ନୂଆଦିଲ୍ଲୀ: ଆମେରିକାରେ ପ୍ରକୃତିର କୋପ । ଅନେକ ରାଜ୍ୟରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ । ଏଥିରେ ୩୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ଘରଦ୍ବାରା ଭାଙ୍ଗି ଛାରଖାର୍ ହୋଇଛି । ବଡ଼ ବଡ଼ ଗଛ ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଉଛି । ଝଡ଼ତୋଫାନ ଯୋଗୁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି । ହଜାର ହଜାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଶନିବାର ରାତିରେ ଘୂର୍ଣ୍ଣିଝଡ଼ ଆହୁରି ଭୟଙ୍କର ହେବ ବୋଲି ଆମେରିକୀୟ ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି ।
କଂସାସ ହାଇଓ୍ବେ ପ୍ରାଟ୍ରୋଲିଂ ଅନୁଯାୟୀ, ଶୁକ୍ରବାର ଶର୍ମନ କାଉଣ୍ଟରେ ଘୂର୍ଣ୍ଣିଝଡ଼ ଆସିଥିଲା । ଝଡ଼ ତୋଫାନ ଏତେ ଭୟଙ୍କର ଥିଲା ଯେ, ଅନେକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସାରିଜ୍ ଦୁର୍ଘଟଣା ଯୋଗୁଁ ୫୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ମିସିସିପି ଗଭର୍ଣ୍ଣର ଟେଟ୍ ରିସ୍ବ ଘୋଷଣା କରିଛନ୍ତି, ଘୂର୍ଣ୍ଣିଝଡ଼ ଯୋଗୁଁ ତାଙ୍କର ତିନୋଟି ପ୍ରାନ୍ତରେ ପ୍ରାୟ ୬ଜଣ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ନିଖୋଜ ରହିଛନ୍ତି । ସେ ସୋଲିଆଲ୍ ମିଡିଆ ପ୍ଲାଟଫର୍ମ ସୂଚନା ଦେଇ କହିଛନ୍ତି, ପ୍ରକୃତିର ତାଣ୍ଡବରେ ମିସିପିସିରେ ୨୯ଜଣ ଆହତ ହୋଇଛନ୍ତି । ଟେକ୍ସାସ୍ର ଅମରିଲୋ ପ୍ରାନ୍ତରେ ଧୂଳିଝଡ଼ ଦୁର୍ଘଟଣା ୩ଜଣଙ୍କ ମୁଣ୍ଡ ନେଇଛି । ଆମେରିକାର ଜଣେ ଅଧିକାରୀ କହିଛନ୍ତି, ମିସୋରୀରେ ସାର୍ବଧିକ ଧନଜୀବନ ନଷ୍ଟ ହୋଇଛି । ଏଠାରେ ଝଡ଼ ତୋଫାନ ୧୨ଜଣଙ୍କ ଜୀବନ ନେଇଛି ।