ଟୋକିଓ୨।୧୧: ଜାପାନରେ ଅକ୍ଟୋବର ମାସର ତାପମାତ୍ରା ସମସ୍ତ ରେକର୍ଡ ଭାଙ୍ଗିଛି। ୧୮୯୮ ମସିହାରେ ଜାପାନ ପାଣିପାଗ ରେକର୍ଡ ରଖିବା ଆରମ୍ଭ କରିଥିଲା। ସେବେଠାରୁ ୨୦୨୪ ଅକ୍ଟୋବର ସବୁଠୁ ଉତପ୍ତ ମାସ ବୋଲି ଜଣାପଡିଛି। ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସୀ (ଜେଏମଏ)ଙ୍କ ତଥ୍ୟ ଅନୁସାରେ ଜାପାନରେ ମାସିକ ହାରାହାରି ତାପମାତ୍ରା ଗତ ଅକ୍ଟୋବରମାନଙ୍କ ତାପମାତ୍ରା ଠାରୁ ୨.୨୧ ଡିଗ୍ରି ସେଲସିୟସ ଅଧିକ ଥିଲା।
ଆଞ୍ଚଳିକ ସ୍ତରରେ ଉତ୍ତର ଜାପାନରେ ତାପମାତ୍ରା ହାରାହାରି ୧.୯ ଡିଗ୍ରି ଅଧିକ ଥିଲା। ସେହିପରି ପୂର୍ବ ଓ ପଶ୍ଚିମ ଜାପାନର ତାପମାତ୍ରାରେ ୨.୬ ଡିଗ୍ରି ବୃଦ୍ଧି ଦେଖାଯାଇଛି। କ୍ୟୋଟୋ, ନାଗାନୋ ଓ ମଧ୍ୟ ଟୋକିଓ ଭଳି ସହରାଞ୍ଚଳମାନଙ୍କର ତାପମାତ୍ରାରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଇଛି, ଯେଉଁଠି ଅକ୍ଟୋବରର ହାରାହାରି ତାପମାତ୍ରା ୩.୨, ୩.୧ ଓ ୨.୬ ଡିଗ୍ରି ବଢିଛି। ପାଣିପାଗ ଏଜେନ୍ସୀ ଜେଏମଏ ଆଗକୁ ନଭେମ୍ବରର ତାପମାତ୍ରା ହାରାହାରିଠୁ ଅଧିକ ରହିବ ବୋଲି ଆକଳନ କରିଛନ୍ତି।
ତେବେ ଆଗାମୀ ସପ୍ତାହର ଉତ୍ତରାର୍ଦ୍ଧରେ ଶୀତଳ ପବନ ବହିବାର ପୂର୍ବାନୁମାନ କରାଯାଇଛି। ଫଳରେ ତାପମାତ୍ରା ଅଧିକ ତଳ ଉପର ହେବ ବୋଲି ଆକଳନ କରାଯାଉଛି। ରିପୋର୍ଟ ଅନୁସାରେ ଜାପାନରେ ଉଚ୍ଚ ତାପମାତ୍ରାର ପାଟର୍ଣ୍ଣ ଗତ ଜୁଲାଇରୁ ଲଗାତାର ଜାରି ରହିଛି, ଫଳରେ ଅଦିନିଆ ଗ୍ରୀଷ୍ମ ପ୍ରବାହ ଏବେ ଚିନ୍ତା ବଢେଇ ଦେଇଛି।