ଏକୁଟିଆ ରୋମାଞ୍ଚକ ଯାତ୍ରା, ୬ ମାସରେ ୬ ଦେଶ ଭ୍ରମଣ, ଚର୍ଚ୍ଚାରେ କେରଳ ମହିଳା ନାଜି ନୌଶି

Published By : Prameya-News7 Bureau | February 13, 2025 IST

ନୂଆଦିଲ୍ଲୀ ୧୩/୨: ଆମ ଜୀବନ କେବଳ ହାଣ୍ଡିଶାଳରେ ସୀମିତ ନୁହେଁ । ଆମେ ସବୁକିଛି କରିପାରିବୁ । ଆକାଶରେ ଉଡିପାରିବୁ । ସମୁଦ୍ରରେ ବି ବୁଡିପାରିବୁ । ଏକଥା ସାରା ଦୁନିଆକୁ ମେସେଜ ଦେଇଛନ୍ତି ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାଜି ନୌଶି । ୬ ମାସରେ ୬ ଦେଶ ଭ୍ରମଣ । ନିଜର ମହେନ୍ଦ୍ରା ଥାର୍‌ ଗାଡିରେ ନାଜି ନୌଶିଙ୍କ ବିଶ୍ବ ଭ୍ରମଣର ରୋମାଞ୍ଚକ ଯାତ୍ରା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ନ୍ୟୁଜ । ନିଜର ସ୍ବପ୍ନ ପୂରଣ କରିବାକୁ ସେ ଅନେକ ବାଧା ବନ୍ଧନକୁ ସାମ୍ନା କରିଛନ୍ତି ହେଲେ ପଛକୁ କେବେ ହଟିନାହାନ୍ତି  ।

ଏବେ କୁଏତରେ ପହଞ୍ଚିଥିବା ନାଜି, ବାହାରିନ, ଓମାନ, କ୍ବତାର,ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ ଦେଇ ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଲୋକମାନଙ୍କୁ ଭେଟିବା, ବିଭିନ୍ନ ସଂସ୍କୃତିକୁ ଜାଣିବା ବିଶେଷକରି କୁଏତର ଆକର୍ଷଣୀୟ ପରମ୍ପରା ବିଷୟରେ ଜାଣିବାକୁ ଇଚ୍ଛା ଥିବା କହିଛନ୍ତି ନାଜି ।  ନିଜର ରୋମାଞ୍ଚକର ଯାତ୍ରାକୁ ସହଜ ଓ ସୁନ୍ଦର କରିବାକୁ  ସେ ଗାଡିରେ ରୋଷେଇ ଘର, ଚୁଲା ଓ ଗ୍ୟାସ ସିଲିଣ୍ଡର ରଖିଛନ୍ତି । ରୋଷେଇ ଘରେ ଚାଉଳ,ପାଣି ଓ ମଇଦା ଭଳି ଖାଦ୍ୟ ସାମଗ୍ରୀ ଷ୍ଟକ କରି ରଖିଛନ୍ତି । ଯେମିତି ଖାଇବାରେ କିଛି ଅସୁବିଧା ହେବନି । ସେ କହିଛନ୍ତି ସାଧାରଣତଃ ମୁଁ ଯେଉଁ ସ୍ଥାନକୁ ଯାଏ ସାଙ୍ଗମାନେ ମୋତେ ଖାଇବାକୁ ଦିଅନ୍ତି । କିନ୍ତୁ ଯଦି ମୁଁ ଚାହିଁବି ମୋ ପାଇଁ ଖାଦ୍ୟ ରାନ୍ଧିପାରିବି । ନିଜ ପାଇଁ ଚା କରିପାରିବି କିମ୍ବା ଅନ୍ୟମାନଙ୍କୁ ଦେଇପାରିବି । ସେ ଥରେ ମୁମ୍ବାଇରେ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ବିରିୟାନି ରାନ୍ଧି ପରିବେଷଣ କରିଥିଲେ । 

ସେ ଏକାକୀ ଏମିତି ଯାତ୍ରା କରିବା ପୂର୍ବରୁ କେରଳ ଥାଲାସେରୀରେ ହୋମ୍‌ ମେକର ଥିଲେ । ସେ ୫ଟି ସନ୍ତାନର ମାଆ ।  ୨୦୨୦ରେ କେରଳରୁ ଯାତ୍ରା ଆରମ୍ଭ କରିଥିଲେ ନାଜି । ସେତେବେଳେ ଭ୍ରମଣ ଓ ଡ୍ରାଇଭିଂ ପ୍ରତି ପ୍ରବଳ ଉତ୍ସାହ ଥିବା ଅନୁଭବ ହୋଇଥିବା କହିଥିଲେ । ଏହା ପରେ ସେ ପୁରା ବିଶ୍ବ ଭ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଭାରତ-ପାକିସ୍ତାନ ସୀମା, ଭାରତ-ମିଆଁମାର ସୀମା ସମେତ ଅନେକ ଦେଶ ଭ୍ରମଣ କରିସାରିଛନ୍ତି । ୩୦ ଦିନ ମଧ୍ୟରେ ସେ ଲାକ୍ଷା ଦୀପ ଅତିକ୍ରମ କରିଥିଲେ ।ଗତ ବର୍ଷ ସେପ୍ଟେମ୍ବର ୧୦ରୁ ତାଙ୍କ ଯାତ୍ରା ୟୁଏଇରୁ ଆରମ୍ଭ ହୋଇଥିଲା । ଆବୁଧାବିରୁ ଓମାନ,ପରେ ସାଉଦି ଆରବ ଯାଇ  ସେଠାରେ ୩ ମାସ ରହି ବିଭିନ୍ନ ସ୍ଥାନ ବୁଲିଥିଲେ । କୁଏତ ପରେ ଇରାକ ଯିବାକୁ ପ୍ଲାନ କରିଥିବା କହିଛନ୍ତି ନାଜି । ତେବେ ଭାରତ ଫେରିବା ପୂର୍ବରୁ ସେ ଚୀନ ଓଆଫଗାନିସ୍ତାନ ଯାତ୍ରା କରିବା ନେଇ ସୂଚନା ଦେଇଛନ୍ତି । 

ଫିପା ବିଶ୍ବକପରେ ପ୍ରିୟ ଦଳ ଆର୍ଜେଣ୍ଟିନାର ଖେଳ ଦେଖିବାକୁ ନାଜି ତାଙ୍କ କାରରେ କ୍ବତାର ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜଣେ ଭାରତୀୟ ମହିଳା କାହିଁକି ଯାଇ ବିଶ୍ବକପ ଦେଖିପାରିବ ନାହିଁ । ବିଶ୍ବକପରେ ମୋ ପ୍ରିୟ ଦଳ ଆର୍ଜେଣ୍ଟିନାରେ ଖେଳିବା ମୋ ପାଇଁ ସ୍ବପ୍ନ ଥିଲା ବୋଲି ସେ କହିଛନ୍ତି । ଭ୍ରମଣ ଆପଣଙ୍କୁ ଅନେକ ଜିନିଷ ଶିଖାଇବ । ବିଶେଷ କରି ଏକା ଯାତ୍ରା କଲେ । ଏହା ଆପଣଙ୍କ ମନକୁ ଶାନ୍ତ କରିବ । ଆତ୍ମନିର୍ଭରଶୀଳ କରିବ ।ଆଉ ଜୀବନରେ ଆସୁଥିବା ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପ୍ରସ୍ତୁତ କରିବ । ଯଦି ଆପଣ ଏକୁଟିଆ ଦୀର୍ଘ ଯାତ୍ରା କରନ୍ତି ଏହା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.