୧୦ ବର୍ଷର ଆଶା ହେଲା ପୁରଣ, ଖନନରୁ ମିଳିଲା ମୂଲ୍ୟବାନ ହୀରା, କୋଟିପତି ହୋଇଗଲେ ମଜୁରିଆ

Published By : Prameya-News7 Bureau | July 27, 2024 IST

ନୂଆଦିଲ୍ଲୀ ୨୭।୦୭:  କଥାରେ ଅଛି ଉପରବାଲା ଜବଭି ଦେତା ହେ ଦେତା ଛପର ଫାଡ କେ । ଏକଥା ଜଣେ ମଜୁରିଆଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ଦିନ ମଜୁରୀଆଙ୍କ ୧୦ ବର୍ଷର ଆଶା ହୋଇଛି ପୂରଣ । ମଜୁରିଆ ଜଣକ ରାତାରାତି ହୋଇଛନ୍ତି ମାଲେମାଲ୍‌ । ସେ ହେଉଛନ୍ତି ରାଜୁ ଗୋଣ୍ଡ । 

ଘଟଣା ଘଟିଛି ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ । ଲିଜ୍‌ରେ ନେଇଥିବା ଖଣି ଖୋଳିବା ସମୟରେ ରାଜୁ ଏକ ୧୯.୨୨ କ୍ୟାରେଟ୍‌ର ବଡ଼ ହୀରା ପାଇଛନ୍ତି । ଯାହା ଏବେ ନିଲାମ ହୋଇଛି । ଆଉ ରାଜୁ କୋଟିପତି ହୋଇଯାଇଛନ୍ତି । ସରକାରୀ ନିଲାମରୁ ଏହି ହୀରା ପ୍ରାୟ ୮୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । 

ମଧ୍ୟପ୍ରଦେଶର ପନ୍ନା ହୀରା ପାଇଁ ପ୍ରସିଦ୍ଧ ସ୍ଥାନ ଅଟେ । ପ୍ରାୟ ୩୦୦ ବର୍ଷ ଧରି ଏଠାରେ ହୀରା କାମ ଚାଲିଛି । ପନ୍ନାରେ ଯେକେହି ବି ୨୦୦-୨୫୦ ଟଙ୍କାରେ ହୀରା ଖୋଜିବା ପାଇଁ ଜମିକୁ ଲିଜ୍‌ରେ ନେଇପାରିବେ । ଏଥିପାଇଁ ପନ୍ନାର ହୀରା କାର୍ଯ୍ୟାଳୟରୁ ଅନୁମତି ନେବାକୁ ପଡିଥାଏ । 

ଲିଜ୍‌ ସମୟ ମଧ୍ୟରେ ଯଦି ଜଣେ ଶ୍ରମିକ ଖଣିରୁ ହୀରା ପାଏ, ତେବେ ମିଳିଥିବା ଏହି ହୀରା ଉପରେ ଶ୍ରମିକଙ୍କର ପୁରା ଅଧିକାର ରହିଛି । କିନ୍ତୁ ମଜୁରିଆଙ୍କୁ ହୀରା ପରିମାଣର ଟିକସ ଏବଂ ସରକାରୀ ରୟାଲଟି ଦେବାକୁ ପଡିଥାଏ । ଏହାପରେ ଅବଶିଷ୍ଟ ପରିମାଣ ମଜୁରିଆଙ୍କୁ ଦିଆଯାଏ । 

ଏବେ ପ୍ରଶ୍ନ ଆସୁଛି ମଜୁରିଆ ରାଜୁ ଗୋଣ୍ଡଙ୍କୁ ୮୦ ଲକ୍ଷ ଟଙ୍କାର ହୀରାରୁ କେତେ ଟଙ୍କା ମିଳିବ ?  ଖବର ଅନୁଯାୟୀ ହୀରାର ମୂଲ୍ୟ ଯାହା ବି ହେଉ ଏଥିରେ ୩୦% ଆୟକର ଦେବାକୁ ପଡିଥାଏ । ଏହାପରେ ୧୨% ରୟାଲଟି ଦେବାକୁ ପଡିବ । ୮୦ ଲକ୍ଷ ଟଙ୍କାର ହୀରାରେ ୨୪ ଲକ୍ଷ ଟଙ୍କା ଇନକମ୍‌ ଟ୍ୟାକ୍ସ ଏବଂ ପ୍ରାୟ ୧୦ ଲକ୍ଷ ଟଙ୍କା ରୟାଲଟି ଭାବରେ କଟାଯିବ । ଏହାର ଅର୍ଥ ହେଉଛି ୮୦ ଲକ୍ଷ ଟଙ୍କା ମଧ୍ୟରୁ ହୀରା ପାଇଥିବା ଶ୍ରମିକ ରାଜୁଙ୍କୁ ମିଳିବ ମାତ୍ର ୪୬ ଲକ୍ଷ ଟଙ୍କା ।  

ମୂଲ୍ୟବାନ ହୀରା ମିଳିବା ନେଇ ରାଜୁ କହିଛନ୍ତି ୨ ମାସ ପୂର୍ବରୁ ଏକ ଖଣିକୁ ଲିଜ୍‌ରେ ନେଇଥିଲେ । ବର୍ଷା ଦିନେ କ୍ଷେତରେ କିଛି କାମ ନ ଥାଏ, ସେଥିପାଇଁ ତାଙ୍କ ପରିବାର ପନ୍ନାରେ ଖଣିକୁ ଲିଜ୍‌ରେ ନେଇ ହୀରା ଖୋଜିବା କାମ କରନ୍ତି । ସେ ଆହୁରି କହିଛନ୍ତି ଖଣିରୁ ବହୁମୂଲ୍ୟ ହୀରା ମିଳିବାର ଅନେକ କାହାଣୀ ସେ ଶୁଣିଥିଲେ । କିନ୍ତୁ ଦିନେ ତାଙ୍କୁ ମଧ୍ୟ ମୂଲ୍ୟବାନ ହୀରା ମିଳିବ ବୋଲି ତାଙ୍କର ଆଶା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.