ନର୍ସିଂ ସଂଘର ଅହୋରାତ୍ର କାର୍ଯ୍ୟବନ୍ଦ ଆନ୍ଦୋଳନ,ବିଗିଡିଲା ରୋଗୀ ସେବା

Published By : Prameya-News7 Bureau | September 28, 2024 IST

ଭୁବନେଶ୍ବର୨୮/୯: ଶନିବାରଠୁ ନର୍ସିଂ ସଂଘର ଅହୋରାତ୍ର କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୦ ଦଫା ଦାବିରେ ଅଟଳ ନର୍ସିଂ ଅଫିସର । ରୋଗୀ ସେବା ଗୁରୁତର ପ୍ରଭାବିତ । ରାଜ୍ୟରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ୧୫ ହଜାରରୁ ଅଧିକ ନର୍ସିଂ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି । ରାଜ୍ୟର ସମସ୍ତ ମେଡିକାଲ କଲେଜ ହସପିଟାଲ୍ ଓ ଜିଲ୍ଲା ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଦାବି ଉପରେ ଆଲୋଚନା ପାଇଁ ରାଜ୍ୟ ସରକାର ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିଛନ୍ତି। ତୁରନ୍ତ ଷ୍ଟାଫ୍ ନର୍ସମାନେ ଆନ୍ଦୋଳନରୁ ଓହରି ଯିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଅପିଲ କରିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶା ଷ୍ଟାଫ୍ ନର୍ସ କର୍ମଚାରୀ ସଂଘ କହିଛି ଦାବି ପୂରଣ ନେଇ ଆମ ସହ ସରକାର ଆଲୋଚନା କରନ୍ତୁ। ନଚେତ୍ ଆମର ଏ ଆନ୍ଦୋଳନ ଚାଲିଥିବ ବୋଲି ସଂଘ କହିଛି। ଆନ୍ଦୋଳନ ଯୋଗୁଁ କଟକ ଏସ୍‌ସିବିରେ ଜେନେରାଲ୍ ଓଟି ବନ୍ଦ । ଜରୁରି ନ ଥିଲେ ଅପରେସନ୍ ବନ୍ଦ କରି ତାରିଖ ଗଡ଼ାଇ ଦିଆଯାଉଛି। ଗୁରୁତର ରୋଗୀଙ୍କୁ ଆଉଟ୍ ଡୋର ରୁ ସିଧାସଳଖ ଟ୍ରମା କାଜୁଆଲିଟିକୁ ପଠାଇ ଦିଆଯାଉଛି। ଇଞ୍ଜେକସନ୍ ଦେବା ଏବଂ ସାଲାଇନ୍ ଲଗାଇବା କାମ କରୁଛନ୍ତି ଜୁନିୟର ଡାକ୍ତର । ରୋଗୀ ସେବାର ସ୍ଥିତି ଏତେ ଜଟିଳ ଯେ ପ୍ରଫେସର୍ ମାନେ କୁଆଡ଼େ ହଲିପାରୁନାହାନ୍ତି। ସମସ୍ତଙ୍କ ଛୁଟି ବାତିଲ ହୋଇଥିବାରୁ ମେଡିକାଲ୍ ରେ ରହି ରୋଗୀ ପରିଚାଳନା ଦାୟିତ୍ଵ ତୁଲାଉଛନ୍ତି । କ୍ୟାନ୍ସର ହସ୍‌ପିଟାଲ,ଶିଶୁଭବନ, କଟକ ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଜିଲ୍ଲାବ୍ୟାପୀ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବାକୁ ନେଇ ଏଭଳି ଚିତ୍ର ଦେଖୁବାକୁ ମିଳିଛି। ଅନେକ ହସପିଟାଲ୍ ରେ ଟ୍ରେନି ନର୍ସଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟସେବା । ନର୍ସିଂ ସଂଘ ଅହୋରାତ୍ର ଆନ୍ଦୋଳନ ଡାକରା ଦେଇଥିବାରୁ ରାଜ୍ୟର ସରକାରୀ ମେଡିକାଲରେ ସ୍ବାସ୍ଥ୍ୟ ସେବା ଅଧିକ ଜଟିଳ ହେବାର ଆଶଙ୍କା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.