ଭୁବନେଶ୍ବର ୫।୧୧: ରାଜ୍ୟରେ ହାତୀ ମୃତ୍ୟୁ ତଦନ୍ତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାରେ ହାତୀଙ୍କ ପାଇଁ ସ୍ଥାନ ଅଭାବ । ଯେତିକି ହାତୀ ରହି ପାରିବା କଥା ତାହାଠୁ ୪୦୦ ଅଧିକ ଅଛନ୍ତି । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ । କିନ୍ତୁ ଏବେ ୪୦୦ ହାତୀ ଅଧିକ ଅର୍ଥାତ ୨୧ ଶହ ହାତୀ ଅଛନ୍ତି । ସେଥିପାଇଁ ଖାଦ୍ୟ ଅନ୍ୱେଷଣରେ ଜନବସତିମୁହାଁ ହେଉଛନ୍ତି ହାତୀ । ହାତୀ-ମଣିଷ ଲଢ଼େଇ ବଢ଼ୁଛି । ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି । ଛୁଆ ହାତୀ, ରୋଗିଣା ହାତୀ ଅଧିକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏହାବାଦ୍ ବିଦ୍ୟୁତ ଆଘାତ ଓ ଟ୍ରେନ୍ ଦୁର୍ଘଟଣାରେ ମଧ୍ୟ ହାତୀଙ୍କ ଜୀବନ ଯାଉଛି । ଭୁଲ ବୁଝାମଣା ପାଇଁ ରାଉରକେଲା ଓ ମେରାମୁଣ୍ଡଳୀରେ ଟ୍ରେନ୍ ଦୁର୍ଘଟଣାରେ ହାତୀଙ୍କ ଜୀବନ ଯାଇଥିଲା । ଓଡ଼ିଶା ଜଙ୍ଗଲରେ ଅଧିକ ହାତୀ ଥିବାରୁ ବିଶେଷଜ୍ଞଙ୍କ ପରାମର୍ଶରେ କିଛି ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ସ୍ଥାନାନ୍ତର ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରାଯିବ ।
ଏବେ ରାଜ୍ୟକୁ ଆସୁଛନ୍ତି ଝାଡ଼ଖଣ୍ଡି ଓ ଛତିଶଗଡ଼ି ହାତୀ । ରାଜ୍ୟରେ ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବାକୁ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଚାଲିବ ହାତୀ ଗଣନା । ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ପୂର୍ଣ୍ଣମୀ ରାତିରେ ସେମାନଙ୍କର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସେମାନଙ୍କ ଗଣନା କରାଯିବ ।
ସେ ଆହୁରି କହିଛନ୍ତି ନରସିଂହପୁରରେ ତୀର ମାଡ଼ରେ ଆହତ ହାତୀ ଏବେ ସୁସ୍ଥ ଅଛି । ହାତୀ ଶରୀରରେ ୪ଟି ତୀର ଲାଗିଥିଲା । ଶିକାର ଉଦ୍ଦେଶ୍ୟରେ ନୁହେଁ, ଫସଲ ବଞ୍ଚାଇବାକୁ ତୀର ମାରି ହାତୀ ଘଉଡ଼ାଇଥିଲେ ସ୍ଥାନୀୟ ଲୋକେ ।
ସେପଟେ ଚିଲିକା ନଳବଣକୁ ଆସିଲେଣି ବିଦେଶୀ ପକ୍ଷୀ । ଡିସେମ୍ବର ୨୫ରୁ ଚିଲିକା ନଳବଣରେ ପକ୍ଷୀ ଗଣନା ହେବ ବୋଲି ପିସିସିଏଫ୍ କହିଛନ୍ତି ।
You Can Read: