ନୀତି ଆୟୋଗ ବୈଠକ ଅଧାରୁ ମମତା ଉଠି ଆସିବା ମାମଲାରେ ବୟାନ ରଖିଲେ ନିର୍ମଳା ସୀତାରମଣ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | July 27, 2024 IST

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ନୀତି ଆୟୋଗ ବୈଠକ ଅଧାରୁ ଉଠି ଯାଇଛନ୍ତି। ସେ କହିଛନ୍ତି ତାଙ୍କ ମାଇକ୍ କୁ ମ୍ୟୁଟ୍ କରିଦିଆଯାଇଥିଲା। ତାଙ୍କୁ ମାତ୍ର ୫ ମିନିଟ୍ କହିବାକୁ ଦିଆଯାଇଥିଲା। ଏବେ ମମତାଙ୍କ ଅଭିଯୋଗର ଜବାବ ଦେଇଛନ୍ତି ନିର୍ମଳା ସୀତାରମଣ। ସେ କହିଛନ୍ତି ଯେ ତାଙ୍କ ମାଇକ୍‌ ବନ୍ଦ କରିଦିଆଯିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଏହା ଛଡା ସୀତାରମଣ ସମୟକୁ ନେଇ କ’ଣ କହିଛନ୍ତି ଆସନ୍ତୁ ଜାଣିବା। 

ନିର୍ମଳା ସୀତାରମଣ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ଯୋଗ ଦେଇଥିଲେ, ଆମେ ସମସ୍ତେ ତାଙ୍କ କଥା ଶୁଣିଥିଲୁ। ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ ଆବଣ୍ଟିତ ସମୟ ଦିଆଯାଇଥିଲା ଓ ପ୍ରତ୍ୟେକ ଟେବୁଲରେ ଲାଗିଥିବା ସ୍କ୍ରିନରେ ଏହା ଦେଖାଯାଉଥିଲା।  ମମତା ବାନାର୍ଜୀଙ୍କୁ ମଧ୍ୟ ସେହି ଅନୁସାରେ କହିବାକୁ ସମୟ ମିଳିଥିଲା। ତେବେ ମମତାଙ୍କ କହିବା କଥା ହେଲା ବୈଠକରେ ସେ ବିପକ୍ଷର ଜଣେ ମାତ୍ର ପ୍ରତିନିଧି ଥିବା ବେଳେ ତାଙ୍କୁ ଭାଷଣ କାଳରେ ଅଧାରେ ଅଟକାଇ ଦିଆଯାଇଥିଲା। ତେବେ ସରକାରୀ ସୂତ୍ର ମମତାଙ୍କ ଅଭିଯୋଗକୁ ଖାରଜ କରି ତାଙ୍କୁ ଦିଆଯାଇଥିବା ସମୟ ସମାପ୍ତ ହୋଇଯାଇଥିଲା ବୋଲି କୁହାଯାଇଛି। 

ଟିଏମସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ ସେ ମାତ୍ର ୫ ମିନିଟ୍‌ ଭାଷଣ ଦେଇଥିବା ବେଳେ ତାଙ୍କ ମାଇକ୍‌ ବନ୍ଦ ହୋଇଯାଇଥିଲା। ଅପରପଟେ ବୈଠକରେ ଉପସ୍ଥିତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କହିବାକୁ ଅଧିକ ସମୟ ଦିଆଯାଇଥିଲା। ଏହାକୁ ଅପମାନଜନକ ବୋଲି ତୃଣମୂଳ କଂଗ୍ରେସ ମୁଖ୍ୟ କହିଥିବା ବେଳେ ସେ ଆଗକୁ ଅନୁଷ୍ଠିତ ହେବାକୁ ଥିବା କୌଣସି ବୈଠକରେ ଆଉ ଯୋଗ ଦେବେନି ବୋଲି କହିଛନ୍ତି। ମମତା କହିଛନ୍ତି ଯେ ବୈଠକରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କୁ କହିବା ପାଇଁ ୨୦ ମିନିଟ୍ ଦିଆଯାଇଥିଲା, ଆସାମ, ଗୋଆ ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ୧୦ରୁ ୧୨ ମିନିଟ୍‌ ପର୍ଯ୍ୟନ୍ତ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ମୋତେ ୫ ମିନିଟ୍ ପରେ ଅଧାଭାଷଣରେ ଅଟକାଇ ଦିଆଯାଇଥିଲା। 

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ବୈଠକରେ ବିପକ୍ଷ ଦଳରୁ ମୁଁ ଏକମାତ୍ର  ପ୍ରତିନିଧି ଥିଲି ଓ ସହକାରୀ ସଂଘବାଦକୁ ମଜଭୁତ କରାଯିବା ଦରକାର ଭାବି ବୈଠକରେ ଯୋଗ ଦେଇଥିଲି। ତେବେ ସରକାରୀ ସୂତ୍ର କହିଛନ୍ତି ଯେ ମମତାଙ୍କ ବକ୍ତବ୍ୟ ପାଳି ମଧ୍ୟାହ୍ନ ଭୋଜନ ପରେ ଥିଲା। ହେଲେ ପଶ୍ଚିମବଙ୍ଗ ସରକାର ଅଧିକାରୀଙ୍କ ଅନୁରୋଧ ଅନୁସାରେ ତାଙ୍କୁ ସପ୍ତମ ବକ୍ତା ଭାବେ କହିବାକୁ ସୁଯୋଗ ମିଳିଥିଲା। କାରଣ ସେ ଶୀଘ୍ର କୋଲକାତା ଲେଉଟି ଯିବାକୁ ଚାହୁଁଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.