ଲୋକସଭା ନିର୍ବାଚନରେ ୧୯୫୨ ଠାରୁ ୨୦୧୯ ପର୍ଯ୍ୟନ୍ତ ଚାରି ଗୁଣ ବଢ଼ିଛି ପ୍ରାର୍ଥୀଙ୍କ ସଂଖ୍ୟା

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ସଂଖ୍ୟାରେ ୪ ଗୁଣା ବୃଦ୍ଧି ହୋଇଛି। ୧୯୫୨ ମସିହାରେ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୧୮୭୪ ଜଣ। ହେଲେ ୨୦୧୯ ବେଳକୁ ଏଥିରେ ୪ ଗୁଣ ବଢ଼ି ୮,୦୩୯ ହୋଇଥିଲା। ନିର୍ବାଚନ ମଣ୍ଡଳୀ ପ୍ରତି ହାରାହାରି ପ୍ରାର୍ଥୀ ସଂଖ୍ୟା ୪.୬୭ରୁ ୧୪.୮କୁ ବୃଦ୍ଧି ହୋଇଛି।

ଏବେ ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଛି। ପ୍ରାର୍ଥୀମାନେ ବି ଲଢ଼େଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାର ସମ୍ଭାବନା ରହିଛି।   

୧୯୭୭ ମସିହାରେ ଷଷ୍ଠ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ପ୍ରତି ଲୋକସଭା ସିଟ୍ ଉପରେ ହାରାହାରି କେବଳ ୩-୫ ପ୍ରାର୍ଥୀ ଥିଲେ। ହେଲେ ଗତ ଲୋକସଭା ନିର୍ବାଚନରେ ଦେଶରେ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ୧୪.୮ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ।  ଏକ ଏନ୍‌ଜିଓ ସଂସ୍ଥା ‘ପିଆର୍‌ଏସ୍‌ ଲେଜିସଲେଟିଭ ରିସର୍ଚ’ର ଗବେଷଣା ରିପୋର୍ଟ ଅନୁସାରେ,୨୦୧୯ରେ ୫୪୨ ଲୋକସଭା ନିର୍ବାଚନ ମଣ୍ଡଳୀରେ ୮,୦୩୯ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ।

ପଢନ୍ତୁ-ନିର୍ବାଚନ ପାଇଁ ଓଡିଶା ଆସିବେ ୭୫ ପ୍ଲାଟୁନ ଫୋର୍ସ : ପ୍ରଥମେ ୧୫, ପରେ ୬୦ ପ୍ଲାଟୁନ

୨୦୧୯ ଲୋକସଭା ନିର୍ବାଚନକୁ ଦେଖିଲେ ହାରାହାରି ସମସ୍ତ ରାଜ୍ୟ ଠାରୁ ତେଲେଙ୍ଗାନାରେ ସର୍ବାଧିକ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ।  କେବଳ ନିଜାମାବାଦରୁ ୧୮୫ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ନିଜାମାବାଦକୁ ଛାଡ଼ିଦେଲେ ରାଜ୍ୟରେ ହାରାହାରି ୧୬.୧ ଜଣ ନିର୍ବାଚନ ଲଢ଼ିଥିଲେ। ତେଲେଙ୍ଗାନା ପରେ ତାମିଲନାଡୁରେ ସ୍ୱାଧୀନ ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ସର୍ବାଧିକ ଥିଲା। ରାଜ୍ୟରେ ପ୍ରତି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ହାରାହାରି ଦୁଇ ତୃତୀୟାଂଶ ସ୍ୱାଧୀନ ପ୍ରାର୍ଥୀ ଥିଲେ।  ତେବେ ଯେଉଁ ୫ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ପ୍ରାର୍ଥୀ ପ୍ରତିନିଧିତ୍ୱ କରୁଥିଲେ ସେଗୁଡ଼ିକ ସବୁ ଦକ୍ଷିଣ ରାଜ୍ୟ ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁରୁ ଥିଲେ।   

୨୦୧୯ ଲୋକସଭା ନିର୍ବାଚନରେ କେଉଁ ରାଜ୍ୟରୁ ସର୍ବାଧିକ ପ୍ରାର୍ଥୀ ଥିଲେ ?

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ଯଥାକ୍ରମେ ୪୩୫ ଓ ୪୨୦ ଆସନରେ ନିର୍ବାଚନ ଲଢ଼ିଥିଲେ। ଏହା ପଛକୁ ବହୁଜନ ସମାଜ ପାର୍ଟି ତୃତୀୟ ସର୍ବାଧିକ ପ୍ରାର୍ଥୀ ନିର୍ବାଚନରେ ଲଢ଼ାଇଥିଲା। ୭ଟି ଜାତୀୟ ଦଳ ମିଶି ପ୍ରତି ନିର୍ବାଚନ ମଣ୍ଡଳୀରେ ୨.୬୯ ଆଶାୟୀଙ୍କୁ ପ୍ରାର୍ଥୀ କରାଇଥିଲେ।  ୫ ସବୁଠାରୁ ବଡ଼ ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗରେ ୫ ଜାତୀୟ ଦଳ ସର୍ବାଧିକ ୪.୬ ପ୍ରାର୍ଥୀ ଦେଇଥିଲେ। ସେହିପରି ରାଜ୍ୟର ସ୍ଥାନୀୟ ଦଳଙ୍କୁ ମିଶାଇଲେ ପଶ୍ଚିମବଙ୍ଗରେ ମୋଟ ୧.୫୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।  

ଏହି ରାଜ୍ୟରେ ସର୍ବାଧିକ ଆଞ୍ଚଳିକ ଦଳର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ବିହାର(୬ ଆଞ୍ଚଳିକ ପାର୍ଟି) ଓ ତାମିଲନାଡୁ(୮ ଆଞ୍ଚଳିକ ପାର୍ଟି) ସହ ସର୍ବାଧିକ ଆଞ୍ଚଳିକ ଦଳରୁ ପ୍ରାର୍ଥୀ  ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ। ଏଥିରେ ବିହାରରୁ ୧.୨ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ତାମିଲନାଡୁରେ ପ୍ରତି ନିର୍ବାଚନ ମଣ୍ଡଳୀରେ ୧.୩ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ।

ଏହି ୫ ରାଜ୍ୟରେ ୩୦ରୁ ଅଧିକ ସଂସଦୀୟ ନିର୍ବାଚନ ମଣ୍ଡଳୀ ରହିଛି।  

ଉତ୍ତରପ୍ରଦେଶ (୮୦), ମହାରାଷ୍ଟ୍ର (୪୮), ପଶ୍ଚିମବଙ୍ଗ (୪୨), ବିହାର (୪୦), ଏବଂ ତାମିଲନାଡୁ (୩୯) ସଂସଦୀୟ ଆସନ ରହିଛି। ଏହିସବୁ ରାଜ୍ୟକୁ ମିଶାଇଲେ ମୋଟ ୨୪୯ ସଂସଦୀୟ ଆସନ ହେଉଛି। ଏହା ଲୋକସଭାର ୪୬ ପ୍ରତିଶତ। ବର୍ଷକୁ ବର୍ଷ ଲୋକସଭା ନିର୍ବାଚନ ପ୍ରାର୍ଥୀଙ୍କ ସଂଖ୍ୟାରେ ବୃଦ୍ଧି ହେଉଛି।

ବର୍ଷକୁ ବର୍ଷ ବଢ଼ିଛି ପ୍ରାର୍ଥୀଙ୍କ ସଂଖ୍ୟା

ସରକାରୀ ତଥ୍ୟ ଅନୁସାରେ, ୧୯୫୨ ମସିହାରେ ୪୮୯ଟି ଆସନ ପାଇଁ ମୋଟ ୧୮୭୪ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ। ଅର୍ଥାତ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ୩.୮୩ ପ୍ରାର୍ଥୀ  ମୈଇଦାନକୁ ଓହ୍ଲାଇ ଥିଲେ। ହେଲେ ୧୯୭୧ ବେଳକୁ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ୨୭୮୪କୁ ବୃଦ୍ଧି ହୋଇଥିଲା। ସେତେବେଳେ ନିର୍ବାଚନ ମଣ୍ଡଳୀ ପ୍ରତି ୫.୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।  ସେହିପରି ୧୯୭୭ ମସିହାରେ ୨,୪୩୯ ପ୍ରାର୍ଥୀ(ପ୍ରତି ନିର୍ବାଚନ ମଣ୍ଡଳୀ ହାରାହାରି ପ୍ରାର୍ଥୀ ସଂଖ୍ୟା ୪.୫) ନିର୍ବାଚନ ଲଢ଼ିଥିଲେ।

୧୯୮୦ରେ ୪,୬୨୯ ପ୍ରାର୍ଥୀ(ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ପ୍ରାର୍ଥୀ ସଂଖ୍ୟା ୮.୫୪), ୧୯୮୪-୮୫ ସମିହାସେର ୫,୪୯୨ (ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ପ୍ରାର୍ଥୀ ସଂଖ୍ୟା ୧୦.୧୩) ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ।

ପଢନ୍ତୁ-ନିର୍ବାଚନ ଆସିଲେ ଫେସ୍‌ବୁକ୍‌ରେ ପାଣି ଭଳି ଖର୍ଚ୍ଚ ହୁଏ ଟଙ୍କା; ୨୦୧୪ ପର ଠାରୁ କେତେ ଖର୍ଚ୍ଚ କରିଛନ୍ତି ରାଜନୈତିକ ଦଳ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନବମ ସାଧାରଣ ନିର୍ବାଚନ ୧୯୮୯ରେ ହୋଇଥିବା ବେଳେ ଏଥିରେ ୬,୧୬୦(ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ପ୍ରାର୍ଥୀ ସଂଖ୍ୟା ୧୧.୩୪), ଦଶମ ଲୋକସଭା ନିର୍ବାଚନ ୧୯୯୧-୯୨ ରେ ୮୬୬୯ (ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ପ୍ରାର୍ଥୀ ସଂଖ୍ୟା ୧୫.୯୬) ପ୍ରାର୍ଥୀ, ଏକାଦଶ ସାଧାରଣ ନିର୍ବାଚନରେ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ପ୍ରାର୍ଥୀ ସଂଖ୍ୟା ୨୫.୬୯ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ପ୍ରାର୍ଥୀଙ୍କ ସଂଖ୍ୟା ୧୩,୯୫୨।

ଏହାପରେ ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନ ଲଢ଼ିବାକୁ ସୁରକ୍ଷା ଜମା ରାଶିକୁ ମାତ୍ର ୫୦୦ ରୁ ବଢ଼ାଇ ୧୦,୦୦୦ ଟଙ୍କାକୁ ବୃଦ୍ଧି କରିଦେଲେ। ଫଳରେ ୧୯୯୮ ଲୋକସଭା ନିର୍ବାଚନରେ ​​ପ୍ରତି ଆସନ ପ୍ରତି ପ୍ରତିଯୋଗୀଙ୍କ ସଂଖ୍ୟାକୁ ୮.୭୫ ପ୍ରାର୍ଥୀ ଭିତିରେ ସୀମିତ ରଖାଯାଇପାରିଥିଲା। ଦୀର୍ଘଦିନର ବ୍ୟବଧାନ ପରେ ମୋଟ ପ୍ରାର୍ଥୀଙ୍କ ସଂଖ୍ୟାରେ ୫ ହଜାରରୁ ୪,୭୫୦କୁ ହ୍ରାସ ହୋଇଯାଇଥିଲା।

ପଢନ୍ତୁ-ରାଜନୀତିରୁ ମୁକ୍ତ ହେବେ ଗୌତମ ଗମ୍ଭୀର; ପିଏମ୍ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

ଏହାପରେ ୧୯୯୯ ସାଧାରଣ ନିର୍ବାଚନରେ ​​ପ୍ରାର୍ଥୀଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ୪,୬୪୮ ହୋଇଥିଲା। ଯାହା ସେତେବେଳେ ପ୍ରତି ଆସନରେ ହାରାହାରି ୮.୫୬ ପ୍ରତିଯୋଗୀ ଥିଲା। ୨୦୦୪ ଲୋକସଭା ନିର୍ବାଚନରେ ୫୪୩ ଆସନ ପାଇଁ ୫୪୩୫ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଯାହା ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ପ୍ରାର୍ଥୀଙ୍କ ସଂଖ୍ୟା ୧୦ଟି ଟିକେ ଅଧିକ ଥିଲା।

ପୁଣି ୨୦୦୯  ସାଧାରଣ ନିର୍ବାଚନରେ ମୋଟ ୮,୦୭୦ ପ୍ରାର୍ଥୀ ୫୪୩ ଆସନ ପାଇଁ ନିର୍ବାଚନ ଲଢ଼ିଥିଲେ। ଫଳରେ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି  ପ୍ରାର୍ଥୀ ସଂଖ୍ୟା ୧୪.୮୬ ଥିଲା। ୨୦୧୪ରେ ମୋଟ ୮୧୫୧ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.