ନୂଆଦିଲ୍ଲୀ: ପାକିସ୍ତାନ ହଙ୍ଗୋର କାଟାଗୋରୀର ଏକ ବୁଡ଼ାଜାହାଜକୁ ଲଞ୍ଚ କରିଛି। ପାକିସ୍ତାନ ପାଇଁ ଏହି ବୁଡ଼ାଜାହାଜ ନିର୍ମାଣରେ ଏହାର ବନ୍ଧୁ ଚୀନ ସହଯୋଗ କରିଛି। ଏହି ପରି ମୋଟ୍ ଆଠ ବୁଡ଼ାଜାହାଜ କିଣିବା ପାଇଁ ପାକିସ୍ତାନ ଓ ଚୀନ ମଧ୍ୟରେ ଚୁକ୍ତିନାମା ହୋଇଛି। ଏଥିରେ ପାକିସ୍ତାନ ଓ ଚୀନ ସମ୍ବନ୍ଧ ମଜବୁତ ହେଉଥିବା ଦର୍ଶାଉଛି। ଚାଇନା ସରକାରୀ ମିଡିଆ ରବିବାର ଏହାର ସୂଚନା ଦେଇଛି।
ପାକିସ୍ତାନ ଆଠ ବୁଡ଼ାଜାହାଜ କିଣିବା ପାଇଁ ଅନୁବନ୍ଧ କରିଥିବା ବେଳେ ଚାରୋଟି ଜାହାଜ ପାକିସ୍ତାନର ବନ୍ଦର ସହର କରାଚି ସିପୟାର୍ଡ ଓ ଇଞ୍ଜିନିୟରିଂ ଓ୍ଵାକର୍ସ ଦ୍ଵାରା ନିର୍ମାଣ କରାଯାଉଛି। ହଙ୍ଗୋର ଶ୍ରେଣୀର ଏହି ବୁଡ଼ାଜାହାଜକୁ ଚୀନର ୦୩୯ ଏ ବୁଡ଼ାଜାହାଜର ନୂତନ ସଂସ୍କରଣ କୁହାଯାଉଛି। ଏହି ବୁଡ଼ାଜାହାଜରେ ୩୮ ଚାଳକ ଦଳ ସହିତ ସ୍ଵତନ୍ତ୍ର ସୈନିକ ରହି ପାରିବେ।
ଭାରତ ପାଇଁ କେତେ ଚିନ୍ତାଜନକ ?
ହଙ୍ଗୋର ବୁଡ଼ାଜାହାଜ ମିଳିବାରୁ ପାକିସ୍ତାନର ସୈନ୍ୟ ଶକ୍ତି ପୂର୍ବାପେକ୍ଷା ଅଧିକ ବଢି ଯାଇଛି। ପାକିସ୍ତାନର ବଡ଼ ସାମୁଦ୍ରିକ ସୀମା ଭାରତ ସହ ଲାଗି ରହିଛି। ପୁଣି ଦୁଇ ଦେଶର ସଂପର୍କ ଦଶନ୍ଧି ଦଶନ୍ଧି ଧରି ତିକ୍ତ ରହି ଆସିଛି। ପାକିସ୍ତାନ ଅତୀତରେ ଭାରତ ସହ କାଶ୍ମୀର ପ୍ରସଙ୍ଗରେ ବୁଡ଼ାଜାହାଜର ବ୍ୟବହାର କରିଛି। ତେବେ ବିଶେଷଜ୍ଞଙ୍କ କହିବା କଥା ହଙ୍ଗୋର ବୁଡ଼ାଜାହାଜ ପାକିସ୍ତାନକୁ ମିଳିଲେ ମଧ୍ୟ ଭାରତ ପ୍ରତି କୌଣସି ବଡ଼ ବିପଦ ନାହିଁ।
ଭାରତ ଅତୀତରେ ମଧ୍ୟ ପାକିସ୍ତାନକୁ ମାତ୍ ଦେଇଛି। ସୈନ୍ୟ ଶକ୍ତିରେ ଭାରତ ପାକିସ୍ତାନଠୁ ବହୁ ଆଗରେ ରହିଛି। ଭାରତ ନିକଟରେ ରାଫେଲ ପରି ଅତ୍ୟାଧୁନିକ ଲଢୁଆ ବିମାନ ଓ ଆଇଏନଏସ ଅରିଘାତ ପରି ପରମାଣୁ ଶକ୍ତି ବିଶିଷ୍ଟ ବାଲିଷ୍ଟିକ ମିସାଇଲ ବୁଡ଼ାଜାହାଜ ରହିଛି। ଏହା ସବୁ ପାକିସ୍ତାନ ପରି ଦେଶକୁ ପରାଜିତ କରିବାରେ ପର୍ଯ୍ୟାପ୍ତ ଅଟେ।