ଯୁବ କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେବା ସହ ବର୍ଷିଲେ ନବୀନ, ଏମିତି ଜବାବ ଦେଲା ବିଜେପି

Published By : Prameya-News7 Bureau | September 11, 2024 IST

ଭୁବନେଶ୍ଵର: ସେବା, ସ୍ବାଭିମାନ, ସଂଗ୍ରାମ ଓ ସଚେତନତା ବିଜେଡିର ଆଦର୍ଶ । ଯୁବକ ହେଉଛନ୍ତି ବିଜେଡିର ଶକ୍ତି । ବିଜୁ ଯୁବ ଜନତା ଦଳର ଜିଲ୍ଲାସ୍ତରୀୟ ସାଂଗଠନିକ ବୈଠକରେ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଲୋକଙ୍କ ସେବା କରିବା ଆମ ମାତୃଭୂମିର ସେବା କରିବା ଏବଂ ମାନବିକତାର ସେବା କରିବା ପାଇଁ ରାଜନୀତିକୁ ଏକ ମାଧ୍ୟମ ଭାବରେ ନବୀନ ଦେଖୁଥିବା କହିଛନ୍ତି । ସେହିଭଳି ବିଜେପି ସରକାର ଉପରେ ବର୍ଷିଛନ୍ତି ନବୀନ । କହିଛନ୍ତି, ବଡ଼ ପାଟିରେ କହିଲେ ମିଛ ସତ ହୁଏ ନାହିଁ, ୩ ମାସ ହୋଇଗଲା ଏବେ ଆଇ ମାଆ ଗପ ଛାଡ଼ି ସରକାର କାମ କରି ଦେଖାନ୍ତୁ । ସେପଟେ ନବୀନଙ୍କ ଏଭଳି ନିଶାନାର ଜବାବ୍ ରଖିଛି ବିଜେପି ।

ବିଜେଡିର ଯୁବ ବ୍ରିଗେଡଙ୍କୁ ନବୀନଙ୍କ ମନ୍ତ୍ର । ସେବା, ସ୍ବାଭିମାନ,  ସଂଗ୍ରାମ ଓ ସଚେତନତା ବିଜେଡିର ଆଦର୍ଶ । ରାଜନୀତି କେବଳ କ୍ଷମତା ପାଇଁ ନୁହେଁ  । ଏହା ହେଉଛି ଲୋକଙ୍କୁ ସେବା ଯୋଗାଇଦେବାର ମାଧ୍ୟମ । ବିସିଜେଡିର ପରିଶ୍ରମ ଯୋଗୁଁ ଆଜି ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି । ଲୋକଙ୍କ ସେବା କରିବା ଆମ ମାତୃଭୂମିର ସେବା କରିବା ଏବଂ ମାନବିକତାର ସେବା କରିବା ପାଇଁ ରାଜନୀତିକୁ ଏକ ମାଧ୍ୟମ ଭାବରେ ନବୀନ ଦେଖୁଥିବା କହିଛନ୍ତି । 

Also read: ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌

ଗତ ନିର୍ବାଚନରେ ବିଜେଡି ସର୍ବାଧିକ ୪୧.୨ ପ୍ରତିଶତ ଭୋଟ୍ ପାଇଥିଲା । ସମ୍ପୂର୍ଣ୍ଣ ସଂଖ୍ୟକ ଭୋଟ୍ ଦୃଷ୍ଟିରୁ ବିଜେଡି ଅନ୍ୟମାନଙ୍କ ଠାରୁ ଆଗରେ ରହିଛି । ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ଆମର ସବୁଠାରୁ ବଡ଼ ଶକ୍ତି ବୋଲି କହିଛନ୍ତି ନବୀନ । ବିଜୁବାବୁଙ୍କର ଯୁବ ଶକ୍ତି ଉପରେ ବହୁତ ଭରସା ଥିଲା । ଏବେ ବି ଯୁବ ବନ୍ଧୁମାନଙ୍କ ଦକ୍ଷତା ଉପରେ ପୂରା ବିଶ୍ବାସ ଅଛି । ଯୁବ ସାଂଗଠନିକ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବାକୁ ପରାମର୍ଶ ଦେଇଛନ୍ତି ନବୀନ । 

ସେହିଭଳି ଏହି କାର୍ଯ୍ୟକ୍ରମରେ  ବିରୋଧୀଙ୍କୁ ବି ନିଶାନା କରିଥିଲେ ନବୀନ । କହିଥିଲେ, କିଛି ଲୋକ ବର୍ତ୍ତମାନ ସେମାନଙ୍କ ଚିନ୍ତାଧାରାକୁ ଅନ୍ୟମାନଙ୍କ ଉପରେ ଲଦିବାକୁ ଚେଷ୍ଟା କରୁଛନ୍ତି । ଯାହା ଏକ ଗଣତାନ୍ତ୍ରିକ ସମାଜରେ ଆଦୌ ଗ୍ରହଣୀୟ ନୁହେଁ । ଏପରିକି ଆମର ମହାପୁରୁଷମାନଙ୍କୁ ବି ନିନ୍ଦା କରୁଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତା କି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ସେ ଆହୁରି ବି କହିଛନ୍ତି ଯେ, ବଡ଼ ପାଟିରେ କହିଲେ ମିଛ ସତ ହୁଏ ନାହିଁ, ୩ମାସ ହୋଇଗଲା, ଏବେ ଆଈ ମାଆ ଗପ ଛାଡ଼ି ସରକାର କାମ କରି ଦେଖାନ୍ତୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ମହାନଦୀ, ପୋଲାଭରମ ଭଳି ପ୍ରସଙ୍ଗ ସହ ରାଜ୍ୟରେ ଦରଦାମ ବୃଦ୍ଧି ଏବଂ ବେରୋଜଗାରକୁ ମଧ୍ୟ ମୁଦ୍ଦା କରି ଯୁବକମାନେ ଲଢ଼େଇ କରିବାକୁ କହିଛନ୍ତି ନବୀନ। 

ସେପଟେ ସେପଟେ ନବୀନଙ୍କ ଏଭଳି ନିଶାନାର ଜବାବ୍ ରଖିଛି ବିଜେପି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, ୨୪ବର୍ଷ ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ କରୁଥିଲେ ? ଏବେ ପୋଲାଭରମ କଥା କହୁଛନ୍ତି, କେବଳ ଚିଠି ଲେଖିବା ଛଡ଼ା ଆଉ କିଛି କରିନାହାନ୍ତି । କେବେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି କି ? ମହାନଦୀର ତଳମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ପାଇଁ କିଏ ମନା କରିଥିଲା ? ଯୁବକମାନଙ୍କୁ ନିଯୁକ୍ତି ଦେବାକୁ କିଏ ମନା କରିଥିଲା ? ବିଜୁ ବାହିନୀ କରି ଯୁବକମାନଙ୍କୁ ପଥ ଭ୍ରଷ୍ଟ କରିଛନ୍ତି ବିଜେଡି ସରକାର । 

ବର୍ତ୍ତମାନ ବିଜେପି ସରକାର ଯୁବକମାନଙ୍କୁ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତିନିମାସରେ ଯେଉଁ ସବୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ତାହା ଇତିହାସରେ ବିରଳ। ଆମ କାର୍ଯ୍ୟକ୍ରମକୁ ଦେଖି ବିଜେଡିର ବହୁ ନେତା ବିଜେପିରେ ଯୋଗ ଦେଲେଣି, ଆଗକୁ ଆହୁରି ଆସିବେ । ଯୁବକମାନେ ବିଜୁ ଜନତା ଦଳ ପ୍ରତି ଆଦୌ ଆକର୍ଷିତ ହେବେ ନାହିଁ ଏହା ସ୍ପଷ୍ଟ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.