ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ନୀତି ଆୟୋଗ ବୈଠକ: ବିକଶିତ ଭାରତ ଉପରେ ଚର୍ଚ୍ଚା, ଯୋଗ ଦେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 26, 2024 IST

indiatoday

ନୂଆଦିଲ୍ଲୀ: ୨୦୪୭ ମସିହାରେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ତେଣୁ ମୋଦୀ ସରକାର ୨୦୪୭ ସୁଦ୍ଧା ଭାରତକୁ  ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟରେ ଅଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଜୁଲାଇ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ପରିଚାଳନା ପରିଷଦର ବୈଠକ ହେବ। ଏହାର ବିଷୟବସ୍ତୁ ବିକାଶିତ ଭାରତ @୨୦୪୭ ରଖାଯାଇଛି। ଭାରତକୁ କିପରି ଏକ ବିକଶିତ ରାଷ୍ଟ୍ରରେ ପରିଣତ କରାଯିବ ତାହା ହିଁ ବୈଠକର ମୁଖ୍ୟ ଆକର୍ଷଣ ହେବ। ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେବେ। ଏନେଇ ଦିଲ୍ଲୀ ସେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। 

ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ବିକଶିତ ଭାରତ @୨୦୪୭ ଉପରେ ଆପ୍ରୋଚ ପେପର ଏବଂ ଭିଜନ ଡକ୍ୟୁମେଣ୍ଟ ଉପରେ ଆଲୋଚନା ହେବ। ଏହି ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସହଯୋଗ ମୂଳକ ଶାସନ ଏବଂ ସହଭାଗିତା ବୃଦ୍ଧି ତଥା ସରକାରୀ ହସ୍ତକ୍ଷେପ ମାଧ୍ୟମରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣି ବା ପାଇଁ ଡେଲିଭରି ମେକାନିଜମ ବିତରଣ ପ୍ରଣାଳୀରେ ଉନ୍ନତି ଆଣିବାକୁ ଆଲୋଚନା କରାଯିବ। ୨୦୪୭ ମସିହାରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାରେ ରାଜ୍ୟଗୁଡ଼ିକର ଭୂମିକା ଉପରେ ମଧ୍ୟ ଆଲୋଚନା ହେବ।

ବୈଠକ ପୂର୍ବରୁ ନୀତି ଆୟୋଗ ପ୍ରେସ୍‌ ରିଲିଜ୍ ଜାରି କରି କହିଛି ଯେ ଭାରତ ୫ ଟ୍ରିଲିୟନ ଡଲାରର ଡିଜିପି ସହ ବିଶ୍ୱର ତୃତୀୟ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବ। ନୀତି ଆୟୋଗ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ମିଳିତ ଆଭିମୁଖ୍ୟ ଆବଶ୍ୟକ ହେବ। ନବମ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଏହି ଭିଜନ ଉପରେ ଚର୍ଚ୍ଚା ହେବ। ଏଥିସହିତ କେନ୍ଦ୍ର ଓ ରାଜ୍ୟ ଟିମ୍ ଇଣ୍ଡିଆ ଭଳି କିପରି କାର୍ଯ୍ୟ କରିବେ ସେ ବିଷୟରେ ଆଲୋଚନା କରାଯିବ।

ଡିସେମ୍ବର ୨୦୨୩ ରେ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ମୁଖ୍ୟ ସଚିବମାନଙ୍କର ଜାତୀୟ ସମ୍ମିଳନୀରେ ଯେଉଁ ସୁପାରିଶ କରିଥିଲେ ସେ ବିଷୟରେ ଆଲୋଚନା କରାଯିବ। ମୁଖ୍ୟ ସଚିବମାନଙ୍କର ଜାତୀୟ ସମ୍ମିଳନୀରେ ପାଞ୍ଚଟି ପ୍ରମୁଖ ବିଷୟ ଉପରେ ସୁପାରିଶ କରାଯାଇଛି। ସେଗୁଡ଼ିକ ହେଲା-

୧. ପାନୀୟ ଜଳ: ପ୍ରବେଶ, ଆକ୍ସେସ, ମାତ୍ର ଓ କ୍ୱାଲିଟି ।

୨. ବିଦ୍ୟୁତ୍: କ୍ୱାଲିଟି, ଦକ୍ଷତା ଏବଂ ବିଶ୍ୱସନୀୟତା।

୩. ସ୍ୱାସ୍ଥ୍ୟ: ଆକ୍ସେସିବିଲିଟି, ଆଫୋର୍ଡେବିଲିଟି ଓ କ୍ୱାଲିଟି ଅଫ୍ କେୟାର

୪. ସ୍କୁଲ ଶିକ୍ଷା: ଆକ୍‌ସେସ୍ ଓ କ୍ୱାଲିଟି

୫. ଲ୍ୟାଣ୍ଡ ଓ ପ୍ରପର୍ଟ୍ଟି: ଆକ୍ସେସିବିଲିଟି, ଡିଜିଟାଇଜେସନ୍, ପଞ୍ଜୀକରଣ ଏବଂ ମ୍ୟୁଟେସନ। 

ପ୍ରଧାନମନ୍ତ୍ରୀ ହେଉଛନ୍ତି ନୀତି ଆୟୋଗର ଅଧ୍ୟକ୍ଷ। ଏହି ବୈଠକରେ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ,କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ତଥା ନୀତି ଆୟୋଗର ଅଧିକାରୀମାନେ ଯୋଗଦେବେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.