ୍ୟାରେ ଆରମ୍ଭ କରିଥିଲେ ତାଙ୍କର ମାଷ୍ଟର ପ୍ଲାନ । 

କୋଲାବା ଠାରୁ ଆତଙ୍କବାଦୀମାନେ ପ୍ରତ୍ୟେକ ୪ଟି ଗ୍ରୁପ୍‌ରେ ଟ୍ୟାକ୍ସି ନେଇ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ । ଆତଙ୍କବାଦୀଙ୍କ ଏକ ଟିମ୍ ଛତ୍ରପତି ଶିବାଜୀ ଟର୍ମିନାଲ ରେଳ ଷ୍ଟେସନରେ ରାତି ୯.୩୦ରେ ପହଞ୍ଚିଥିଲେ । ସମସ୍ତଙ୍କ ହାତରେ AK-47 ରାଇଫଲ ଥିଲା ଏବଂ ସେମାନେ ନିର୍ଦ୍ଦିଷ୍ଟ ଭାବରେ ଗୁଳିମାଡ କରିଥିଲେ । ଏହି ଆକ୍ରମଣକାରୀଙ୍କ ମଧ୍ୟରେ ଥିଲା ଅଜମଲ କସାବ ।  

ଆତଙ୍କବାଦୀମାନେ ସେହି ରାତିରେ ମୁମ୍ବାଇର ଅନେକ ପ୍ରସିଦ୍ଧ ସ୍ଥାନକୁ ଟାର୍ଗେଟ କରିଥିଲେ । ମୁମ୍ବାଇରେ ଅବସ୍ଥିତ ବିଶ୍ୱ ସ୍ତରୀୟ ହୋଟେଲ ମଧ୍ୟରୁ ତାଜ ହୋଟେଲ, ଓବରୋଇ ଟ୍ରାଇଡେଣ୍ଟ ହୋଟେଲ ଏବଂ ନରିମାନ ହାଉସକୁ ଟାର୍ଗେଟ କରଥିଲେ । ଆତଙ୍କବାଦୀମାନେ ମୁମ୍ବାଇର ଗର୍ବ ବୋଲି କୁହାଯାଉଥିବା ତାଜ ହୋଟେଲକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଥିଲେ । 

ତିନି ଦିନ ଧରି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିଲା । ପୋଲିସ ଏବଂ ସେନା ଅପରେସନ ମଧ୍ୟ ବିଫଳ ହୋଇଥିବା ଜଣାପଡିଥିଲା । ପରେ NSG କମାଣ୍ଡୋମାନଙ୍କୁ ଡକଯାଇଥିଲା । ଏନଏସଜି କମାଣ୍ଡୋମାନେ ସମସ୍ତ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ତାଙ୍କର ସାହସିକତା ହେତୁ ଭାରତକୁ ଘୋଟି ଆସିଥିବା ବଡ ସଙ୍କଟ ଟଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.