ଭୋପାଳ: ପତ୍ନୀ ସ୍ୱାମୀଙ୍କ ବ୍ୟତୀତ ପର ପୁରୁଷକୁ ପ୍ରେମ କଲେ ତାହା ଅବୈଧ ନୁହେଁ। ହେଲେ ଶାରୀରିକ ସମ୍ପର୍କ ରଖିଲେ ତାହା ଅବୈଧ ହେବ। ଏକ ମାମଲାରେ ଶୁଣାଣି କରି ଏପରି ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ଏନେଇ ଜାତୀୟ ଗଣମାଧ୍ୟମ ଟିଭି-9 ଭାରତ ବର୍ଷରେ ଖବର ପ୍ରକାଶ ପାଇଛି।
ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିରୋଧରେ ହାଇକୋର୍ଟରେ ମାମଲା ଆବେଦନ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ ଯେହେତୁ ତାଙ୍କ ପତ୍ନୀ ଅନ୍ୟ ପୁରୁଷକୁ ପ୍ରେମ କରୁଛନ୍ତି ତେଣୁ ସେ ଭରଣପୋଷଣର ହକଦାର ନୁହଁନ୍ତି। ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଜିଏସ୍ ଅଲୁୱାଲିଆ ସ୍ୱାମୀଙ୍କ ତର୍କକୁ ଖାରଜ କରିଦେଇଛନ୍ତି। କେବଳ ଶାରୀରିକ ସମ୍ପର୍କ ଥିଲେ ହିଁ ଏହାକୁ ଅବୈଧ ବୋଲି ବିଚାର କରାଯିବ ବୋଲି ବିଚାରପତି କହିଛନ୍ତି।
ଏନେଇ ଅଦାଲତ କହିଛନ୍ତି ଯେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ) ର ଧାରା ୧୪୪(୫) କିମ୍ବା କ୍ରାଇମବ୍ରାଞ୍ଚ (CrPC)ର ଧାରା ୧୨୫ (୪) ରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି। ଯଦି କୌଣସି ମହିଳାଙ୍କ ଅବୈଧ ସମ୍ପର୍କ ଥିବା ପ୍ରମାଣ ମିଳେ, ତେବେ ତାଙ୍କୁ ହିଁ କେବଳ ଭରଣପୋଷଣ ମନା କରାଯାଇପାରିବ।
ଜାନୁଆରୀ ୧୭ ତାରିଖରେ ଶୁଣାଇଥିବା ନିଷ୍ପତ୍ତିରେ କୋର୍ଟ କହିଛନ୍ତି ଯେ ଅବୈଧ ସମ୍ପର୍କର ଅର୍ଥ ହେଉଛି ଶାରୀରିକ ସମ୍ପର୍କ। ଯଦି କୌଣସି ଶାରୀରିକ ସମ୍ପର୍କ ବିନା ସ୍ୱାମୀ ବ୍ୟତୀତ ଅନ୍ୟ ପୁରୁଷ ସହିତ ପ୍ରେମ କରନ୍ତି, ତେବେ ଏହା ଅବୈଧ ସଂପର୍କରେ ବୋଲି ଧରାଯାଇପାରିବ ନାହଁ।
ନିଜର ସ୍ୱଳ୍ପ ଆୟ ଥିବାରୁ ସେ ପତ୍ନୀଙ୍କୁ ଭରଣପୋଷଣ ଦେଇପାରିବେ ନାହିଁ ବୋଲି ସ୍ୱାମୀ ଜଣଙ୍କ ତାଙ୍କ ତର୍କରେ ଦର୍ଶାଇଥିଲେ। ଏଥିରେ କୋର୍ଟ କହିଥିଲେ ଯେ ଜଣେ ମହିଳାଙ୍କୁ ଭରଣପୋଷଣ ଦେବାକୁ ମନା କରିବା ପାଇଁ ସ୍ୱାମୀଙ୍କ ସ୍ୱଳ୍ପ ଆୟ ଏକ ମାନଦଣ୍ଡ ହୋଇପାରିବ ନାହିଁ। ପତ୍ନୀ ନିଜର ଦୈନିକ ଆବଶ୍ୟକତା ପୂରା କରିବାରେ ଅକ୍ଷମ ବୋଲି ଜାଣିବା ପରେ ଯଦି କେହି ବିବାହ କରିଥିବେ, ତେବେ ଏଥିପାଇଁ ସେ ନିଜେ ଦାୟୀ ବୋଲି କୋର୍ଟ କହିଛନ୍ତି। ଯଦି ସେ ସକ୍ଷମ ବ୍ୟକ୍ତି ହୋଇଥିବେ ତେବେ ତାଙ୍କୁ ପତ୍ନୀଙ୍କ ଭରଣପୋଷଣ ଦେବାକୁ କାମ କରିବାକୁ ହେବ।