ବନ୍ୟା ବିଭୀଷିକାକୁ ନେଇ ତାତିଲେ ଲୋକେ, ବିଳମ୍ୱରେ ପହଞ୍ଚିବାରୁ ସ୍ପେନ୍ ରାଜା-ରାଣୀଙ୍କୁ କାଦୁଅ ମାଡ

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ ୦୫/୧୧: ସ୍ପେନ୍‌ର ଭାଲେନ୍ସିଆ  ଅଞ୍ଚଳରେ ଭୟଙ୍କର ବନ୍ୟା ଆସିବାରୁ ବ୍ୟାପକ  ଧନଜୀବନ ହାନି ହୋଇଛି । ଲୋକମାନେ ନାହିଁ  ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଭଳି  ସ୍ଥିତିରେ ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖିବା ପାଇଁ  ଯାଇଥିବା କିଙ୍ଗ୍‌ ଫିଲିପ୍‌ ଏବଂ ପତ୍ନୀ କ୍ୱିନ୍‌ ଲେଟିଜିଆଙ୍କ  ଉପରେ ଲୋକମାନେ କାଦୁଅ ଓ ଅଣ୍ଡା ଫିଙ୍ଗିଛନ୍ତି ।  କାଦୁଅ ଫିଙ୍ଗିବା ସହ ସେମାନେ ‘ହତ୍ୟାକାରୀ’ ଓ  ‘ଲାଜ କର’ ବୋଲି ସ୍ଲୋଗାନ ବି ଦେଇଛନ୍ତି । 

ସ୍ପେନ୍‌ର ରାଜା ଓ ରାଣୀଙ୍କ ସହିତ ଦେଶର  ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ବି ବନ୍ୟାଞ୍ଚଳ  ପରିଦର୍ଶନ କରିଥିଲେ । ତାଙ୍କୁ ବି ଲୋକେ ଛାଡ଼ି ନ  ଥିଲେ । ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ ।  ବନ୍ୟାକୁ ରୋକିବା ପାଇଁ ସରକାର କାହିଁକି ଆଗୁଆ  ପଦକ୍ଷେପ ନେଲେନାହିଁ ବୋଲି ସେମାନେ ସାଞ୍ଚେଜ୍‌ଙ୍କୁ  ପ୍ରଶ୍ନ କରିଥିଲେ । ଭିଡ଼କୁ ରୋକିବା ପାଇଁ ପୁଲିସ  ଆଗକୁ ଆସିଥିଲା । କାଦୁଅ ମାଡ଼ରୁ ସୁରକ୍ଷା ଲାଗି  ସେମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ । 
କିଛି ସୁରକ୍ଷା କର୍ମୀ ଛତା ଖୋଲି ସାଞ୍ଚେଜ୍‌ଙ୍କୁ ସୁରକ୍ଷା ଯୋଗାଇଥିବା ଦେଖିବାକୁ ମିଳିଥିଲା । ଲୋକଙ୍କ ଆକ୍ରମଣରେ ଦୁଇଜଣ ସୁରକ୍ଷା  କର୍ମୀ ଆହତ ହୋଇଛନ୍ତି । ସେମାନଙ୍କ ମଥାରୁ ରକ୍ତ  ବାହାରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ରାଜାରାଣୀ ଏବଂ ପ୍ରଧାନମନ୍ତ୍ରୀ ବାଧ୍ୟହୋଇ ନିଜ ଗସ୍ତକୁ ଅଧାରୁ  ଛାଡ଼ି ରାଜଧାନୀ ମାଦ୍ରିଦ୍‌ ଫେରି ଆସିଥିଲେ । ପ୍ରଧାନମନ୍ତ୍ରୀ  ଫେରୁଥିବା ବେଳେ ଲୋକମାନେ ତାଙ୍କ କାର ଉପରେ  ଆକ୍ରମଣ କରିଥିଲେ । 

ବନ୍ୟା ଆସିବାର ୪ ଦିନ ପରେ  ରାଜା, ରାଣୀ ଓ ପ୍ରଧାନମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ  କରିବାରୁ ଲୋକମାନେ କ୍ରୋଧାନ୍ୱିତ ହୋଇଥିଲେ ।  ତେବେ ମୁହଁ ଓ ପୋଷାକରେ କାଦୁଅ ଲାଗିଥିବା ସତ୍ତେ୍ୱ  କ୍ୱିନ୍‌ ଲେଟିଜିଆ ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ସହ କଥା  ହେବା ବେଳେ କାନ୍ଦି ପକାଇଥିଲେ । ଲୋକଙ୍କୁ ସେ  ସାନ୍ତ୍ୱନା ଦେଇଥିଲେ । ସ୍ପେନ୍‌ରେ ଭୟଙ୍କର ବନ୍ୟା ଯୋଗୁ  ଅତିକମ୍‌ରେ ୨୧୭ ଲୋକଙ୍କ ମୃତ୍ୟୁ ଘଟିଛି । 

ଉଲ୍ଲେଖଯୋଗ୍ୟ, ସ୍ପେନ୍‌ର ପୂର୍ବ ଭାଗରେ ଥିବା  ସହର ଭାଲେନ୍ସିଆରେ ଅକ୍ଟୋବର ୨୯ରେ ସାଙ୍ଘାତିକ  ବର୍ଷା ହୋଇଥିଲା । ବର୍ଷକ ମଧ୍ୟରେ ସେଠାରେ ଯେତିକି  ବର୍ଷା ହୁଏ, ସେତିକି ମାତ୍ର ୮ ଘଣ୍ଟାରେ ଗାଳିଥିଲା ।  ଏହାଦ୍ୱାରା ଅଞ୍ଚଳରେ ଅଚାନକ ଭୟଙ୍କର ବନ୍ୟା  ଆସିଥିଲା । ଏତେ ଶୀଘ୍ର ସୁରକ୍ଷିତ ସ୍ଥାନକୁ ଚାଲିଯିବା  ପାଇଁ ଲୋକଙ୍କୁ ସମୟ ମିଳି ନ ଥିଲା । ଫଳରେ  ଅନେକ ଲୋକ ପ୍ରାଣ ହରାଇଥିଲେ । ବନ୍ୟାରୁ  ଲୋକଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସେନା ମୁତୟନ  ହୋଇଥିଲେ । ୧ ହଜାରରୁ ଅଧିକ ସୈନ୍ୟ ପ୍ରତିକୂଳ  ପରିସ୍ଥିତିର ସାମ୍ନା କରି ଲୋକଙ୍କୁ ଉଦ୍ଧାର କରିଥିଲେ । 

ଭାଲେନ୍ସିଆ ସାଂସଦ ଖୁଆନ ବୋର୍ଡେରା କହିଛନ୍ତି,  ବର୍ତ୍ତମାନ ପରିସ୍ଥିତିରେ ରାଜା ଫିଲିପ୍‌ ବନ୍ୟା ପ୍ରଭାବିତ  ଅଞ୍ଚଳ ଗସ୍ତ କରିବା ଏକ ବହୁତ ଖରାପ ନିଷ୍ପତ୍ତି  ଥିଲା । ଲୋକମାନେ ଅତ୍ୟନ୍ତ କ୍ରୋଧିତ ଥିଲେ ।  ଅଧିକାରୀମାନେ ଏହାକୁ ନେଇ ସେମାନଙ୍କୁ ଚେତାବନୀ  ବି ଦେଇଥିଲେ । କିନ୍ତୁ ସେମାନେ କିଛି ଶୁଣି ନ ଥିଲେ ।  

ଫଳରେ ପ୍ରଥମ ଥର ପାଇଁ ରାଜା ଓ ରାଣୀଙ୍କ ଉପରେ  ଲୋକମାନେ ଏଭଳି ଭାବେ ଆକ୍ରମଣ କରିଛନ୍ତି । ରିପୋର୍ଟ ମୁତାବକ, ସ୍ପେନ୍‌ରେ ଏହା ପୂର୍ବରୁ  ୧୯୭୩ରେ ସବୁଠୁ ବଡ଼ ବନ୍ୟା ଆସିଥିଲା ।  ସେତେବେଳେ ୧୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା ।  ତାହା ପୂର୍ବରୁ ୧୯୫୭ରେ ଭାଲେନ୍ସିଆ ସହରରେ  ବଡ଼ ବନ୍ୟା ଆସିଥିଲା, ଯେଉଁଥିରେ ୮୧ ଲୋକ  ପ୍ରାଣ ହରାଇଥିଲେ । ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ  ଏଭଳି ଘଟିଥିବା ବୈଜ୍ଞାନିକମାନେ ଦର୍ଶାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.