ଦୁର୍ଦ୍ଦାନ୍ତ ଅପରାଧୀକୁ ବିଚ୍ ରାସ୍ତାରେ ହତ୍ୟା ! ଅନନ୍ତଙ୍କ ନାଁରେ ୨୫ରୁ ଅଧିକ ମାମଲା

Published By : Prameya-News7 Bureau | November 21, 2024 IST

ଆସ୍କା ୨୧।୧୧ : ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ନିର୍ମମ ହତ୍ୟା । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବନ୍ଧାଗୁଡ଼ା ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ କାନ୍‌ସା ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି । ଅପରାଧୀ ଅନନ୍ତ ନାଁରେ ବିଭିନ୍ନ ଥାନାରେ ପ୍ରାୟ ୨୫ରୁ ଅଧିକ ଅପରାଧିକ ମାମଲା ରହିଛି ।

ଖବର ଅନୁଯାୟୀ,  ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ଏକ ମୋଟର ସାଇକେଲ ଯୋଗ ୨ ଜଣଙ୍କ ସହ ଯାଉଥିଲା । ଏହି ସମୟରେ ପଛରୁ ଏକ ବୋଲେରୋରେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏପିରିକି ସେ ପିନ୍ଧିଥିବା ହେଲ୍‌ମେଟ୍‌କୁ ପ୍ରବଳ ମାଡ଼ ମାରିବାରୁ ଭାଙ୍ଗିଯାଇଥିଲା । ଶେଷରେ ତାଙ୍କୁ ଘୋଷାଡ଼ି ଘୋଷାଡି ନେଇ ସଂଘ ବଦ୍ଧ ଭାବେ ତାଙ୍କ ମୁଣ୍ଡ ଓ ଦେହକୁ ଶକ୍ତ ଆଘାତ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା । 

ସେପଟେ ଏସବୁ ଘଟଣାକୁ ଦେଖି ଅନନ୍ତଙ୍କ ସାଥିରେ ଥିବା ଦୁଇ ଜଣ ନିଜ ଜୀବନ ବଞ୍ଚାଇ ଘଟଣାସ୍ଥଳରେ ଦୌଡି ପଳାଇଥିଲେ । ପରେ ପୋଲିସକୁ ଏହି ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଶେରଗଡ଼ ମେଡିକାଲକୁ ପଠାଇଥିଲା । ପୋଲିସ ଘଟଣାସ୍ଥଳରେ ଅନନ୍ତଙ୍କ ସହ ଥିବା ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ପୋଲିସ ସୂଚନା ଅନୁସାରେ, ଅନନ୍ତ ପଟ୍ଟନାୟକ ଜଣେ ପେଶାଦାର ଅପରାଧି ଥିଲେ । ତାଙ୍କ ନାଁରେ ବିଭିନ୍ନ ଥାନାରେ ୨୫ରୁ ଅଧିକ ଅପରାଧିକ ମାମଲା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.