ଆମେରିକା ସହ ପାକିସ୍ତାନର ଗୋପନ ଚୁକ୍ତି ଖୁଲାସା; ଋଣ ପାଇଁ ଶସ୍ତାରେ ବିକ୍ରି କରିଛି ଅସ୍ତ୍ରଶସ୍ତ୍ର

Published By : Prameya-News7 Bureau | September 19, 2023 IST

ଇସ୍‌ଲାମାବାଦ,୧୮/୯: ଆର୍ଥିକ ସଂକଟରେ ଜୁଝି ଦେଉଥିବା ପାକିସ୍ତାନର ଚାଲାକି ଧରାପଡ଼ିଲା । ଆଇଏମଏଫ ଠାରୁ ଋଣ ପାଇବା ପାଇଁ ଆମେରିକା ସହ ମିଶି ଚକ୍ରାନ୍ତ କରିଥିଲା ପାକ୍ । ଋଣ ପାଇଁ ଶସ୍ତାରେ ବିକ୍ରି କରିଥିଲା ଅସ୍ତ୍ରଶସ୍ତ୍ର । ୨୦୨୨ରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଠାରୁ ଋଣ ପାଇବାରେ ପାକିସ୍ତାନ ପ୍ରଥମେ ବିଫଳ ହୋଇଥିଲା । ଆଇଏମ୍‌ଏଫ୍‌ ନ ଶୁଣିବା ପରେ ଆମେରିକାଠାରୁ ଅନ୍ତର୍ଜାତୀୟ ସଂଗଠନ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହୋଇ ଫେଲ୍ ମାରିଛି । ସବୁଠାରେ ନିରାଶ ହେବା ପରେ ଶେଷରେ ଆମେରିକା ସହ ଏକ ଭିତିରିଆ ଚୁକ୍ତି କରିଛି ପାକିସ୍ତାନ । ଚୁକ୍ତି ଅନୁସାରେ ଆମେରିକାକୁ ପାକିସ୍ତାନ ଶସ୍ତାରେ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା । ଚଳିତବର୍ଷ ଅତି ଗୋପନ ଭାବେ ଏହି କାରବାର ହୋଇଥିଲା । ‘ଦ ଇଣ୍ଟରସେପ୍ଟ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏଭଳି କିଛି ଖୁଲାସା ହୋଇଛି ।

ଆମେରିକା-ପାକିସ୍ତାନ ଚୁକ୍ତି ସହ ଜଡ଼ିତ ଦୁଇଜଣଙ୍କ ସୂଚନାକୁ ଆଧାର କରି ଦି ଇଣ୍ଟରସେପ୍ଟ ଏହି ରିପୋର୍ଟ ପ୍ରକାଶ କରିଛି । ଏ ନେଇ ହସ୍ତଗତ ହୋଇଥିବା ଉଭୟ ଦେଶର କିଛି ସରକାରୀ କାଗଜପତ୍ରରୁ ସାମ୍ନାକୁ ଆସିଛି । ଏଥରେ ସ୍ପଷ୍ଟ ହୋଇଛି ଯେ, ଆଇଏମ୍‌ଏଫ୍‌ ଠାରୁ ଋଣ ପାଇବା ପାଇଁ ପାକିସ୍ତାନ ଆମେରିକାକୁ ଶସ୍ତାରେ ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା । ଆର୍ଥିକ ସଂକଟର ସାମ୍ନା କରୁଥିବା ପାକିସ୍ତାନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାରେ କୌଣସି ଊଣା କରୁନାହିଁ । ଭୀଷଣ ଦୁରବସ୍ଥାରେ ବି ଏହା ଆଣବିକ ଅସ୍ତ୍ର ସଂଖ୍ୟା ବଢ଼ାଇ ଚାଲିଛି । ଦ ଇଣ୍ଟରସେପ୍ଟ ରିପୋର୍ଟ ମୁତାବକ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଆମେରିକା ବିପୁଳ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା । ଅଧିକ ଆବଶ୍ୟକ ପଡ଼ିବାରୁ କିସ୍ତାନକୁ ଫାନ୍ଦରେ ପକାଇଥିଲା । ଆଇଏମ୍‌ଏଫ୍‌ ଋଣ ପାଇବାକୁ ହେଲେ ଅସ୍ତ୍ରଶସ୍ତ୍ର ଦେବାକୁ ପଡ଼ିବ ବୋଲି କହିଥିଲା । ପାକିସ୍ତାନ କିଛି ଉପାୟ ନ ପାଇ ଏଥିରେ ରାଜି ହୋଇଯାଇଥିଲା । ଚଳିତବର୍ଷ ହିଁ ଏହା ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା, ଯାହାକୁ ୟୁକ୍ରେନ୍‌ ଚାଲାଣ କରାଯାଇଥିଲା । ଏପଟେ ପାକିସ୍ତାନକୁ ୩୦୦ କୋଟି ଡଲାର ଋଣ ଯୋଗାଇବାକୁ ଆଇଏମ୍‌ଏଫ୍‌ ଜୁଲାଇରେ ଅନୁମୋଦନ ଦେଇଥିଲା । ପାକିସ୍ତାନର ଏଭଳି ପଦକ୍ଷେପକୁ  ଅନେକ ଲୋକ ବିରୋଧ କରିଥିଲେ । ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ବି କରାଯାଇଥିଲା । ଆର୍ଥିକ କାରବାର ପଛରେ ଏଭଳି ହୀନ ରାଜନୈତିକ ଚକ୍ରାନ୍ତକୁ ଦେଶବାସୀ ନିନ୍ଦା କରିଥିଲେ ।

wp:embed {"url":"https://www.prameyanews7.com/india-rejects-allegations-by-canada-said-we-are-a-democratic-polity/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-rejects-allegations-by-canada-said-we-are-a-democratic-polity/
/wp:embed

୨୦୨୨ ଏପ୍ରିଲରେ ଆମେରିକା କଥାରେ ପଡ଼ି ପାକ୍‌ ସେନା, ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । କାରଣ ଆମେରିକା କଥାରେ ମୁଣ୍ଡ ନୁଆଁଇବାକୁ ଚାହୁଁ ନଥିଲେ ଇମ୍ରାନ୍‌ । ଏହାପରେ ତାଙ୍କୁ ଗାଦିଚ୍ୟୁତ କରାଯାଇଥିଲା । ଇମ୍ରାନ୍‌ଙ୍କ ଅପସାରଣ ପରେ ଯୁଦ୍ଧକୁ ନେଇ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକର ସମର୍ଥକ ପାଲଟିଥିଲା ଇସ୍‌ଲାମାବାଦ । ଫଳରେ ପାକିସ୍ତାନର ନୂଆ ଶାହବାଜ ସରକାରକୁ ଆଇଏମ୍‌ଏଫ୍‌ ଋଣ ମିଳିଥିଲା । ଏହା ସହିତ ସାଧାରଣ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ଦ ଇଣ୍ଟରସେପ୍ଟ ରିପୋର୍ଟ ଦର୍ଶାଇଛି ଯେ ବିଭିନ୍ନ ଭଳିର ମୌଳିକ ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ପାକିସ୍ତାନ ଏକ ପେଣ୍ଠସ୍ଥଳ । ତେଣୁ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିବା ଲାଗି ଆମେରିକା ଏହା ଉପରେ ଆଖି ପକାଇଥିଲା । ପାକ୍‌ ସେନାର ଲିକ୍‌ ହୋଇଥିବା ଦସ୍ତାବିଜ ଅନୁସାରେ, ୨୦୨୨ ଗ୍ରୀଷ୍ମ ଓ ୨୦୨୩ ବସନ୍ତ ଋତୁ ମଧ୍ୟରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରଶସ୍ତ୍ର କାରବାର ନେଇ ରାଜିନାମା ହୋଇଥିଲା । ଆମେରିକାର ଜଣେ ବ୍ରିଗେଡିୟର୍‌ ଜେନେରାଲଙ୍କ ଦସ୍ତଖତ ଥିବା ଏକ ଦସ୍ତାବିଜକୁ ମର୍ଟଗେଜ୍‌ ରେକର୍ଡ ଭାବେ ରଖାଯାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.