ପୁରୀରେ ଜାତୀୟ ପଞ୍ଚାୟତିରାଜ ଦିବସ : ନୂଆ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା

Published By : Prameya-News7 Bureau | April 24, 2025 IST

ପୁରୀ : ପୁରୀ ତାଳବଣିଆ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ଜାତୀୟ ପଞ୍ଚାୟତିରାଜ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ପହଲଗାମରେ ଆତଙ୍କୀଙ୍କ ଆକ୍ରମଣରେ ନିହତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ନୀରବ ପ୍ରାର୍ଥନାରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ଶାସ୍ତ୍ର ଓ ଶସ୍ତ୍ର ଧରି ଆତଙ୍କୀଙ୍କ ଆକ୍ରମଣର ଜବାବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କହିଥିଲେ। ଗାଁ ହସିଲେ ଦେଶ ହସିବ। ଗ୍ରାମପଞ୍ଚାୟତ ବିକାଶର ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି। ପଞ୍ଚାୟତରେ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ମହିଳାଙ୍କ ଅଧିକାରକୁ ପ୍ରାଧାନ୍ୟ ଦିଆଯାଇଛି। ୧୯୯୭ ରେ ମୋତେ ସରପଞ୍ଚ ହେବାର ସୁଯୋଗ ମିଳିଥିଲା।ଲୋକଙ୍କ ନିରନ୍ତର ସେବା ପାଇଁ ରାଜନୀତି ପାଠ ସରପଞ୍ଚରୁ ଅଧ୍ୟୟନ କରିଥିଲି। ୨୦୨୬ ସୁଦ୍ଧା ଗାଁର ସବୁ ଘରକୁ ପାଣି ଏବଂ ରାସ୍ତା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୭ ଲକ୍ଷ ଲୋକ ଘର ପାଇଥିବା ବେଳେ ଆଉ ୨୬ ଲକ୍ଷ ଲୋକ ଘର ପାଇବେ। ୭୫୫୦ କୋଟି ବ୍ୟୟରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଅତି ଗରିବ ଲୋକେ ଗୃହ ପାଇବେ। ୬ ଲକ୍ଷ ଲୋକଙ୍କୁ ରାସନ୍ କାର୍ଡ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ୪୧୨୪ କୋଟି ଟଙ୍କା ବ୍ୟୟରେ ପ୍ରତି ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି   କହିଛନ୍ତି ମୁଖ୍ୟମନ୍ତ୍ରୀ। 

ଗାଁ ବଦଳିଲେ ମାର ସ୍ଥିତି ବଦଳିବ। ଗ୍ରାମ ସ୍ଵରାଜ ସ୍ବପ୍ନ ପୂରଣ ହେବ। ବିଜୁ ବାବୁ କହୁଥିଲେ ଗାଁକୁ କାମ, ମା'କୁ ସମ୍ମାନ। ପଲ୍ଲୀ ସଭାର ଡ଼ିଜିଟାଇଜେସନ ଆଜି ଠାରୁ ଆରମ୍ଭ ହେଲା।ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ହିସାବରେ ଆଜି ୨୦୦ କୋଟି ଟଙ୍କା ଦିଆଯାଇଛି। ଏ ଯାଏଁ କୋଟିଏ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ସେହିପରି ମୋ ଗାଁ, ମୋ ପଞ୍ଚାୟତକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ କାର୍ଯ୍ୟ ସରକାରଙ୍କ ପକ୍ଷରୁ କରାଯିବ। ଆସନ୍ତା ୨୦୩୬ ରେ ବିକଶିତ ଓଡ଼ିଶା, ୨୦୪୭ରେ ବିକଶିତ ଭାରତ ଗଠନ ହେବ। ଲୋକତନ୍ତ୍ରର ମୂଳ ହେଉଛି ପଞ୍ଚାୟତ। ଏଣୁ ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ ହୋଇଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ସେହିପରି ସମସ୍ତ ପଞ୍ଚାୟତକୁ ସଶକ୍ତ କରାଯିବା ଲକ୍ଷ୍ୟ ରହିଛି। କାରଣ ପଞ୍ଚାୟତ ସଶକ୍ତ ହେଲେ ସଂସଦ ସଶକ୍ତ ହେବ। ପଲ୍ଲୀକୁ ପାର୍ଲାମେଣ୍ଟ ସହ ଯୋଡିବା ପାଇଁ ପଞ୍ଚାୟତ ମାଧ୍ୟମ। ୬ ଲକ୍ଷ ନୂଆ ରାସନ୍   କାର୍ଡ ମୃତକଙ୍କୁ ବାଦ୍ ଦେବା ପାଇଁ ଇ- କେୱାଇସି କରାଯାଇଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। 

ପୁରୀ ତାଳବଣିଆ ପଡ଼ିଆ ଠାରେ ଆୟୋଜିତ ଜାତୀୟ ପଞ୍ଚାୟତିରାଜ ଦିବସ ରାଜ୍ୟସ୍ତରୀୟ ସମାରୋହରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ପଞ୍ଚାୟତିରାଜ ସଚିବ ଏସ୍. ଏନ୍. ଗିରିଶ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ପୁରୀ ବିଧାୟକ ସୁନୀଲ ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

You Can Read:

ଧସିଲା ମାଟି ଅତଡ଼ା, ଚାପି ହୋଇ ଚାଲିଗଲା ଜଣକ ଜୀବନ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.