ନୂଆଦିଲ୍ଲୀ ୧୦/୧: ମୋତେ ଅଷ୍ଟ୍ରେଲିଆରେ ବିଷ ଦିଆଯାଇଥିଲା । ଗୁରୁବାର ଦିନ ଏକ ଇଣ୍ଟରଭିୟୁରେ ବଡ ଖୁଲାସା କରିଛନ୍ତି ଟେନିସ ଷ୍ଟାର ନୋଭାକ ଜୋକୋଭିକ । ଦାବି କରିଛନ୍ତି ୨୦୨୨ରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ମୁଁ ମେଲବର୍ଣ୍ଣରେ ଥିଲି, ସେହି ସମୟରେ କୋଭିଡ ଚାଲିଥିଲା । ମୁଁ ଟିକା ନେବାକୁ ମନା କରିବାରୁ ମୋତେ ଦେଶ ଛାଡି ଚାଲିଯିବାକୁ କୁହାଯାଇଥିଲା । ମୋର କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା ।
ଏହା ପରେ ମୁଁ ଅନୁଭବ କରିଥିଲି ଯେ ମେଲବର୍ଣ୍ଣର ସେହି ହୋଟେଲରେ ମୋତେ ଏଭଳି କିଛି ଖାଦ୍ୟ ଦିଆଯାଇଥିଲା ଯେଉଁଥିରେ ବିଷ ମିଶିଥିଲା । ପରେ ସର୍ବିଆ ଫେରି ଜାଣିଲି ଯେ ମୋ ଶରୀରରେ ପାରା ଓ ଶିଶାର ମାତ୍ରା ବଢିଯାଇଥିଲା । ନୋଭାକଙ୍କ ଏହି ଚାଞ୍ଚଲ୍ୟକର ବୟାନ ପରେ ପ୍ରତିକ୍ରିୟା ରଖିଛି ଅଷ୍ଟ୍ରେଲିଆ ଗୃହ ମନ୍ତ୍ରାଳୟ । କହିଛି ଏହି ପ୍ରସଙ୍ଗ ଦେଶ ସହ ଜଡିତ ଥିବାରୁ ଏହା ଉପରେ କୌଣସି ଟିପ୍ପଣୀ ଦିଆଯାଇପାରିବନି । ସେପଟେ ଅଷ୍ଟ୍ରେଲିଆ ସରକାର ସଫେଇ ଦେଇଛନ୍ତି ଯେଉଁ ହୋଟେଲରେ ନୋଭାକ ଜୋକୋଭିକଙ୍କୁ ରଖାଯାଇଥିଲା ସେଠି ଅଧିକ ସ୍ବାସ୍ଥ୍ୟକର ଖାଦ୍ୟ ଦିଆଯାଇଥାଏ ।