କର୍ଣ୍ଣାଟକରେ ପରିବାରଙ୍କ ମାସିକ ହାରାହାରି ଆୟ ସବୁଠୁ ଅଧିକ, ପଛରେ ପଡିଲା ମହାରାଷ୍ଟ୍ର

Published By : Prameya-News7 Bureau | December 26, 2023 IST

ନୂଆଦିଲ୍ଲୀ ୨୬।୧୨: ଦେଶରେ ପରିବାରଙ୍କ ହାରାହାରି ମାସିକ ଆୟ ମାମଲାରେ କର୍ଣ୍ଣାଟକ ଅଗ୍ରଣୀ ରାଜ୍ୟ ପାଲଟିଛି। ୨୦୨୩ରେ କର୍ଣ୍ଣାଟକରେ ପ୍ରତି ପରିବାର ହାରାହାରି ମାସିକ ଆୟ ୩୫,୪୧୧ ଟଙ୍କା ରହିଛି। ‘ମନି-ନାଇନ୍ ବାର୍ଷିକ ପର୍ସନାଲ ଫାଇନାନ୍ସ ପ୍ଲସ୍ ସର୍ଭେକ୍ଷଣ ୨୦୨୩ ’ ରିପୋର୍ଟରୁ ଏହା ଜଣାପଡିଛି। ଫଳରେ ପାରିବାରିକ ମାସିକ ଆୟରେ କର୍ଣ୍ଣାଟକ ଠାରୁ ମହାରାଷ୍ଟ୍ର ପଛେଇ ଯାଇଛି। ସର୍ଭେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ ଦେଶରେ ନାଗରିକଙ୍କୁ ଚିକିତ୍ସା ବ୍ୟୟ ତୁଲାଇବା କଷ୍ଟକର ହେଉଛି।

ଅଚାନକ କୌଣସି ଗୁରୁତର ରୋଗରେ ପଡିବା ଯୋଗୁ ୨୦୨୩ ମସିହାରେ ୨୨ ପ୍ରତିଶତରୁ ଅଧିକ ଲୋକଙ୍କୁ ସେମାନଙ୍କ ସାରା ଜୀବନର ସଞ୍ଚୟ ହରାଇବାକୁ ପଡିଥିବା ଏହି ରିପୋର୍ଟରୁ ଜଣାପଡିଛି। ସେହିପରି ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଯେ ୫୬ ପ୍ରତିଶତରୁ ଅଧିକ ଭାରତୀୟ ପରିବାର କୌଣସି ବି ମୂହୁର୍ତ୍ତରେ ଚାକିରୀ ହରାଇବାର ଭୟରେ ବଞ୍ଚୁଛନ୍ତି। ସର୍ଭେକ୍ଷଣରେ ଭାରତୀୟ ପରିବାରଙ୍କ ଆୟ, ଖର୍ଚ୍ଚ, ଜୀବନସ୍ତର, ସଞ୍ଚୟ, ନିବେଶ ଓ ଭବିଷ୍ୟତର ଆକାଙକ୍ଷା ଅନୁଧ୍ୟାନ କରାଯାଇଥିଲା।

{"id":887990,"sizeSlug":"full","linkDestination":"none"}

ଏହି ସର୍ଭେକ୍ଷଣରେ ରାଜ୍ୟମାନଙ୍କ ମାସିକ ଆୟ ଆକଳନ କରାଯାଇଥିଲା। ଏଥିରେ ମାସିକ ହାରାହାରି ପାରିବାରିକ ଆୟ ମାମଲାରେ କର୍ଣ୍ଣାଟକ ମହାରାଷ୍ଟ୍ରକୁ ପଛରେ ପକାଇଥିବା କୁହାଯାଇଛି। ୨୦୨୩ରେ କର୍ଣ୍ଣାଟକରେ ପ୍ରତିପରିବାର ମାସିକ ଆୟ ୩୫,୪୧୧ ଟଙ୍କା ଥିବା ଜଣାପଡିଛି। ଗତବର୍ଷ ସର୍ଭେକ୍ଷଣରେ ପାରିବାରିକ ମାସିକ ଆୟ ମାମଲାରେ ମହାରାଷ୍ଟ୍ର ଦେଶରେ ଅଗ୍ରଣୀ ରାଜ୍ୟ ଥିଲା। ସର୍ଭେକ୍ଷଣରେ ଦେଶର ୨୦ ରାଜ୍ୟଙ୍କ ୧,୧୭୦ ସ୍ଥାନରେ ୧୧୫ ଜିଲ୍ଲାର ୩୫ ହଜାରରୁ ଅଧିକ ଘରଙ୍କୁ ସାମିଲ କରାଯାଇଥିଲା।

ରିସର୍ଚ୍ଚ ଟ୍ରାଇଏଙ୍ଗଲ ଇନିଷ୍ଟିଚ୍ୟୁଟ୍ (ଆରଟିଆଇ) ସହଯୋଗରେ କରାଯାଇଥିବା ଏହି ସର୍ଭେକ୍ଷଣରେ କୋଭିଡ ମହାମାରୀ ପରେ ପ୍ରବାସୀ ଶ୍ରମିକ ପୁଣି ସହର ମୁହାଁ ହୋଇଥିବା ଜଣାପଡିଛି। ଫଳରେ ୨୦୨୩ରେ ସହରାଞ୍ଚଳରେ ରହୁଥିବା ପରିବାରଙ୍କ ହାରାହାରି ମାସିକ ଆୟ ୧୨ ପ୍ରତିଶତ ବଢି ୨୫,୯୧୦ଟଙ୍କା ହୋଇଯାଇଥିବା କୁହାଯାଇଛି। ଏଥିରୁ ଏହା ମଧ୍ୟ ଜଣାପଡିଛି ଯେ ୭୭ପ୍ରତିଶତ ଭାରତୀୟ ଏବେବି ମାସିକ ୩୫ ହଜାରରୁ କମ ଆୟ କରୁଛନ୍ତି। ତେବେ ୩୦ ପ୍ରତିଶତ ପରିବାର ଗତ ୫ ବର୍ଷରେ ସେମାନଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ହୋଇଥିବାର କହିଛନ୍ତି।  

{"id":888005,"width":840,"height":630,"sizeSlug":"full","linkDestination":"none"}

ସେହିପରି ନିବେଶର ନୂଆ ବିକଳ୍ପ ସତ୍ତ୍ୱେ ସୁନା ଓ ପାରମ୍ପରିକ ବ୍ୟାଙ୍କ ଜମା ପ୍ରତି ଭାରତୀୟଙ୍କ ଆକର୍ଷଣ କେନ୍ଦ୍ରିତ ଥିବା ଜଣାପଡିଛି।  ଏଥିରେ ୭୭ପ୍ରତିଶତ ଭାରତୀୟ ସେମାନଙ୍କ ସଞ୍ଚୟ ବ୍ୟାଙ୍କରେ ରଖିବାକୁ ପସନ୍ଦ କରୁଥିବା ବେଳେ ୨୧ ପ୍ରତିଶତ ସୁନାରେ ନିବେଶକୁ ଗୁରୁତ୍ୱ ଦେଉଥିବା ଜଣାପଡିଛି। ଏହା ଛଡା ଭାରତୀୟ ପରିବାରମାନଙ୍କରେ ବୀମା ଓ ସେୟାର ବଜାରରେ ନିବେଶ ପ୍ରତି ଆଗ୍ରହ ବଢୁଥିବାର ମଧ୍ୟ ଅହି ସର୍ଭେକ୍ଷଣରୁ ଜଣାପଡିଛି।ସେହିପରି ଆର୍ଥିକ ଆହ୍ୱାନ ସତ୍ତ୍ୱେ ଦେଶର ୩ ପ୍ରତିଶତ ପରିବାର ଆଗାମୀ ୬ ମାସରେ ଦୁଇ ଚକିଆ ବାହନ କ୍ରୟ ଲାଗି ସ୍ୱପ୍ନ ଦେଖୁଥିବା ବେଳେ ୧୦ ପ୍ରତିଶତରୁ ଅଧିକ ଲୋକେ ସ୍ମାର୍ଟ ଫୋନ କ୍ରୟ ନିମନ୍ତେ ଯୋଜନା କରିଛନ୍ତି।

‘ସମୁଦ୍ରତଳୁ ବି ଖୋଜି ବାହାର କରିବୁ’, ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ମାମଲାରେ ରକ୍ଷାମନ୍ତ୍ରୀଙ୍କ ବୟାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.